Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

    Share on :
    ajab-Image
    Date: Dec 21, 2025    Views: 3261

    ଭୁବନେଶ୍ୱର: ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଗାଡ଼ି ପଞ୍ଜୀକରଣ ହେଉଥିବାରୁ ଏହାର ଧୂଅାଁ ପରିବେଶକୁ ନଷ୍ଟ କରୁଛି। ଏପରି କି ଅନେକ ଗାଡିର ଫିଟ୍‌ନେସ୍‌ ନ ଥିବାରୁ ସେଥିରୁ ଅଧିକ ମାତ୍ରାରେ ଧୂଅାଁ ବାହାରୁଛି। ଯେଉଁଥିପାଇଁ ବାୟୁ ପ୍ରଦୂଷଣ ବଢୁଛି। ଏହାକୁ ରୋକିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣ ପତ୍ର(ପିୟୁସିସି) ନ ଥିବ, ସେହି ଗାଡ଼ିଗୁଡ଼ିକୁ ପେଟ୍ରୋଲ ନ ଦେବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା(ଏସ୍‌ଟିଏ) ପକ୍ଷରୁ ସମସ୍ତ ତୈଳ ବିକ୍ରୟ କମ୍ପାନୀକୁ ଚିଠି ଲେଖାଯାଇଛି।

    ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି। ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଚି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ଏବଂ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ତୈଳ ବିକ୍ରୟକାରୀ କମ୍ପାନୀଙ୍କୁ ଚିଠି ଲେଖାଯାଇଛି। ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନ ଥିବ, ସେଗୁଡ଼ିକୁ କୌଣସି ପେଟ୍ରୋଲ ପମ୍ପରେ ତେଲ ନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ଓଡ଼ିଶାର ବିଭିନ୍ନ ଜିଲାରେ ବାୟୁ ଗୁଣବତ୍ତାମାନକୁ ଉନ୍ନତ ରଖାଯିବ ସହ ପରିବହନ ଯୋଗୁ ହେଉଥିବା ପ୍ରଦୂଷଣକୁ କମ୍‌ କରାଯାଇପାରିବ ବୋଲି ଆଶା କରାଯାଇଛି। ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣପତ୍ର ରଖିବା ବାଧ୍ୟତାମୂଳକ ଏଥିପାଇଁ ଗାଡ଼ିଗୁଡ଼ିକୁ ନିୟମିତ ବ୍ୟବଧାନରେ ପଞ୍ଜୀକୃତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ଯାଞ୍ଚ କରାଇବାକୁ ହୋଇଥାଏ। ସେହିଭଳି ବୈଧ ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନର ମଧ୍ୟ ବ୍ୟବସ୍ଥା ରହିଛି। ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲ୍‌ଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମୋଟର ଯାନ ବ୍ୟବହାରକାରୀଙ୍କୁ ନିବେଦନ କରାଯାଇଛି ଯେ, ସର୍ୱଦା ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର ରଖନ୍ତୁ। ପ୍ରଦୂଷଣ ସୃଷ୍ଟି କରୁଥିବା ଯାନକୁ ବ୍ୟବହାର କରନ୍ତୁ ନାହିଁ। ପରିବେଶ ସୁରକ୍ଷାରେ ସହଭାଗୀ ହୁଅନ୍ତୁ ବୋଲି ପରିବହନ ବିଭାଗ ଜନସାଧାରଣଙ୍କୁ ସହଯୋଗ କରିବାକୁ ନିବେଦନ କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook