Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦିଲ୍ଲୀ ପ୍ରଦୂଷଣ; ପିୟୁସି ନଥିଲେ ଗୁରୁବାରଠୁ ମିଳିବନି ପେଟ୍ରୋଲ-ଡିଡେଲ୍

    Share on :
    ajab-Image
    Date: Dec 17, 2025    Views: 3211

    ନୂଆଦିଲ୍ଲୀ: ଦିଲ୍ଲୀ ଏନ୍‌ସିଆରରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ତରରେ ରହିଛି । ପରିବେଶ ସଂପୂର୍ଣ୍ଣ ଧୂଆଁମୟ । ହନ୍ତସନ୍ତ ରାଜଧାନୀବାସୀ ।  ଦିଲ୍ଲୀରେ ବାୟୁ ଗୁଣବତ୍ତା ମାନ (ଏକ୍ୟୁଆଇ) ସ୍ତର ୩୭୮ ରହିଛି । ଯାହା ଗମ୍ଭୀର ଶ୍ରେଣୀରେ ଯାଉଛି । ତେଣୁ ପ୍ରଦୂଷଣକୁ ରୋକିବା ଲାଗି ଦିଲ୍ଲୀ ସରକାରଙ୍କ ପକ୍ଷରୁ କେତେକ କଠୋର ପଦକ୍ଷେପ ନିଆଯାଇଛି । ପିୟୁସି ସାର୍ଟିଫିକେଟ ଅର୍ଥାତ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ କୌଣସି ଗାଡିକୁ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ । ଆସନ୍ତାକାଲି (ଗୁରୁବାର) ଠାରୁ ଏହି ଆଦେଶ କାର୍ୟ୍ୟକାରୀ କରାଯିବ । ସେହିପରି ସରକାର ଦିଲ୍ଲୀରେ ନିର୍ମାଣ କାର୍ୟ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି । ନିର୍ମାଣ କାର୍ୟ୍ୟ ବନ୍ଦ ହେବା ଦ୍ୱାରା ପ୍ରଭାବିତ ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟକୁ  ୧୦ ହଜାର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।​​​​​​​

    ଦିଲ୍ଲୀ ପରିବେଶ ମନ୍ତ୍ରୀ ମନ୍‌ଜିନ୍ଦର ସିଂହ ସିର୍ସା ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ଯେ, ''ପ୍ରଦୂଷଣକୁ ରୋକିବା ଲାଗି ସହରରେ ଅନ୍ୟ ରାଜ୍ୟର ବିଏସ୍-୬ ଗାଡି ବ୍ୟତୀତ ଅନ୍ୟ ସବୁ ଗାଡିର ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି । ନିର୍ମାଣ ସାମଗ୍ରୀ ନେଇ ଯଦି କୌଣସି ଗାଡି ଚଳାଚଳ କରିବ ତେବେ ଏହା ବିରୋଧରେ ଚାଲାଣ କଟାଯିବ । ପ୍ରଦୂଷଣ ବୃଦ୍ଧି ପାଇଁ ପରିବେଶ ମନ୍ତ୍ରୀ ସିର୍ସା ଦିଲ୍ଲୀବାସୀଙ୍କୁ କ୍ଷମା ମାଗିଥିଲେ । କହିଥିଲେ ନୂଆ ସରକାର ପ୍ରଦୂଷଣ ମାତ୍ରା କମ କରିବା ଲାଗି ପ୍ରତିଦିନ ପଦକ୍ଷେପ ନେଉଛନ୍ତି । ଗତବର୍ଷ ଆଜିର ଦିନରେ ଏହି ସ୍ତର ୩୮୦ ଥିଲା । ସେ ଅଭିଯୋଗ କରିଥିଲେ ଯେ ପୂର୍ବର ଆପ୍ ସରକାର ଗତ ୧୦ ବର୍ଷ ଭିତରେ ଏହି ପ୍ରଦୂଷଣ ବଢ଼ାଇଛି । ବିଜେପି ସରକାର ମାତ୍ର ୮-୯ ମାସ ହେଲା କ୍ଷମତାକୁ ଆସିଛି । ଏତେ କମ୍ ସମୟ ଭିତରେ ପ୍ରଦୂଷଣକୁ ସମ୍ପୂର୍ଣ୍ଣ ଭାବେ ରୋକିବା ଆଦୌ ସମ୍ଭବ ନୁହେଁ ।''

    ଗତ କିଛି ଦିନ ହେଲା କ୍ରମାଗତ ଭାବେ ଦିଲ୍ଲୀର ବାୟୁ ଗମ୍ଭୀର ସ୍ତରରେ ରହିଛି । ଏହାକୁ ପ୍ରଶ୍ୱାସରେ ନେବା ଯୋଗୁ ଫୁସଫୁସ୍ ଓ ହୃଦ୍‌ପିଣ୍ଡ ଉପରେ ପ୍ରଭାବ ପଡିବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ପ୍ରଶାସନ ପକ୍ଷରୁ ଗ୍ରାପ-୪ କଟକଣା ଲାଗୁ କରାଯାଇଛି । ସ୍କୁଲକୁ ହାଇବ୍ରିଡ ମୋଡରେ ଚଳାଇବା ଲାଗି ଆଦେଶ ଜାରି କରାଯାଇଛି । ସେହିଭଳି ୫୦ ପ୍ରତିଶତ କର୍ମଚାରୀରେ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ଚଳାଇବାକୁ କୁହାଯାଇଛି । ସେପଟେ ବାୟୁ ପ୍ରଦୂଷଣ ସହ ଘନ କୁହୁଡି ଯୋଗୁ ବିମାନ ଓ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ବିମାନ ସେବା ଉପରେ ତାର ପ୍ରଭାବ ପଡିଛି । ଦୃଶ୍ୟମାନ ଦୂରତା ବହୁତ କମିଯାଇଛି । ଦୁଇଦିନରେ ୨୨୮ଟି ବିମାନ ଚଳାଚଳକୁ ବାତିଲ କରିଦିଆଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook