ମୁଖ୍ୟ ଖବର
ନୂଆଦିଲ୍ଲୀ: ଆଜିଠାରୁ ଦେଶରେ କେତେକ ନିୟମ ଲାଗୁ ହେବାକୁ ଯାଉଛି, ଯାହା ନାଗରିକମାନଙ୍କୁ ବିଭିନ୍ନ ପ୍ରକାରରେ ପ୍ରଭାବିତ କରିବ । ପାସପୋର୍ଟ ଫି ବୃଦ୍ଧିଠାରୁ ଆରମ୍ଭ କରି ଆଧାର ପର୍ଯ୍ୟନ୍ତ ବହୁ ପ୍ରକାର କ୍ଷେତ୍ର ପାଇଁ ବଦଳିଥିବା ନିୟମ ଜୁଲାଇ ୧ରୁ ଲାଗୁ ହେବ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସପୋର୍ଟ ଫିରେ କରାଯାଇଥିବା ବୃଦ୍ଧି ଜୁଲାଇରୁ ଲାଗୁ ହେବ । ୩୬ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ପାଇଁ ଫି ୧୫୦୦ ଟଙ୍କାରୁ ବଢ଼ି ୨୫୦୦ ଟଙ୍କା ଏବଂ ୬୦ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ଫି ୨୦୦୦ ଟଙ୍କାରୁ ବଢ଼ି ୩୫୦୦ ଟଙ୍କା ହୋଇଛି । ତକ୍ତାଳ ସେବା ଫି ଓ ପାସପୋର୍ଟ ବଦଳାଇବା ଫି ମଧ୍ୟ ବଢ଼ିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ଲଗାଯାଇଥିବା କଟକଣା ଆସନ୍ତାକାଲିଠାରୁ ପ୍ରତ୍ୟାହାର ହୋଇଯିବ । ଯୁଦ୍ଧ ପୂର୍ବ ସ୍ଥିତି ଭଳି ପେଟ୍ରୋଲ ପମ୍ପରେ ତେଲ ବିକ୍ରି ହେବ ।
ଆଜିଠାରୁ ଦେଶବ୍ୟାପୀ ନୂଆ ଗ୍ରାମୀଣ ଜୀବିକା ଯୋଜନା ‘ଭିବି କି ରାମ ଜି’ ଲାଗୁ ହେବ । ମନରେଗା ସ୍ଥାନରେ ଲାଗୁ ହେଉଥିବା ଏହି ଯୋଜନାରେ ବର୍ଷକୁ ୧୨୫ ଦିନର କାମ ଯୋଗାଇ ଦିଆଯିବ ।
ବ୍ୟାଙ୍କଗୁଡ଼ିକ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତାକାଲିଠାରୁ କଠୋର ମିସ୍-ସେଲିଂ ନିୟମ ଲାଗୁ କରିବା ଗ୍ରାହକଙ୍କୁ ବିଭ୍ରାନ୍ତ କରି ଉତ୍ପାଦ କିମ୍ୱା ସେବା ପ୍ରଦାନ କରାଯାଉଥିବା ପ୍ରମାଣିତ ହେଲେ ବ୍ୟାଙ୍କ ସବୁ ଟଙ୍କା ଫେରାଇବ ଓ ଗ୍ରାହକଙ୍କୁ କ୍ଷତିପୂରଣ ମଧ୍ୟ ଦେବ ।
ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ମାସ ହେଉଛି ଜୁଲାଇ । ଏହି ମାସ ପରେ ଯେଉଁମାନେ ରିଟର୍ଣ୍ଣ ଦାଖଲ କରିବେ ସେମାନଙ୍କୁ ବିଳମ୍ୱ ଫି ଗଣିବାକୁ ପଡ଼ିବ । ମାଗଣାରେ ଆଧାର ଇମେଲ୍ ଅପଡେଟ୍: ଆଧାରରେ ପଞ୍ଜୀକୃତ ଇମେଲକୁ ମାଗଣାରେ ଅପଡେଟ୍ କରିହେବ । ଜୁଲାଇରୁ ଡିସେମ୍ୱର ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ । ପୂର୍ବରୁ ଏହି ସେବା ପାଇଁ ୭୫ ଟଙ୍କା ଦେବାକୁ ପଡ଼ିଥିଲା ।
ଆଜିଠାରୁ ଏସବିଆଇ କାର୍ଡର ରିୱାର୍ଡ ପଏଣ୍ଟ ଓ ଏଚଡିଏଫସି ବ୍ୟାଙ୍କର କ୍ରେଡିଟ୍ କାର୍ଡ ଲାଉଞ୍ଜ ପ୍ରବେଶ ନିୟମ ବଦଳିବ ।ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସ ୧ ତାରିଖରେ ଏଲପିଜି ସିଲିଣ୍ଡର ଦର ସଂଶୋଧନ କରୁଛନ୍ତି । ସେମାନେ ନିୟମିତ ବ୍ୟବଧାନରେ ବାଣିଜ୍ୟିକ ଏଲପିଜି ଦର ପରିବର୍ତ୍ତନ କରୁଛନ୍ତି । ତେଣୁ ଆସନ୍ତାକାଲି ମଧ୍ୟ ଏହାର ଦରରେ କିଛିଟା ପରିବର୍ତ୍ତନ ଆଶା କରାଯାଉଛି ।
Comments ସମସ୍ତ ମତାମତ