ମୁଖ୍ୟ ଖବର
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଉପରମୁହାଁ । ବ୍ୟାରେଲ ପିଛା ଏହା ୭୦ ଡଲାରରୁ ବଢ଼ି ହୋଇଛି ୧୨୬ ଡଲାର । କିନ୍ତୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ରହିଛି ସ୍ଥିର । ଏଭଳି ସ୍ଥିତିରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକର କ୍ଷତି ବଢ଼ିଚାଲିଛି । ଆଗକୁ ଏହି ବୋଝର କିଛି ଭାଗ ଖାଉଟିଙ୍କୁ ମୁଣ୍ଡାଇବାକୁ ପଡ଼ିପାରେ । ଏକ ସୂତ୍ରରୁ ଜଣାପଡ଼ିଛି, ମେ’ ୧୫ ପୂର୍ବରୁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିପାରେ ।
ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁ ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ବିକ୍ରିରେ ଦେଶର ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଙ୍କ ମାସିକ କ୍ଷତି ୩୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି । ବର୍ଦ୍ଧିତ ଅନ୍ତର୍ଜାତୀୟ ଦରର ପ୍ରଭାବକୁ ସୀମିତ କରିବା ପାଇଁ ମାର୍ଚ୍ଚ ଶେଷ ଭାଗରେ କେନ୍ଦ୍ର ସରକାର ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦ ଶୁଳ୍କରେ ୧୦ ଟଙ୍କା ହ୍ରାସ କରିଥିଲେ । ଏହାସତ୍ତେ୍ୱ ତୈଳ ରାଷ୍ଟ୍ରାୟତ୍ତ କମ୍ପାନିଗୁଡ଼ିକ ପ୍ରଚୁର ମାତ୍ରାରେ କ୍ଷତି ସହୁଛନ୍ତି ।
ଉତ୍ପାଦ ଶୁଳ୍କ ହ୍ରାସ ଯୋଗୁ ମାସକୁ ସରକାର ପ୍ରାୟ ୧୪,୦୦୦ କୋଟି ଟଙ୍କାର ରାଜସ୍ୱ ହରାଉଥିବା ଶର୍ମା କହିଛନ୍ତି । ସରକାର ଯଦି ଉତ୍ପାଦ ଶୁଳ୍କକୁ ହ୍ରାସ କରିନଥାନ୍ତେ ତେବେ ଇନ୍ଧନ ବିକ୍ରିରେ ୩ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଙ୍କ କ୍ଷତି ଆହୁରି ଅଧିକ ହୋଇଥାନ୍ତା ବୋଲି ଶର୍ମା କହିଛନ୍ତି ।
ହୋର୍ମୁଜ ମାର୍ଗ ଅବରୋଧ ଫଳରେ ବିଶ୍ୱର ୨୦% ତୈଳ ପରିବହନ ଠପ୍ ହୋଇଯାଇଛି । ଏସବୁ ବାହ୍ୟ ଝଟ୍କା ସତ୍ତେ୍ୱ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଛି । ରିଟେଲ ଦର ଏବଂ ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚ ମଧ୍ୟରେ ତାଳମେଳ ନାହିଁ । ଉଭୟ ସରକାର ଏବଂ ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ସମାନ ଭାବେ ବୋଝକୁ ବହନ କରୁଛନ୍ତି । ଲିଟର ପିଛା ପେଟ୍ରୋଲ ଉପରେ ସରକାର ଏବଂ ତୈଳ କମ୍ପାନିଗୁଡ଼ିକ ୨୪ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଛନ୍ତି ।
ସେହିଭଳି ଲିଟର ଡିଜେଲରେ କ୍ଷତି ପରିମାଣ ରହିଛି ୩୦ ଟଙ୍କା । ସୂତ୍ର ଅନୁସାରେ, ଯଦି ଦରବୃଦ୍ଧିକୁ ଅନୁମୋଦନ ମିଳେ ତେବେ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଦର ୪ରୁ୫ ଟଙ୍କା ଓ ଘରୋଇ ଏଲ୍ପିଜି ସିଲିଣ୍ଡର ୪୦ରୁ୫୦ ଟଙ୍କା ମହଙ୍ଗା ହୋଇପାରେ । ଯଦି ଏହା ହୁଏ ୪ ବର୍ଷ ମଧ୍ୟରେ ଉଭୟ ଇନ୍ଧନ ଦରରେ ଏହା ହେବ ବୃହତ୍ ସଂଶୋଧନ।
Comments ସମସ୍ତ ମତାମତ