Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

pana sankranti

ମୁଖ୍ୟ ଖବର

    ପଣା ସଂକ୍ରାନ୍ତିର ମୁଖ୍ୟ ଆକର୍ଷଣ ଦଣ୍ଡନାଚ

    Share on :
    ajab-Image
    Date: Apr 9, 2023    Views: 2882

    ଭୁବନେଶ୍ୱର: ମହା ବିଷୁବ ସଂକ୍ରାନ୍ତିକୁ ଓଡିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ । ଏହା ଭାରତର ପୂର୍ବ ରାଜ୍ୟରେ ମେଶ ସଂକ୍ରାନ୍ତି ଏବଂ ପଣା ସଂକ୍ରାନ୍ତି ଭାବରେ ମଧ୍ୟ ଜଣାଶୁଣା । ପଣା ସଂକ୍ରାନ୍ତିର ମୁଖ୍ୟ ଆକର୍ଷଣ ସାଜିଥାଏ ଦଣ୍ଡନାଚ । ଦଣ୍ଡନାଚରେ ପ୍ରଭା, ନାଗ, ଫାସ, ଦଣ୍ଡ, ଗୌରୀବେତ, ମୟୂରଚନ୍ଦ୍ରିକା, ଚମ୍ପାବର, ଗୁଆ, କଷାୟବସ୍ତ୍ର, ପତାକା ଏବଂ ବେତ ଏକାନ୍ତ ଆବଶ୍ୟକ  । ଗୌରୀବେତରେ ସ୍ୱୟଂ ଶିବ ବିରାଜମାନ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ  । ଏହି ପର୍ବ ପ୍ରାଚୀନ ଇତିହାସରୁ ଓଡ଼ିଶାରେ ଚଳି ଆସୁଛି ଏବଂ ଓଡ଼ିଶା ବାସୀଙ୍କର ନୂଆ ବର୍ଷ ଦିନ ଅର୍ଥାତ୍‌ ମହାବିଷୁବ ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଦିନ ଏହା ଉଦଯାପିତ ହୁଏ  । ଦଣ୍ଡନାଚରେ ଉଭୟ ଭଗବାନ ଶିବ ଓ ମା କାଳୀଙ୍କୁ ଉପାସନା କରାଯାଏ । ଏହା ବୈଶାଖ ମାସରେ ଆରମ୍ଭ ହୋଇ ୧୩ ଦିନ ପର୍ଯ୍ୟନ୍ତ ପାଳନ ହୁଏ  । ୧୩ ଦିନ ଶେଷର ଦିନକୁ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି କୁହାଯାଏ  ।

    ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ  । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ । ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ । ଏହି ନୃତ୍ୟ ଧର୍ମିକ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ  । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ  । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକଗୁଡ଼ିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ  । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର, ବୌଦ୍ଧ ନିକାୟ, ପାଣିନି, କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଟକ ସମ୍ପର୍କରେ ସଂକେତ ମିଳିଥାଏ  । ଲୋକନାଟକ ଗୁଡିକର ମୂଳଲକ୍ଷ ହେଉଛି ଶିକ୍ଷା ପ୍ରଦାନ  । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ  । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ  । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ, ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି  । ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ହେଲା  । ସେଗୁଡିକ ହେଲା : ପ୍ରକୃତି ପ୍ରଭାବ, ଧର୍ମ ଟିନ୍ତନ, କୃଷି ସଭ୍ୟତା, ସାମରିକ ପରମ୍ପରା, କାରୁକଳା, ଆଦିବାସୀ ଓ ଓଡଶୀ ନୃତ୍ୟ  ।

    ବୈଦିକ ଯୁଗରେ ଲୋକ ନାଟକର ସୃଷ୍ଟି ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ ମୁମୂର୍ଷ ଅବସ୍ଥାରେ କେବଳ ବଞ୍ଚିରହିଛନ୍ତି  । ଏଗୁଡିକର ପୁନଃ ଉଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ୱ ଚଳଚଞ୍ଚଳ ହୋଇପଡ଼ିଛି  । ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ  । ଚୀନ, ଆମେରିକା, ଲୋହିତ ଭାରତୀୟ, ଆଫ୍ରିକାର ଆଦିବାସୀ, ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ  । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା  ।

    Maximum 500 characters

    pana sankranti View all

    Find Us on Facebook