Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟରେ ଘନେଇଲାଣି ପେଟ୍ରୋଲ, ଡିଜେଲ ଅଭାବ

    Share on :
    ajab-Image
    Date: May 7, 2026    Views: 3016

    ଭୁବନେଶ୍ୱର: ଭାରତ ସମେତ ଅନ୍ୟ କେତେକ ଦେଶ ତୈଳ ଓ ରନ୍ଧନ ଗ୍ୟାସ୍‌ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଏଥିରୁ ବାଦ୍‌ ପଡ଼ିନାହିଁ। ପ୍ରଥମେ ଗ୍ୟାସ୍‌ ସମସ୍ୟା ନେଇ ସାରା ରାଜ୍ୟରେ ଏକପ୍ରକାର ସମସ୍ୟା ସୃଷ୍ଟି ହୋଇଥିବାବେଳେ ଏବେ ନବରଙ୍ଗପୁର, ଜୟପୁର, ଦାରିଙ୍ଗବାଡ଼ି ସମେତ ଉପକୂଳ ଅଞ୍ଚଳର ଅନେକ ପମ୍ପରେ ପେଟ୍ରୋଲ ଓ ଡିଜେଲ୍‌ର ଅଭାବ ଦେଖାଦେଲାଣି। କେତେକ ଫିଲିଂ ଷ୍ଟେଶନରେ ପେଟ୍ରୋଲ ଓ ଡିଜେଲ ନ ଥିବା ଲେଖି ଜଣାଇ ଦିଆଯାଇଥିବାବେଳେ ଆଉ କେତେକ ସ୍ଥାନରେ ଲମ୍ୱା ଧାଡ଼ି ଲାଗୁଛି। ଲୋକଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ପେଟ୍ରୋଲ ଓ ଡିଜେଲ ଦେବା ପରିବର୍ତ୍ତେ ନିର୍ଦ୍ଧାରିତ ପରିମାଣର ଦିଆଯାଉଛି। ଏହାକୁ ନେଇ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ୩ଟି ପେଟ୍ରୋଲ ପମ୍ପ ବାରମ୍ୱାର ବନ୍ଦ ହେଉଥିବା ଜଣାପଡ଼ିଛି।
    ନବରଙ୍ଗପୁରରେ ପେଟ୍ରୋଲ ଓ ଡିଜେଲ ଅଭାବ ସମସ୍ୟା ଗୁରୁତର ରୂପ ନେଇଛି। ପେଟ୍ରୋଲ ପମ୍ପଗୁଡ଼ିକରେ ଯୋଗାଣ କମିଯାଇଥିବାରୁ ତେଲ ନିୟନ୍ତ୍ରଣରେ ଦିଆଯାଉଛି। ଦିନକୁ ଏକ ଦୁଇଚକିଆ ଯାନକୁ ୨ଶହ, ଅଟୋ ରିକ୍ସାକୁ ୩ଶହ ଓ ଚାରି ଚକିଆ ଯାନକୁ ୧ ହଜାର ଟଙ୍କାର ପେଟ୍ରୋଲ ଓ ଡିଜେଲ ଦିଆଯାଉଛି। ଫଳରେ ଦୈନିକ ତେଲ ପକାଇବା ପାଇଁ ପମ୍ପଗୁଡିକରେ ଲମ୍ୱା ଲାଇନ୍‌ ଲାଗୁଛି। ତେବେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ନବରଙ୍ଗପୁର ସହରରେ ପେଟ୍ରୋଲ ନ ଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲାରେ ୫୧ ପେଟ୍ରୋଲ ପମ୍ପ ରହିଛି। ତେବେ ଉମରକୋଟ ସହରାଞ୍ଚଳ ଓ ଜିଲାର ୧୦ଟି ବ୍ଲକ୍‌ରେ ପେଟ୍ରୋଲ, ଡିଜେଲ ସମସ୍ୟା ଏଯାଏ ଉତ୍କଟ ହୋଇନାହିଁ। କିନ୍ତୁ ନବରଙ୍ଗପୁର ସହର ଓ ସଦର ବ୍ଲକ୍‌ରେ ଥିବା ୮ଟି ପେଟ୍ରୋଲ ପମ୍ପ ମଧ୍ୟରୁ ମଙ୍ଗଳବାର ସୁଦ୍ଧା ୭ଟି ପେଟ୍ରୋଲ ପମ୍ପରେ ତେଲ ନ ଥିଲା। ସହରର ଗଙ୍ଗା ଫୁଏଲକୁ ମଙ୍ଗଳବାର ରାତିରେ ୧୦ ହଜାର ଲିଟର ପେଟ୍ରୋଲ, ୧୦ ହଜାର ଲିଟର ଡିଜେଲ ଆସି ପହଞ୍ଚତ୍ଥିଲା। ବୁଧବାର ସକାଳ ୬ଟାରୁ ଲମ୍ୱା ଲାଇନ ଲାଗିଥିଲା। ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଗାୟତ୍ରୀ ପଟ୍ଟନାୟକ ଓ ଅନ୍ୟ ୨ଜଣ କର୍ମଚାରୀ ଓ ପୋଲିସ ଗଙ୍ଗା ଫୁଏଲ ପେଟ୍ରୋଲ ପମ୍ପରେ ରହିଥିଲେ। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ଉକ୍ତ ପମ୍ପରୁ ତେଲ ସରିଯାଇଥିଲା।
