Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭକ୍ତ ବିନା ଫିକା ପଡିଛି କଟକର ଏହି ନିଆରା ପାର୍ବଣ ପରମ୍ପରା

    Share on :
    ajab-Image
    Date: Oct 14, 2021    Views: 3306

    କଟକ : ମାଛଭୋଗ, ଦହିପଖାଳ, ସିନ୍ଦୂରଖେଳ, ପାଇକଆଖଡ଼ା, କୁମାରୀପୂଜା ଭଳି ପରମ୍ପରାକୁ ନେଇ କଟକର ପାର୍ବଣ ସ୍ୱତନ୍ତ୍ର । ସୁନା, ଚାନ୍ଦିର ମେଢ ସାଙ୍ଗକୁ ଏସବୁ ପୂଜା ପରମ୍ପରା କଟକର ଦଶହରାକୁ ଅଧିକ ଆକର୍ଷଣୀୟ କରିଥାଏ । ଯଦିଓ କରୋନା କଟକଣା ଯୋଗୁଁ କଟକ ଦଶହରା ଦୁଇ ବର୍ଷ ହେଲା ତାର ପୂର୍ବ ଚମକ ହରାଇଛି, କିନ୍ତୁ ଏସବୁ ସ୍ୱତନ୍ତ୍ର ପରଂପରା ପ୍ରତୀକାତ୍ମକ ଭାବେ ବିଭିନ୍ନ ପୂଜା ମଣ୍ଡପରେ ପାଳିତ ହେଉଛି ।
    ମାଛଭୋଗ
    କଟକ ଦଶହରାରେ ପୂଜା ମଣ୍ଡପରେ ମା’ଙ୍କ ପାଖରେ ମାଛଭୋଗ ହେବା ନୀତି ବହୁପ୍ରାଚୀନ କାଳରୁ ଚଳି ଆସିଛି । କଟକ ସହରର ଚାନ୍ଦିନୀଚୌକ ଦୁର୍ଗା ପୂଜାମଣ୍ଡପ, ଅଲିଶାବଜାର ପୂଜାମଣ୍ଡପ, ରାମଗଡ଼ କନିକାଛକ ପୂଜା ମଣ୍ଡପ, ସତୀଚୌରା ଜଗଜ୍ଜନନୀ ପରିବାର ପୂଜାମଣ୍ଡପରେ ମାଙ୍କ ମାଛଭୋଗ ଲାଗି ହୋଇ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯାଏ । ଚାନ୍ଦିନୀଚୌକରେ ଓ ଅଲିଶାବଜାରେ ନବମୀ ସଂଧ୍ୟାରେ, ରାମଗଡ଼ ପୂଜା ମଣ୍ଡପରେ ଅଷ୍ଟମୀ ରାତିରେ ଓ ଜଗଜ୍ଜନନୀ ପରିବାର ପୂଜାମଣ୍ଡପରେ ନବମୀ ରାତିରେ ମାଛଭୋଗ ଲାଗି ନୀତି ହୁଏ । ଚାନ୍ଦିନୀଚୌକରେ କେବଳ ୫କ୍ୱିଣ୍ଟାଲ ମାଛଭୋଗ କରାଯାଇ ମାଟିଘଡ଼ି ଓ ସରାରେ ସାହି, ବଜାର ଆଦିରେ ବଣ୍ଟନ କରାଯାଏ । ସେହିପରି ରାମଗଡ଼ କନିକାଛକ ପୂଜା ମଣ୍ଡପରେ ଏକ ହଜାର ଲୋକଙ୍କ ପାଇଁ, ଅଲିଶାବଜାର ପୂଜା ମଣ୍ଡପରେ ୩ହଜାରରୁ ଅଧିକ ଲୋକଙ୍କ ପାଇଁ, ଜଗଜ୍ଜନନୀ ପରିବାର ମଣ୍ଡପରେ ୫ଶହ ଲେକାଙ୍କ ମାଛଭୋଗ ହୋଇଥାଏ । କିନ୍ତୁ କରୋନା ପାଇଁ ଗତବର୍ଷ ଠାରୁ ଏଥିରେ ଅଙ୍କୁଶ ଲାଗିଛି । ଏସବୁ ମଣ୍ଡପରେ କେବଳ ବିଧି ରକ୍ଷା ପାଇଁ ଅଳ୍ପ ପରିମାଣର ମାଛ ଭୋଗ ମା’ଙ୍କ ପାଖରେ ଲାଗି ହେଉଛି । ଜଗଜ୍ଜନନୀ ପରିବାର ସଭାପତି ସରୋଜ ସିଂହ କହିବା ଅନୁସାରେ, ମାଛ ଭୋଗ କରାଯାଇ ଶ୍ରଦ୍ଧାଳୁ ଓ କର୍ମକର୍ତ୍ତାଙ୍କ ଘରକୁ ପଠାଇ ଦିଆଯାଉଛି । ଚାନ୍ଦିନୀଚୌକ ପୂଜା କମିଟି ସଂପାଦକ ବିଜୟ କୁମାର ବେହେରା ଓ ରାମଗଡ଼ କନିକା ଛକ ପୂଜା କମିଟି ସଂପାଦକ ଆଇନଜୀବୀ ବିଜୟ କୁମାର ଦାଶ କହିବା ଅନୁସାରେ କେବଳ ନୀତି ପାଇଁ ଅଳ୍ପ କିଛି ମାଛ ଭୋଗ କରାଯାଉଛି ।
    ସିନ୍ଦୂରଖେଳ
    ସହରର ବହୁ ପୂଜା ମଣ୍ଡପରେ ସିନ୍ଦୂର ଖେଳ ପରମ୍ପରା ରହିଛି । ଦଶମୀ ଦିନ ମା’ଙ୍କ ବିସର୍ଜନ ପରେ ସଧବା ମହିଳାମାନେ ମା’ଙ୍କ ସହ ମଣ୍ଡପରେ ସିନ୍ଦୂର ଖେଳ ଖେଳନ୍ତି । କାଜିବଜାର, କାଜିବଜାର ଆଦିପୀଠ, ରାଉସାପାଟଣା, ବିନୋଦବିହାରୀ ବାଲୁବଜାର ଆଦି ଅନେକ ପୂଜା ମଣ୍ଡପରେ ଶତାଧିକ ମହିଳା ସିନ୍ଦୂର ଖେଳରେ ଅଂଶଗ୍ରହଣ କରନ୍ତି । ପୂଜା କମିଟି ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ଏବେ ମଣ୍ଡପରେ ୭ଜଣ ରହିବା, ମହିଳାଙ୍କୁ ଦର୍ଶନ ମନା କଟକଣା ପାଇଁ ୨୦୨୦ ଓ ୨୦୨୧ରେ ଏହି ପରମ୍ପରା ସଂପୂର୍ଣ୍ଣ ବନ୍ଦ ରହିଛି । ଏପରିକି ନୀତି ବି ସଂପାଦିତ ହେଉନାହିଁ ।
    ଦହିପଖାଳ, ଶାଗଭଜା
    ଦଶହରାରେ ଦହିପଖାଳ, ଶାଗଭଜା, ଛଙ୍କା ତରକାରୀ, ଚୋପି ତରକାରୀ ଭୋଗ କରାଯିବାର ସ୍ୱତନ୍ତ୍ର ବିଧି ରହିଛି । ସବୁ ମଣ୍ଡପରେ ଦହିପଖାଳ ଭୋଗ ଲାଗି ହୋଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ । କିଛି ମଣ୍ଡପରେ ନବମୀ ତିଥିରେ ତ ଆଉ କିଛି ମଣ୍ଡପରେ ଦଶମୀ ତିଥିରେ ଦହିପଖାଳ ଭୋଗ ଲାଗି ହୁଏ । ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ଦହିପଖାଳ-ଶାଗଭଜା, ଚୌଧୁରୀବଜାର ପୂଜାମଣ୍ଡପରେ ଦହିପଖାଳ-ଚୋପି ତରକାରୀ କରାଯାଉଥିବା ବେଳେ ଆଉ କିଛି ମଣ୍ଡପରେ କ୍ଷୀରି ଭୋଗ କରାଯାଏ । କିନ୍ତୁ ଏବେ ଏସବୁ କେବଳ ନୀତି ପାଇଁ କରାଯାଉଛି । ଅର୍ଥାତ ଅଳ୍ପ ପରିମାଣରେ କେବଳ ମାଙ୍କ ନୀତି ପାଇଁ କରାଯାଉଛି । ସେହିପରି କଟକ ପାର୍ବଣରେ ଅନେକ ମଣ୍ଡପରେ ପାରମ୍ପରିକ ପାଇକ ଆଖଡା ପ୍ରଦର୍ଶନ କରାଯିବାର ନଜିର ରହିଛି । କିନ୍ତୁ ତାହା ବି ବନ୍ଦ କରାଯାଇଛି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook