Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ବଢ଼ିଲା

    Share on :
    ajab-Image
    Date: Mar 27, 2026    Views: 2437

    ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ମଧ୍ୟରେ ଅଶୋଧିତ ତୈଳ ଦର ଏବେ ପୁଣି ଉପରମୁହାଁ । ଗୁରୁବାର ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍ ଦର ୪.୫୪% ବୃଦ୍ଧି ପାଇ ୧୦୬.୮ ଡଲାରରେ ପହଞ୍ଚିଛି । ସେହିଭଳି ଆମେରିକାର ୱେଷ୍ଟ ଟେକ୍ସାସ୍ ଇଣ୍ଟର୍ମିଡିଏଟ୍(ଡବ୍ଲ୍ୟୁଟିଆଇ) କ୍ରୁଡ୍ ୩.୬୬% ବଢ଼ି ବ୍ୟାରେଲ ପିଛା ୯୩.୯୮ ଡଲାରରେ ପହଞ୍ଚିଛି ।
    ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଆଜି ଘରୋଇ ବଜାରରେ ଦେଖିବାକୁ ମିଳିଛି । ଭାରତର ସର୍ବବୃହତ୍ ଘରୋଇ ଇନ୍ଧନ ରିଟେଲର ନାୟରା ଏନର୍ଜି ପ୍ରଥମ ଘରୋଇ କମ୍ପାନି ଭାବେ ଲିଟର ପିଛା ସାଧାରଣ ମାନ ପେଟ୍ରୋଲ ଏବଂ ଡିଜେଲ ଦରରେ ୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି । ଲିଟର ପିଛା ପେଟ୍ରୋଲ ଦରରେ ଏହା ୫ ଟଙ୍କା ଏବଂ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି କରିଛି । ସ୍ଥାନୀୟ ଭାଟ୍ ଯୋଗୁ ବିଭିନ୍ନ ରାଜ୍ୟରେ ଦର ବୃଦ୍ଧି ଭିନ୍ନ ରହିବ ।
    କେତେକ ସ୍ଥାନରେ ପେଟ୍ରୋଲ ଦରରେ ଲିଟର ପିଛା ୫.୩୦ ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଛି । ଦୀର୍ଘଦିନ ଧରି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଲାଗିଥିବା ବ୍ରେକ୍ ହଟାଇଛି କମ୍ପାନି । ଘରୋଇ ରିଟେଲରମାନଙ୍କୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଭଳି ସରକାରୀ କ୍ଷତିପୂରଣ ମିଳୁନାହିଁ । ଏପଟେ ସ୍ଥିର ରିଟେଲ ଦର ଏବଂ ଆକାଶଛୁଆଁ ଆମଦାନି ଖର୍ଚ୍ଚ ମଧ୍ୟରେ ଦେଖାଦେଇଥିବା ବଡ଼ ପ୍ରଭେଦକୁ ଘରୋଇ ରିଟେଲରମାନେ ସହ୍ୟ କରିବା କଷ୍ଟକର ହୋଇଛି । ତେଣୁ ଆର୍ଥିକ ବୋଝର କିଛି ଭାଗ ଖାଉଟିଙ୍କ ଉପରେ ପକାଇବାକୁ ରୋଜ୍‌ନେଫ୍ଟ ସମର୍ଥିତ କମ୍ପାନି ନାୟରା ନିଷ୍ପତ୍ତି ନେଇଛି । ଭାରତର ସର୍ବବୃହତ୍ ଘରୋଇ ଇନ୍ଧନ ରିଟେଲର ନାୟରା ଏନର୍ଜିର ଦେଶରେ ୬୯୬୭ ପେଟ୍ରୋଲ ପମ୍ପ ରହିଛି ।
    ନାୟରା ଦର ବଢ଼ାଇଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ବିପି ମଧ୍ୟରେ ଯୌଥ ଉଦ୍ୟୋଗ ଜିଓ ବିପି ମୋଟା କ୍ଷତି ସତ୍ତେ୍ୱ ଦରକୁ ସ୍ଥିର ରଖିଛି । ପୂର୍ବରୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଲିଟର ପିଛା ପ୍ରିମିୟମ ପେଟ୍ରୋଲ ଦରରେ ୨.୦୯ରୁ ୨.୩୫ ଟଙ୍କା ବୃଦ୍ଧି କରିଥିଲେ ।

    ପ୍ରକାଶଯୋଗ୍ୟ, ଇରାନ ପକ୍ଷରୁ ହୋର୍ମୁଜ ଜଳପଥ ବନ୍ଦ କରାଯାଇଛି, ଯେଉଁ ମାର୍ଗ ଦେଇ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ଅଶୋଧିତ ତୈଳ ଏବଂ ଏଲ୍ଏନ୍ଜି ପରିବହନ ହୋଇଥାଏ । ଏହା ତୈଳ ଯୋଗାଣରେ ଯେଉଁ ବାଧା ସୃଷ୍ଟି କରିଛି, ତାହା ଇତିହାସରେ କେବେ ହୋଇ ନ ଥିଲା । ବଜାର ବିଶେଷଜ୍ଞଙ୍କ ଅନୁସାରେ, ଯୁଦ୍ଧ ସ୍ଥିତି ଯଦି ନ ସୁଧୁରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୫୦ ଡଲାର ଛୁଇଁପାରେ । ପ୍ରକାଶଯୋଗ୍ୟ, ଆମେରିକାର ଯୁଦ୍ଧ ବନ୍ଦ କରିବାର ପ୍ରସ୍ତାବକୁ ଇରାନର ପ୍ରତ୍ୟାଖ୍ୟାନ ତୈଳ ବଜାରରେ ପୁନଃ ଅସ୍ଥିରତା ଆଣିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook