Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପଞ୍ଚାୟତ ନିର୍ବାଚନ : ରଣନୀତି ପ୍ରସ୍ତୁତ କରୁଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ

    Share on :
    ajab-Image
    Date: Jan 31, 2026    Views: 3083

    ଭୁବନେଶ୍ୱର:  ଗାଁ ଗାଁରେ କାହାର ସଙ୍ଗଠନ କେତେ ସୁଦୃଢ? ତୃଣମୂଳସ୍ତରର ଲୋକ କେଉଁ ଦଳ ସହ ଆଗକୁ ବଢିବେ। ଏହାର ସଂକେତ ଦେବ ପଞ୍ଚାୟତ ନିର୍ବାଚନ। ତେଣୁ ୩ ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନରେ ଦମଦାର ପ୍ରଦର୍ଶନ ପାଇଁ ଏବେଠୁ କଷିଲେଣି ଅଙ୍କ । ତୁହାକୁ ତୁହା ବୈଠକ ଓ ଆଲୋଚନା ଭିତରେ ପଞ୍ଚାୟତ ଦଖଲ ପାଇଁ ଚାଲିଛି ପ୍ରସ୍ତୁତି ।
    ତୃଣମୂଳସ୍ତରରେ ସବୁ ଦଳର ସଂଗଠନ ଅସଜଡା ଅବସ୍ଥାରେ ଥିବାବେଳେ, ପଂଚାୟତ ପରୀକ୍ଷା ପାଇଁ ରିଭିଜନ ଆରମ୍ଭ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ।  କାରଣ ଆଗାମୀ ପଞ୍ଚାୟତ ନିର୍ବାଚନ ହେଉଛି ସମ୍ମାନର ଲଢେଇ। ୨୦୨୯ ଫାଇନାଲ ପୂର୍ବରୁ ସେମିଫାଇନାଲ ମୁକାବିଲା ମୈଦାନ ସାଜିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ସେମିଫାଇନାଲରେ ଦମଦାର ପ୍ରଦର୍ଶନ ପାଇଁ ବର୍ଷେ ପୂର୍ବରୁ ଶାସକ ବିଜେପିର କବାଟକିଳା ବୈଠକ। ଛାମୁଆ କର୍ମୀଙ୍କୁ ପଞ୍ଚାୟତ ପରୀକ୍ଷା ପାଇଁ ମନ୍ତ୍ର ଦେଇଛନ୍ତି ମୋହନ ଓ ମନମୋହନ। ଏବେଠୁ ପ୍ରସ୍ତୁତ ନହେଲେ କଥା ସରିଲା। ପଞ୍ଚାୟତ ପରୀକ୍ଷାରେ ଫେଲ୍ ହେଲେ ଦଳର ସାଙ୍ଗଠନିକ ଦୁର୍ବଳତା ପଦାରେ ପଡିବା ସହ ଲୋକଙ୍କ ସରକାର ଲୋକପ୍ରିୟ ନଥିବାର ବାର୍ତ୍ତା ଯିବ। ତେଣୁ ଏଭଳି ସାର୍ଟିଫିକେଟ ନେଇ ସାଧାରଣ ନିର୍ବାଚନକୁ ଓହ୍ଲାଇବାକୁ ଚାହିଁବନି ଦଳ। ତେଣୁ ବିଧାୟକ ଓ ସାଂସଦଙ୍କୁ ପଞ୍ଚାୟତ ଦାୟିତ୍ବ ବଣ୍ଟାଯାଇଛି। ପ୍ରାର୍ଥୀ ଚୟନ ନେଇ ଦଳୀୟ ସ୍ତରରେ କସରତ ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ଆସନକୁ ଟାର୍ଗେଟ୍‌ କରିଛି ଦଳ।  
     ଶାସକ ବିଜେପିର ସଜବାଜ ଭିତରେ ବିରୋଧୀ ବିଜେଡି ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ପାଗ ଭିଡ଼ିଛି। ଦଳର ସୁପ୍ରିମୋ ପାଳି ପାଳି କରି ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଡାକି ସଙ୍ଗଠନକୁ ସୁଦୃଢ କରିବାକୁ ରଣନୀତି କରୁଛନ୍ତି।  ବିଜେଡିର ଭୟ, ଏବେଠୁ ସଙ୍ଗଠନକୁ ନ ସଜାଡ଼ିଲେ ପାରମ୍ପରିକ ଗଡ଼ ଭୁଶୁଡ଼ିଯିବ। ଦଳୀୟ ନେତାଙ୍କ ମଧ୍ୟରେ ଫାଟକୁ ଯୋଡିବାକୁ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅଗ୍ନିପରୀକ୍ଷା ଠାରୁ କମ ହେବନି। ସେହିଭଳି ଜିଲ୍ଲାୱାରୀ ବୁଲି କଂଗ୍ରେସର ସଂଗଠନକୁ ସଜାଡିବାକୁ ଉଦ୍ୟମ ଚଳାଇଛନ୍ତି ପିସିସି ମୁଖିଆ। ସାଧାରଣ ନିର୍ବାଚନ ଓ ନୂଆପଡା ଉପ-ନିର୍ବାଚନରେ ପରାଜୟ ପରେ ପଞ୍ଚାୟତ ପରୀକ୍ଷାରେ ପାସ୍ ହେବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ।ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ଅସଲ ଲଢେଇ। ତୃଣମୂଳସ୍ତରରେ କାହାର ଦବଦବା ରହିଛି ତାହାର ପ୍ରମାଣପତ୍ର ସାଜିବ ପଞ୍ଚାୟତ ପରୀକ୍ଷା।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook