Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଫାଇଲ ହଜିବା ଘଟଣା: ପାଣ୍ଡିଆନଙ୍କୁ ନୋଟିସ୍

    Share on :
    ajab-Image
    Date: Jul 22, 2026    Views: 2773

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଆକ୍ସନ। ପ୍ରଥମଥର ପାଇଁ ବିଜେଡି ସର୍ବେସର୍ବା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ନୋଟିସ୍ ଜାରି କରି ହାଜର ପାଇଁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୁଲିସ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ଫାଇଲ ଗାଏବ ହେବା ଘଟଣାରେ ଏହି ପଦକ୍ଷେପ ନିଅଯାଇଥିବା ଜଣାପଡ଼ିଛି । ପୂର୍ବରୁ ବିଜେଡି ସରକାରର ପ୍ରଭାବଶାଳୀ ଅଫିସର ତଥା ପୂର୍ବତନ ଓଏସଡି ମନୋଜ କୁମାର ମିଶ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତତକାଳୀନ ପ୍ରମୁଖ ସଚିବ ରାଜେଶ କୁମାର ବର୍ମାଙ୍କୁ ନୋଟିସ୍ ଜାରି ହୋଇଥିଲା ଓ ଶ୍ରୀ ମିଶ୍ର ପୁଲିସ ନିକଟରେ ହାଜର ହୋଇ ପକ୍ଷ ରଖିସାରିଛନ୍ତି।

    ସୂଚନା ଅନୁସାରେ, ଭୁବନେଶ୍ୱରର କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ଶ୍ରୀ ପାଣ୍ଡିଆନଙ୍କୁ ସମନ ଜାରି କରି ଚଳିତମାସ ୨୫ ତାରିଖ ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ୟୁପିଡି ଅଧୀନସ୍ଥ ଏସିପି ଜୋନ୍‌-୧ କାର୍ଯ୍ୟାଳୟରେ ହାଜର ହେବା ପାଇଁ ଏହି ନୋଟିସରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀ ପାଣ୍ଡିଆନଙ୍କୁ କ୍ୟାପିଟାଲ ଥାନାର ଅତିରିକ୍ତ ଆଇଆଇସି ତଥା ତଦନ୍ତକାରୀ ଅଫିସର ବିପନ ବିହାରୀ ହୋତା ଏହି ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ପକ୍ଷରୁ କୁହାଯାଇଛି ଯେ, କ୍ୟାପିଟାଲ ଥାନାରେ ଗତ ଜୁନ ୧୦ ତାରିଖରେ ରୁଜୁ ହୋଇଥିବା ମାମଲାର ତଦନ୍ତ ସଂକ୍ରାନ୍ତରେ ଏହି ନୋଟିସ ପଠାଇଛି।

    ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଏହି ମାମଲା ସମ୍ବନ୍ଧୀୟ ଯେକୌଣସି ଦଲିଲ, ରେକର୍ଡ, ଇଲେକ୍ଟ୍ରୋନିକ୍ସ ଉପକରଣ କିମ୍ବା ଅନ୍ୟାନ୍ୟ ପ୍ରାସଙ୍ଗିକ ସାମଗ୍ରୀ ଯାହା ନିଜ ପାଖରେ ଥିବ, ତାହା ସାଙ୍ଗରେ ଆଣିବାକୁ ପୁଲିସ ନୋଟିସରେ ସ୍ପଷ୍ଟ ଭାବରେ ଦର୍ଶାଇଛି। ଏହି ନୋଟିସଟି ଜୁଲାଇ ୨୨ତାରିଖରେ ତାଙ୍କ ପଲାସପଲ୍ଲୀ ବାସଭବନ ଠିକଣାରେ ଜାରି କରାଯାଇଛି। 
    ପାଣ୍ଡିଆନ  ୨୦୧୧ ମଇ ମାସରୁ ୨୦୨୩ ଅକ୍ଟୋବର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଓ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଚିତ। ତାଙ୍କୁ ନୋଟିସ୍ କରାଯିବା ପରେ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

    Maximum 500 characters

    ତାଜା ଖବର View all

    Find Us on Facebook