ମୁଖ୍ୟ ଖବର
ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ- ଡିଜେଲ ଓ ଏଲପିଜି ଅଭାବକୁ ନେଇ ଅନେକ ଗୁଜବ ହେଉଛି। ଏହା ମଧ୍ୟରେ ସରକାର ଓ ତେଲ କମ୍ପାନୀମାନେ ଏହାକୁ ଖଣ୍ଡନ କରି ଦେଶରେ ପର୍ୟ୍ୟାପ୍ତ ପରିମାଣରେ ଇନ୍ଧନ ଥିବା କହିଛନ୍ତି। ୨୮ ଫେବୃଆରୀରେ ଇରାନ ଉପରେ ଇସ୍ରାଏଲ ଓ ଆମେରିକା ଆକ୍ରମଣ କରିଥିଲେ। ଏହା ପରଠୁ ବୈଶ୍ବିକ ସ୍ତରରେ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଛି। ଏହା ମଧ୍ୟରେ ତେଲ ଓ ଗ୍ୟାସ୍ ଅଭାବ ନେଇ ଅନେକ ଖବର ସାମାଜିକ ଗଣମାଧ୍ୟମ ଆଦିରେ ଘୂରି ବୁଲିବା ଫଳରେ ସାଧାରଣ ଲୋକେ ଭୟଭୀତ ହୋଇପଡୁଛନ୍ତି।
ତେବେ ପେଟ୍ରୋଲ-ଡିଜେଲ ଓ ଏଲପିଜି ଅଭାବକୁ ନେଇ ହେଉଥିବା ଗୁଜବ ମଧ୍ୟରେ ଭାରତର ପ୍ରମୁଖ ତେଲ କମ୍ପାନୀ ବିପିସିଏଲ, ଏଚପିସିଏଲ୍ ଓ ଆଇଓସିଏଲ୍ ବୁଧବାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ ଓ ଏଲପିଜିର ଅଭାବ ନାହିଁ। ବିପିସିଏଲ୍ କହିଛି ଯେ ଦେଶରେ ପର୍ୟ୍ୟାପ୍ତ ଇନ୍ଧନ ଭଣ୍ଡାର ରହିଛି ଏବଂ ଯୋଗାଣ ଶୃଙ୍ଖଳା ମଧ୍ୟ ସୁଚାରୁ ରୂପେ ଚାଲିଛି। ସେହିଭଳି ଏଚପିସିଏଲ୍ ମଧ୍ୟ ପର୍ୟ୍ୟାପ୍ତ ପରିମାଣରେ ତେଲ ଉପଲବ୍ଧ ଥିବା କହିବା ସହ ଏଭଳି ଗୁଜବ ପ୍ରତି ଧ୍ୟାନ ନ ଦେବାକୁ ଅପିଲ କରିଛି। ସରକାର ମଧ୍ୟ ଦେଶରେ ତେଲ ଓ ଏଲପିଜି ନଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ ଦେଶରେ କୌଣସି ବି ପେଟ୍ରୋଲ ପମ୍ପରେ ତେଲର ଅଭାବ ନାହିଁ। ଗୁଜବକୁ ବିଶ୍ବାସ ନକରିବାକୁ ପରାମର୍ଶ ଦେବା ସହ ଭୟଭୀତ ହୋଇ କ୍ରୟ କରିବାକୁ ସେ ବାରଣ କରିଛନ୍ତି। ବିକଳ୍ପ ରୂପେ କିରାସିନି ଉପଲବ୍ଧ କରାଯାଉଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ଏଲପିଜି ମଧ୍ୟ ଦେଶରେ ପର୍ୟ୍ୟାପ୍ତ ପରିମାଣରେ ଥିବା ସେ ସୂଚନା ଦେଇଛନ୍ତି।
Comments ସମସ୍ତ ମତାମତ