Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଞ୍ଚାୟତ ନିର୍ବାଚନ: ତିନି ଦଳର ଜୋରଦାର୍‌ କସରତ

    Share on :
    ajab-Image
    Date: Oct 5, 2026    Views: 2291

    ଭୁବନେଶ୍ୱର,: ଆଗକୁ ଆସୁଛି  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏ ନେଇ  ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନଥିଲେ  ମଧ୍ୟ ସବୁ ରାଜ୍ୟ ରାଜନୀତି ବେଶ୍‌ ସରଗରମ  ହୋଇପଡ଼ିଛି । ପଞ୍ଚାୟତ ନିର୍ବାଚନରେ ବାଜିମାତ୍‌  କରିବାକୁ ଶାସକ ବିଜେପିଠୁ ଆରମ୍ଭ କରି ମୁଖ୍ୟ  ବିରୋଧୀ ଦଳ ବିଜେଡି ଓ ଜାତୀୟ ଦଳ କଂଗ୍ରେସ  ଜୋରଦାର କସରତ ଆରମ୍ଭ କରିଛନ୍ତି । ଯେମିତି  ହେଉ ନିର୍ବାଚନ ଜିତିବାକୁ ଏବେଠୁ ରଣନୀତି  ପ୍ରସ୍ତୁତ କରିବାରେ ମାତିଲେଣି । କିଏ ଶୋଭାଯାତ୍ରା  କଲାଣି ତ କିଏ ସମାବେଶ । କେଉଁ ଦଳ ଅଧିକ  ପଞ୍ଚାୟତ ଦଖଲ କରିବ, ସେ ନେଇ ପ୍ରତିଦିନ  ଘନ ଘନ ବୈଠକ କରିବା ସହିତ ତର୍ଜମା  ଆରମ୍ଭ କଲେଣି । ଦଳୀୟ କାର୍ଯ୍ୟାଳୟଗୁଡ଼ିକରେ  ଏବେଠୁ ଗହଳି ଦେଖିବାକୁ ମିଳିଲାଣି ।  

    ଦ୍ୱିତୀୟ ଥର ବିଜେପି ରାଜ୍ୟ ପ୍ରଭାରୀ ଭାବେ  ନିଯୁକ୍ତ ହୋଇଥିବା ଡି.ପୁରନ୍ଦେଶ୍ୱରୀ ଶନିବାର  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି  ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ  ମନ୍ତ୍ରିମଣ୍ଡଳର ସଦସ୍ୟଗଣ ଓ ଦଳର କର୍ମୀମାନଙ୍କୁ  ଭେଟିଛନ୍ତି । ଦଳକୁ ଆଗକୁ କେମିତି ମଜଭୁତ  କରାଯିବ ସେ ନେଇ ଆଲୋଚନା ହୋଇଥିବା  ସୂଚନା ଦେଇଛନ୍ତି । ତାଙ୍କ ଗସ୍ତ ବେଳେ ରାଜ୍ୟ  ବିଜେପି ପଞ୍ଚାୟତ ନିର୍ବାଚନ ଜିତିବାକୁ ଖସଡ଼ା  ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ଦଳର  ନେତାଙ୍କ ମନୋଭାବ କିପରି ରହିଛି ତା’ ଉପରେ  ପ୍ରଭାରୀ ଆଲୋଚନା କରିଥିବା କହିଛନ୍ତି । ଦଳ  କେମିତି ଆଗକୁ ଯିବ ତା ଉପରେ ବିଶେଷ  ଗୁରୁତ୍ୱ ଦିଆଯାଉଥିବା ପୁରନ୍ଦେଶ୍ୱରୀ କହିଛନ୍ତି ।

    ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି  ଯେ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ସବୁବେଳେ  ପ୍ରସ୍ତୁତ । କାରଣ ଆମ ଦଳ ସବୁବେଳେ ଗ୍ରାଉଣ୍ଡରେ  ରହେ । ଲୋକଙ୍କ ସେବାରେ ଆମେ ଅଛୁ । ପଞ୍ଚାୟତ  ନିର୍ବାଚନ ଆସିଲେ ସବୁ ସ୍ପଷ୍ଟ ହେବ । ବିଜେପିର  ପ୍ରଭାରୀ ବୈଠକରେ ସହଜ ସ୍ଥିତି ନ ଥିବା କହିଛନ୍ତି  ଶ୍ରୀ ଦାସ । ବିଜେପି ନିଜେ ଆତଙ୍କିତ ଅଛି । ଜେନ୍‌-ଜି କାହା ସପକ୍ଷରେ ଅଛନ୍ତି ବିଜେପିକୁ  ବୁଝେଇବାକୁ ପଡ଼ିବନି । ଜେନ୍‌-ଜିଙ୍କୁ ମନେଇବା ଚେଷ୍ଟା କାମ ଦେବନି ବୋଲି ସେ କହିଛନ୍ତି ।  
    ଅପରପକ୍ଷେ ବରିଷ୍ଠ କଂଗ୍ରେସ ନେତା ତଥା  ପୂର୍ବତନ ପିସିସି ସଭାପତି ଜୟଦେବ ଜେନା  କହିଛନ୍ତି, ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ  ପ୍ରସ୍ତୁତ । ସବୁ ରାଜନୈତିକ ଦଳ ନିଜ ନିଜ କାମ  କରୁଛନ୍ତି । ବିଜେପି ତଳକୁ ଖସୁଛି । ଅଢେଇ ବର୍ଷ  ଭିତରେ କିଛି କାମ କରିନାହାନ୍ତି । ତାଙ୍କ ପରିସ୍ଥିତି  ଭଲ ନାହିଁ । ବିଜେଡି ଏବେ ନିର୍ବାଚନ ଲଢ଼ିବା ପରିସ୍ଥିତିରେ ନାହିଁ । ଲୋକେ ତାଙ୍କୁ ଚାହୁଁନାହାନ୍ତି ।  ଏପଟେ ରାଜ୍ୟରେ କଂଗ୍ରେସର ଗ୍ରହଣୀୟତା ବଢିଛି ।  ଦଳର ସବୁ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ  ଆସୁଛନ୍ତି । ବର୍ତ୍ତମାନ ସବୁ ପ୍ରସଙ୍ଗରେ କଂଗ୍ରେସ  ଲୋକଙ୍କ ସ୍ୱର ପାଲଟିଛି । ଆସନ୍ତା ପଞ୍ଚୟତ  ନିର୍ବାଚନରେ କଂଗ୍ରେସ ହିଁ ଜିତିବ । ଡବଲ ଇଞ୍ଜିନ  ବିରୋଧରେ ଜେନ୍‌ ଜି ଲଢେଇ କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ସହ ଜେନ୍‌ ଜି ଅଛନ୍ତି । ନିର୍ବାଚନରେ  ଏମ୍‌ଏମ୍‌ଡିଆର୍‌ ଆଇନ ପ୍ରତ୍ୟାହାରକୁ ନେଇ ମୁଖ୍ୟ  ପ୍ରସଙ୍ଗ କରାଯିବ ବୋଲି ଜୟଦେବ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook