ମୁଖ୍ୟ ଖବର
ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ଲାଗି ଆମେରିକା ମଧ୍ୟସ୍ଥତା କରିବାକୁ ଚାହୁଁଥିଲା। କିନ୍ତୁ ଭାରତ ଏହାକୁ ବାରମ୍ବାର ଦୃଢ଼ ଭାବେ ଖାରଜ କରିଥିଲା। ଏହା ଦ୍ଵିପାକ୍ଷିକ ସମସ୍ୟା। କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ଭାରତ ଚାହୁଁନାହିଁ ବୋଲି କହିଥିଲା। ଏହା ସ୍ଵୀକାର କରିଛନ୍ତି ପାକିସ୍ତାନୀ ବିଦେଶ ମନ୍ତ୍ରୀ ଇଶାକ୍ ଦାର।
ଦାର କହିଛନ୍ତି, ଅପରେସନ ସିନ୍ଦୂର ପରେ ଭାରତ ନିଃସର୍ତ୍ତ ଭାବରେ ଦୁଇ ଦେଶ ମଧ୍ୟରେ ଆଲୋଚନାରେ ୩ୟ ପକ୍ଷର ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କରିଆସିଛି। ଏହା ଦ୍ଵିପାକ୍ଷିକ ସମସ୍ୟା ହୋଇଥିବାରୁ ଭାରତ ଆମେରିକାର ପ୍ରସ୍ତାବକୁ ଖାରଜ କରିଥିଲା। ଦୁଇ ଦେଶ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ। ସେ ଗତ ଜୁଲାଇ ୨୫ରେ ଓ୍ବାଶିଂଟନ ଯାଇଥିଲେ। ସେଠାରେ ଆମେରିକାର ବୈଦେଶିକ ସଚିବ ମାର୍କ ରୁବିଓଙ୍କ ସହିତ ତାଙ୍କର ବୈଠକ ହୋଇଥିଲା। ସେ ରୁବିଓଙ୍କୁ ଭାରତ-ପାକ୍ ଆଲୋଚନା ସମ୍ପର୍କରେ ପଚାରିଥିଲେ। ଟ୍ରମ୍ପଙ୍କ ମଧ୍ୟସ୍ଥତା ବିଷୟରେ ବି ପଚାରିଥିଲେ। ମାତ୍ର ରୁବିଓ କହିଥିଲେ ଯେ, ଭାରତ କହିଲା ଏହା ଦ୍ଵିପାକ୍ଷିକ ସମସ୍ୟା। ଏଥିରେ କୌଣସି ୩ୟ ପକ୍ଷର ମଧ୍ୟସ୍ଥତାକୁ ଭାରତ ଗ୍ରହଣ କରିବ ନାହିଁ। ଅଲ ଜଜୀରାକୁ ସାକ୍ଷାତକାର ଦେବା ସମୟରେ ଦାର୍ ଏହା ସ୍ଵୀକାର କରିଛନ୍ତି।
ଦାର କହିଛନ୍ତି, ଆମେ ଭାରତ ସହ ଆଲୋଚନା କରିବାକୁ ଚାହୁଁଛୁ। କିନ୍ତୁ ଭାରତ ଶୁଣୁନାହିଁ। ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଇଣ୍ଡି ମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବା ସହିତ ୩ୟ ପକ୍ଷ ମଧ୍ୟସ୍ଥତା ଯୋଗୁ ଯୁଦ୍ଧ ବିରତି ହୋଇଥିବା କହିଥିଲେ। ପାକ୍ ବିଦେଶ ମନ୍ତ୍ରୀଙ୍କ ମନ୍ତବ୍ୟ ବିରୋଧୀଙ୍କ ଅପପ୍ରଚାରର ପର୍ଦ୍ଦାଫାଶ କରିଛି ବୋଲି କୁହାଯାଉଛି।
Comments ସମସ୍ତ ମତାମତ