ମୁଖ୍ୟ ଖବର
ନୂଆଦିଲ୍ଲୀ: ଚଳିତମାସ ୨୮ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ଜାନୁଆରୀ ୨୯ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଫେବୃଆରୀ ୧ ରବିବାର ପଡୁଥିବା ସତ୍ତ୍ବେ ଉକ୍ତ ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ ବୋଲି ଜଣାପଡିଛି। ବଜେଟ ଅଧିବେଶନ ଏପ୍ରିଲ ୨ ପର୍ୟ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ବଜେଟ ଅଧିବେଶନର ପ୍ରଥମ ପର୍ୟ୍ୟାୟ ଫେବୃଆରୀ ୧୩ ପର୍ୟ୍ୟନ୍ତ ଚାଲିବ। ମାର୍ଚ୍ଚ ୯ରୁ ଦ୍ବିତୀୟ ପର୍ୟ୍ୟାୟ ଆରମ୍ଭ ହୋଇ ଏପ୍ରିଲ ୨ରେ ଶେଷ ହେବ। ଚଳିତବର୍ଷ ଫେବୃଆରୀ ୧ ରବିବାର ପଡୁଥିବାରୁ ବଜେଟ ଉପସ୍ଥାପନ ହେବା ନେଇ ଦ୍ବନ୍ଦ୍ବ ଉପୁଜିଥିଲା।
ତେବେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପେର ରାଷ୍ଟ୍ରପତି ବଜେଟ ଅଧିବେଶନର ଉପରୋକ୍ତ କାର୍ୟ୍ୟସୂଚୀକୁ ଅନୁମୋଦନ କରିଥିବା ରିଜିଜୁ କହିଛନ୍ତି। ସୂଚନାଯୋଗ୍ୟ ଏହା ପୂର୍ବରୁ ୧୯୯୯ ଫେବୃଆରୀ ୨୮ ତାରିଖ ରବିବାର ଦିନ ହିଁ ବଜେଟ୍ ଉପସ୍ଥାପନ କରାଯାଇଥିଲା। ତତ୍କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ୧୯୯୯-୨୦୦୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ।
Comments ସମସ୍ତ ମତାମତ