ମୁଖ୍ୟ ଖବର
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥ ଓ ଉଦ୍ୟୋଗ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଆୟ(ଜିଡିପି)ର ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ଏଥିରେ ବ୍ୟୟ ଓ ନିବେଶର ଡବଲ ଇଞ୍ଜିନ ଦ୍ୱାରା ଅର୍ଥନୀତି ଗତିଶୀଳ ପରିଚାଳିତ ହୋଇଥିବା କୁହାଯାଇଛି। ଅର୍ଥନୈତିକ ସର୍ଭେ ରିପୋର୍ଟରେ ଲଗାତାର ଚତୁର୍ଥ ବର୍ଷ ପାଇଁ ଭାରତ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା ହୋଇ ରହିବ ବୋଲି ଦର୍ଶାଯାଇଛି। ତେବେ ଆର୍ଥିକ ବର୍ଷ ୨୦୨୬-୨୭ରେ ପ୍ରକୃତ ଜିଡିପି ଅଭିବୃଦ୍ଧି ୬.୮ରୁ ୭.୨ ପ୍ରତିଶତ ମଧ୍ୟରେ ରହିବ। ଅନ୍ୟପକ୍ଷରେ ଭାରତର ସମ୍ଭାବ୍ୟ ଅଭିବୃଦ୍ଧି ପ୍ରାୟ ୭ ପ୍ରତିଶତ ହେବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସର୍ଭେରେ ଦର୍ଶାଯାଇଛି ଯେ, ଆର୍ଥିକ ବର୍ଷ ୨୦୨୬-୨୭ରେ ଘରୋଇ ଚାହିଦା ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେଇଛି। ପ୍ରଥମ ଅଗ୍ରୀମ ଆକଳନ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୫-୨୬ରେ ନିମ୍ନ ମୁଦ୍ରାସ୍ଫୀତି, ସ୍ଥିର ନିଯୁକ୍ତି ପରିସ୍ଥିତି ଏବଂ ବୃଦ୍ଧି ପାଉଥିବା ପ୍ରକୃତ କ୍ରୟ ଶକ୍ତି କାରଣରୁ ଆର୍ଥିକ ପରିସ୍ଥିତରେ ସୁଧାର ଆସିପାରିଛି। ଅଧିକନ୍ତୁ, ଦୃଢ଼ କୃଷି କାର୍ଯ୍ୟଦକ୍ଷତା ଫଳରେ ଗ୍ରାମୀଣ ବ୍ୟବହାରରେ ସ୍ଥିରତା ଓ ଦୃଢ଼ତା ଆସିଛି।
ସେହିପରି ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସକୁ ଯୁକ୍ତିସଂଗତ କରାଯିବା ଫଳରେ ସହରାଞ୍ଚଳ ବ୍ୟବହାରରେ ଧୀରେ ଧୀରେ ଉନ୍ନତି ଆସିଛି। ଉପଭୋଗର ଏହି ପ୍ରଗତିଶୀଳ ଧାରା ସହିତ ନିବେଶ କାରଣରୁ ଆର୍ଥିକ ବର୍ଷ ୨୦୨୫-୨୬ର ଅଭିବୃଦ୍ଧି ହାର ଜାରି ରହିଛି। ମୋଟ ସ୍ଥିର ପୁଞ୍ଜି ଢାଞ୍ଚା (ଜିଏଫସିଏଫ)ର ଅଂଶ ୩୦ ପ୍ରତିଶତ ଆକଳନ କରାଯାଇଛି। ବର୍ଷର ପ୍ରଥମାର୍ଦ୍ଧରେ ନିବେଶ କାର୍ଯ୍ୟକଳାପ ମଜବୁତ ହୋଇଛି। ଫଳରେ ଜିଏଫସିଏଫ ୭.୬ ପ୍ରତିଶତ ବଢିଛି। ଏହା ଗତ ବର୍ଷ ସମାନ ଅବଧିରେ ରେକର୍ଡ ହୋଇଥିବା ଗତିକୁ ଅତିକ୍ରମ କରିଛି। ମହାମାରୀ ପୂର୍ବରୁ ଥିବା ହାର ୭.୧ ପ୍ରତିଶତ ଠାରୁ ଏହା ଅଧିକ ରହିଛି।
ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୨୫-୨୬ରେ କୃଷି ଏବଂ ଆନୁସଙ୍ଗିକ ସେବା ୩.୧ ପ୍ରତିଶତ ହାରରେ ବୃଦ୍ଧି ପାଇବ। ଅନୁକୂଳ ପାଣିପାଗ ଓ ମୌସୁମୀ କାରଣରୁ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ କୃଷି କାର୍ଯ୍ୟକଳାପ ଭଲ ରହିଥିଲା। କୃଷି ଜିଭିଏ ୩.୬ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଗତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ରେକର୍ଡ ୨.୭ ପ୍ରତିଶତ ଅଭିବୃଦ୍ଧି ତୁଳନାରେ ଅଧିକ। ତେବେ ଏହା ଦୀର୍ଘକାଳୀନ ହାରାହାରି ୪.୫ ପ୍ରତିଶତ ଠାରୁ ତଳେ ରହିଛି। ସେହିଭଳି କୃଷି ଆନୁସଙ୍ଗିକ କାର୍ଯ୍ୟକଳାପ ଯଥା- ପ୍ରାଣୀପାଳନ ଓ ମତ୍ସ୍ୟଚାଷ କ୍ଷେତ୍ର ପ୍ରାୟ ୫-୬ ପ୍ରତିଶତର ତୁଳନାତ୍ମକ ସ୍ଥିର ହାରରେ ଅଭିବୃଦ୍ଧି ହ୍ରାସ କରିଛି।
ଆର୍ଥିକ ସର୍ବେକ୍ଷଣରେ ଶିଳ୍ପ କ୍ଷେତ୍ର ବେଶ୍ ମଜବୁତ୍ର ସଙ୍କେତ ଦେଇଛି। ଆର୍ଥିକ ବର୍ଷ ପ୍ରଥମାର୍ଦ୍ଧରେ ଉତ୍ପାଦନ ୮.୪ ପ୍ରତିଶତ ବୃଦ୍ଧି ପାଇଛି। ଯାହାକି ୭.୦ ପ୍ରତିଶତ ଆକଳନକୁ ଅତିକ୍ରମ କରିଛି। ଏଥିସହ ନିରନ୍ତର ସାର୍ବଜନୀନ ପୁଞ୍ଜି ବ୍ୟୟ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ପ୍ରଗତି କାରଣରୁ ନିର୍ମାଣ ଶିଳ୍ପ ସ୍ଥିର ରହିଛି। ବାସ୍ତବ(ନିରନ୍ତର) ମୂଲ୍ୟ ଦୃଷ୍ଟିରୁ ଉତ୍ପାଦନ କ୍ଷେତ୍ରର ଅଂଶ ପ୍ରାୟ ୧୭-୧୮ ପ୍ରତିଶତ ଭିତରେ ସ୍ଥିର ରହିଛି। ତେବେ ଆର୍ଥିକ ବର୍ଷ ୨୦୨୫-୨୬ରେ ଶିଳ୍ପ କ୍ଷେତ୍ର ୬.୨ ପ୍ରତିଶତ ହାରରେ ବୃଦ୍ଧି ପାଇବ। ପିଏମଆଇ ଉତ୍ପାଦନ, ଆଇଆଇପି ଉତ୍ପାଦନ ଏବଂ ଇ-ୱେ ବିଲ୍ ଜେନେରେସନ୍ ଆଦିର ବିପୁଳ ଚାହିଦା ଦ୍ୱାରା ଆଧାରିତ ଉତ୍ପାଦନ କାର୍ଯ୍ୟକଳାପକୁ ସୁଦୃଢ଼ କରିବ। ଇସ୍ପାତ ବ୍ୟବହାର ଏବଂ ସିମେଣ୍ଟ ଉତ୍ପାଦନ ଭଳି ନିର୍ମାଣ ସୂଚକଗୁଡ଼ିକ ସ୍ଥିର ଅଭିବୃଦ୍ଧି ପ୍ରଦର୍ଶନ କରିଥିବା ରିପୋର୍ଟରେ ଦର୍ଶାଯାଇଛି।
ସେହିଭଳି ସେବା କ୍ଷେତ୍ର ଯୋଗାଣ ଦିଗରେ ଅଭିବୃଦ୍ଧିର ମୁଖ୍ୟ ବାହକ ହୋଇଛି। ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମାର୍ଦ୍ଧରେ, ସେବା ପାଇଁ ମୋଟ ମୂଲ୍ୟବୃଦ୍ଧି (ଜିଭିଏ) ୯.୩ ପ୍ରତିଶତ ବୃଦ୍ଧି ପାଇଛି, ଯାହା ସମଗ୍ର ଆର୍ଥିକ ବର୍ଷ ପାଇଁ ଆନୁମାନିକ ୯.୧ ପ୍ରତିଶତ ବଢିପାରିଛି। ସବୁଠୁ ବଡ଼ କଥା ହେଉଛି, ମୁଦ୍ରାସ୍ଫୀତିରେ ଉଲ୍ଲେଖନୀୟ ହ୍ରାସ ସହ ଚାହିଦା-ଆଧାରିତ ଅଭିବୃଦ୍ଧି ଦୃଢ଼ ହୋଇଛି। ଏହା ପ୍ରକୃତ କ୍ରୟଶକ୍ତିରେ ଉନ୍ନତି ଆଣିଛି। ମୁଖ୍ୟତଃ ପନିପରିବା ଓ ଡାଲି ମୂଲ୍ୟରେ ସଂଶୋଧନ, ଅନୁକୂଳ କୃଷି ପରିସ୍ଥିତି, ଯୋଗାଣ-ପାର୍ଶ୍ୱ ହସ୍ତକ୍ଷେପ ଏବଂ ଏକ ଦୃଢ଼ ମୂଳ ପ୍ରଭାବ କାରଣରୁ ସିପିଆଇ ମୁଦ୍ରାସ୍ଫୀତି ୧.୭ ପ୍ରତିଶତକୁ ହ୍ରାସ ପାଇଛି। ଜିଏସଟି ହ୍ରାସ ଫଳରେ ମୁଦ୍ରାସ୍ଫୀତି ମଧ୍ୟ .କୋହଳ ହୋଇଛି।
ଉତ୍ତମ ଅର୍ଥନୀତି କାରଣରୁ ଘରୋଇ ଚାହିଦା ଏବଂ ପୁଞ୍ଜି ଢାଞ୍ଚାରେ ପ୍ରଗତି ଘଟିଛି। ସ୍ଥିର ରାଜସ୍ୱ ସଂଗ୍ରହ ଏବଂ ପରିମାଣ ଆଧାରିତ ଖର୍ଚ୍ଚ ଯୁକ୍ତିସଂଗତ କରାଯିବା ଫଳରେ ଏଭଳି ସ୍ଥିତି ଆସିଛି। ଗତ କିଛି ବର୍ଷ ହେବ ମୋଟ ଟିକସ ରାଜସ୍ୱ ସଂଗ୍ରହ ସ୍ଥିର ଭାବେ ଅଗ୍ରଗତି କରିଛି, ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବଜେଟ୍ ବାର୍ଷିକ ଲକ୍ଷ୍ୟର ପ୍ରାୟ ୫୩ ପ୍ରତିଶତରେ ପହଞ୍ଚିଛି। କମ୍ ମୁଦ୍ରାସ୍ଫୀତି କାରଣରୁ ଏବଂ ଆମଦାନୀ ଅସ୍ଥିରତା ସତ୍ତ୍ୱେ ପରୋକ୍ଷ ଟିକସ ସଂଗ୍ରହ ମଧ୍ୟ ଦୃଢ଼ ରହିଛି। ମୋଟ ଜିଏସଟି ସଂଗ୍ରହ ବର୍ଷ ମଧ୍ୟରେ ଅନେକ ସର୍ବକାଳୀନ ଉଚ୍ଚ ରେକର୍ଡ କରିଛି। ବ୍ୟକ୍ତିଗତ ଆୟକର ଢାଞ୍ଚାର ପୁନର୍ଗଠନ ଓ ଜିଏସଟି ହାର ଯୁକ୍ତିସଂଗତ କରିବା ସମେତ ସାମ୍ପ୍ରତିକ ଟିକସ ନୀତି ସଂସ୍କାର, ସମ୍ପୂର୍ଣ୍ଣ ଅର୍ଥରେ ରାଜସ୍ୱ ବଜାୟ ରଖିବା ସହିତ ବ୍ୟବହାର ଚାହିଦାକୁ ସମର୍ଥନ କରିଛି। ପୁଞ୍ଜି ବ୍ୟୟ ବୃଦ୍ଧି ରେକର୍ଡ କରିଛି। ନଭେମ୍ବର ୨୦୨୫ ସୁଦ୍ଧା ବଜେଟ୍ ଆବଣ୍ଟନର ପ୍ରାୟ ୬୦ ପ୍ରତିଶତରେ ପହଞ୍ଚିଛି। ଏହା ସହିତ, ରାଜସ୍ୱ ବ୍ୟୟରେ ଅଭିବୃଦ୍ଧି ସୀମିତ ରହିଛି, ଯାହା ସାଧାରଣ ଖର୍ଚ୍ଚର ଗୁଣବତ୍ତା ବୃଦ୍ଧି କରୁଛି। କ୍ରେଡିଟ୍ ରେଟିଂ ଏଜେନ୍ସି, ଏସଏଣ୍ଡପି ରେଟିଂ, ଭାରତର ରେଟିଂକୁ ‘ବିବିବି ମାଇନସ’ରୁ ‘ବିବିବି’କୁ ଉନ୍ନତ କରିଛି। କେୟାର ଏଜ୍ ଗ୍ଲୋବାଲ ଭାରତକୁ ‘ବିବିବି+’ ରେଟିଂ ମଧ୍ୟ ପ୍ରଦାନ କରିଛି।
ଉଚ୍ଚ ସାର୍ବଜନୀନ ପୁଞ୍ଜି ବ୍ୟୟ ଏବଂ ଟିକସ ହ୍ରାସ ଦ୍ୱାରା ପ୍ରଦତ୍ତ ଆର୍ଥିକ ପ୍ରୋତ୍ସାହନ ସହିତ ଫେବୃଆରୀ ୨୦୨୫ଠାରୁ ନୀତି ରେପୋ ହାରରେ ୧୨୫ ବେସିସ୍ ପଏଣ୍ଟର କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି। ନଗଦ ସଂରକ୍ଷଣ ଅନୁପାତ ହ୍ରାସ (୨.୫ ଲକ୍ଷ କୋଟି), ଖୋଲା ବଜାର କାର୍ଯ୍ୟ ( ୬.୨୫ ଲକ୍ଷ କୋଟି) ଏବଂ ପ୍ରାୟ ୨୫ ବିଲିୟନ ଡଲାରର ବିଦେଶୀ ମୁଦ୍ରା ସ୍ୱାପ୍ ମାଧ୍ୟମରେ ସ୍ଥାୟୀ ନଗଦ ପୁଞ୍ଜି ପ୍ରଦାନ କରାଯାଇଥିଲା। ଏହି ପଦକ୍ଷେପଗୁଡ଼ିକୁ ବ୍ୟାଙ୍କିଂ ସିଷ୍ଟମକୁ ପ୍ରଭାବଶାଳୀ ଭାବରେ ସ୍ଥାନାନ୍ତରିତ କରାଯାଇଛି।
ଆର୍ଥିକ ସର୍ଭେରେ ଉଲ୍ଲେଖ କରାଯାଇଛି ଯେ ବିଶ୍ୱ ବାଣିଜ୍ୟ ଅନିଶ୍ଚିତତାର ପୃଷ୍ଠଭୂମିରେ, ଭାରତର ମୋଟ ରପ୍ତାନି(ପଣ୍ୟ ଏବଂ ସେବା) ଆର୍ଥିକ ବର୍ଷ ୨୦୨୪-୨୫ରେ ରେକର୍ଡ ୮୨୫.୩ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ଆର୍ଥିକ ବର୍ଷ ୨୦୨୫-୨୬ରେ ଏହି ଗତି ଜାରି ରହିଛି। ଆମେରିକା ଦ୍ୱାରା ଲଗାଯାଇଥିବା ଉଚ୍ଚ ଶୁଳ୍କ ସତ୍ତ୍ୱେ, ସାମଗ୍ରୀ ରପ୍ତାନି ୨.୪ ପ୍ରତିଶତ(ଏପ୍ରିଲ-ଡିସେମ୍ବର) ବୃଦ୍ଧି ପାଇଛି। ସେବା ରପ୍ତାନି ୬.୫ ପ୍ରତିଶତ ହାରରେ ବଢିଛି। ଏପ୍ରିଲ-ଡିସେମ୍ବର ୨୦୨୫ ପାଇଁ ସାମଗ୍ରୀ ଆମଦାନୀ ୫.୯ ପ୍ରତିଶତ ବୃଦ୍ଧି ପାଇଛି।
ଭାରତର ବାହ୍ୟ କ୍ଷେତ୍ର ମଧ୍ୟ ସ୍ଥିର ରହିଛି। ୧୬ ଜାନୁଆରୀ ୨୦୨୬ ସୁଦ୍ଧା ୧୧ ମାସରୁ ଅଧିକ ଆମଦାନୀ ଓ ସେପ୍ଟେମ୍ବର ୨୦୨୫ ଶେଷ ସୁଦ୍ଧା ବକେୟା ବାହ୍ୟ ଋଣର ପ୍ରାୟ ୩୪ ପ୍ରତିଶତକୁ ବିଦେଶୀ ଭଣ୍ଡାରରେ ଅନ୍ତର୍ଭୁକ୍ତ କରାଯାଇଛି। ବାହ୍ୟ କ୍ଷେତ୍ରରେ ଅର୍ଥବ୍ୟବସ୍ଥା ପାଇଁ ୨୦୨୫-୨୬ ଏକ ଅସାଧାରଣ ଆହ୍ବାନପୂର୍ଣ୍ଣ ବର୍ଷ ଥିଲା। ବିଶ୍ୱ ବାଣିଜ୍ୟରେ ବୃଦ୍ଧି ଅନିଶ୍ଚିତତା ଏବଂ ଉଚ୍ଚ ଜୋରିମାନା ଶୁଳ୍କ ଲାଗୁ ନିର୍ମାତାମାନଙ୍କ ପାଇଁ ବିଶେଷକରି ରପ୍ତାନିକାରୀଙ୍କ ପାଇଁ ଚାପ ସୃଷ୍ଟି କରିଥିଲା। ବ୍ୟବସାୟିକ ଆତ୍ମବିଶ୍ୱାସକୁ ପ୍ରଭାବିତ କରିଥିଲା। ସରକାର ଏହି ସଙ୍କଟକୁ ମୁକାବିଲା ପାଇଁ ଜିଏସଟିକୁ ଯୁକ୍ତି ସଂଗତ କରିବା ସହିତ ବିଭିନ୍ନ ନିୟମକୁ ନିୟନ୍ତ୍ରଣମୁକ୍ତ ଏବଂ ସରଳ କରିଥିଲେ। ତିନି ବର୍ଷ ଧରି ଆଲୋଚନା ପରେ ଭାରତ ୟୁରୋପୀୟ ସଂଘ ସହିତ ମୁକ୍ତ ବାଣିଜ୍ୟ ରାଜିନାମାରେ ସ୍ୱାକ୍ଷର କରିଛି। ଏହା ଅର୍ଥନୀତିକୁ ଅଧିକ ଗତି ଦେବା ସମ୍ଭାବନା ରହିଛି।
Comments ସମସ୍ତ ମତାମତ