    ସେହିପରି ଉପକୂଳ ଜିଲାଗୁଡ଼ିକରେ ମଧ୍ୟ ବହୁ ପମ୍ପକୁ ତେଲ ଆସିପାରୁନାହିଁ। ଟାଙ୍କିରୁ ଷ୍ଟକ୍‌ ଶେଷ ହେବା ପରେ ତେଲ ଗାଡ଼ି ଯୋଗାଇ ଦିଆଯାଉଛି। ଯେଉଁଥିପାଇ ତେଲଗୁଡ଼ିକରେ ପେଟ୍ରୋଲ, ଡିଜେଲ ଅଭାବ କାରଣରୁ ଅନେକ ସମୟ ବନ୍ଦ ରହୁଛି। ମୟୂରଭଞ୍ଜ, ବାରିପଦାରେ ପେଟ୍ରୋଲ ପମ୍ପଗୁଡ଼ିକ ଆଉ ବାକିରେ ପେଟ୍ରୋଲ, ଡିଜେଲ ଦେଉନାହାନ୍ତି। ବିନିକା ଟାକ୍ସି ସଂଘ ସଭାପତି ମଣ୍ଟୁ ରାଉତ ଏବଂ ବିନିକା କ୍ଷୁଦ୍ର ବ୍ୟବସାୟୀ ସଂଘ ବୃନ୍ଦାବନ ପାଣ୍ଡେ କହିଛନ୍ତି, ତେଲ ଅଭାବରୁ ଗାଡ଼ି ଚାଲୁନି କି ମାଲ ପରିବହନ ହୋଇପାରୁନାହିଁ। ସୁବର୍ଣ୍ଣପୁର ଜିଲାର ବିଭିନ୍ନ ଅଞ୍ଚଳରେ ଦୁଇଦିନ ହେବ ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା, ଏଥିପାଇଁ ଲୋକେ ବହୁତ ହଇରାଣ ହେଉଛନ୍ତି। ଜୟପୁରର ଜଣେ ଗ୍ରାହକ ବୀରେନ୍ଦ୍ର ସାଗର କହିଛନ୍ତି, ତେଲ ମିଳୁନି, ପମ୍ପ ଆଗରେ ପ୍ରବଳ ଭିଡ଼। କନ୍ଧମାଳ ଜିଲାର ବାଇକ୍‌ ଚାଳକ ଅକ୍ଷୟ କୁମାର ପରିଛା କହିଛନ୍ତି, ଦାରିଙ୍ଗିବାଡ଼ିରେ ତେଲ ଅଭାବ। ଢେଙ୍କାନାଳ ଜିଲାର ଅନେକ ସ୍ଥାନରେ ତେଲ କମ୍ପାନୀଗୁଡ଼ିକ ତେଲ ଯୋଗାଇ ନ ପାରିବା କାରଣରୁ ପମ୍ପ ବନ୍ଦ ରହୁଥିବା ଜଣାପଡ଼ିଛି।
    ଭୁବନେଶ୍ୱରର ରବି ଟକିଜ୍‌ ନିକଟସ୍ଥ ପେଟ୍ରୋଲ ପମ୍ପ ବନ୍ଦ ରହିଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌)ର ଆଞ୍ଚଳିକ ମୁଖ୍ୟ କମଲ୍‌ ସିଂ କହିଛନ୍ତି, ନବରଙ୍ଗପୁରରେ ପ୍ରାୟ ୫୦ ପମ୍ପ୍‌ ମଧ୍ୟରୁ ୬ଟିରେ ପେଟ୍ରୋଲ ଯୋଗାଣ କମ୍‌ ରହିଛି। ଏବେ ଯାହା ଖବର ରହିଛି, ୨ରୁ ୩ଟି ବନ୍ଦ ହୋଇପଡ଼ିଛି। ତେବେ ସେହି ସବୁ ପମ୍ପ ପାଇଁ ପେଟ୍ରୋଲ ଯୋଗାଣ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ପେଟ୍ରୋଲ ପମ୍ପ୍‌ ଚାଲୁହେବ। କୋରାପୁଟରେ ମଧ୍ୟ ୪ଟି ପମ୍ପ୍‌ରେ ପେଟ୍ରୋଲ ଯୋଗାଣ କମ୍‌ ରହିଛି। ମାତ୍ର ଭୁବନେଶ୍ୱର ରବି ଟକିଜ୍‌ ଅଞ୍ଚଳରେ ଆଇଓସିଏଲ୍‌ର ୩ଟି ପମ୍ପ୍‌ ରହିଛି। ସେଥିମଧ୍ୟରୁ ଲିଙ୍ଗରାଜ ଏବଂ ଗୌତମ ପେଟ୍ରୋଲ ପମ୍ପ୍‌ରେ ପେଟ୍ରୋଲ ଅଭାବ ନାହିଁ। ମାତ୍ର ଜଗନ୍ନାଥ ପେଟ୍ରୋଲ ପମ୍ପ୍‌ରେ ଯୋଗାଣ କମ୍‌ ରହିଥିଲା, ହେଲେ ଏବେ ଯୋଗାଣ ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ପମ୍ପରେ ତେଲ ପହଞ୍ଚିବ। ସିଂ ପୁଣି କହିଛନ୍ତି, ସାରା ରାଜ୍ୟରେ ଆଇଓସିଏଲ୍‌ର ୨୫୦୦ ପେଟ୍ରୋଲ ପମ୍ପ୍‌ ରହିଛି। ସେସବୁ ମଧ୍ୟରୁ ମାତ୍ର ୧୦ଟିକୁ କମ୍‌ ପରିମାଣ ପେଟ୍ରୋଲ ଯୋଗାଣ ହେଉଥିବା ଦୃଷ୍ଟିକୁ ଆସିଛି। ଏହାକୁ କମ୍ପାନୀ ଗୁରୁତ୍ୱର ସହ ନେଇଛି ବୋଲି ସେ କହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook