ମୁଖ୍ୟ ଖବର
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ (ଓମଫେଡ) ଆର୍ଥିକ ବର୍ଷ ୨୦୨୫-୨୬ରେ ରେକର୍ଡ ୧୦୩୬.୮୨ କୋଟି ଟଙ୍କାର କାରବାର କରିବା ସହ ୧୦.୨୩ କୋଟି ଟଙ୍କାର ନିଟ୍ ଲାଭ କରିଛି। ଓମଫେଡ ମୁଖ୍ୟ କାର୍ୟ୍ୟାଳୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି।
ମନ୍ତ୍ରୀ କମ୍ପାନିର ବିଭିନ୍ନ କାର୍ୟ୍ୟକ୍ରମ ଓ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ପଚାରିଥିଲେ। ଦୁଗ୍ଧ ସମବାୟ ସମିତି, ବିଭିନ୍ନ ପ୍ଲାଣ୍ଟ୍ ଓ ଭିତ୍ତିଭୂମି ଉନ୍ନତିକରଣରେ ରହିଥିବା ସମସ୍ୟାଗୁଡ଼ିକୁ ଶୀଘ୍ର ସମାଧାନ କରିବାକୁ କହିଥିଲେ। ବିଭାଗୀୟ ସଚିବ ପ୍ରେମଚନ୍ଦ୍ର ଚୌଧରୀ କହିଥିଲେ ଯେ ସୋନପୁରଠାରେ ୫୦ହଜାର ଲିଟର ଓ ଟାଙ୍ଗୀରେ ୩୦ ହଜାର ଲିଟର କ୍ଷମତାର ନୂଆ ଡେରି ସ୍ଥାପନ କରାଯାଇଛି। ଗତ ଦୁଇ ବର୍ଷରେ ୧୦୬୧ଟି ନୂଆ ଦୁଗ୍ଧ ସମବାୟ ସମିତି ପଞ୍ଜୀକରଣ କରାଯାଇଛି। ଓମଫେଡ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ୨୦୩୦ ସୁଦ୍ଧା ୩.୨୮ ଲକ୍ଷ ଦୁଗ୍ଧ ଚାଷୀଙ୍କ ଆର୍ଥିକ ସମୃଦ୍ଧି ନିଶ୍ଚିତ କରିବା ଓ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନରେ ଆମନିର୍ଭରଶୀଳ ହେବା ପାଇଁ ରହିଥିବା ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ।ବୈଠକରେ ଓମଫେଡ ସଭାପତି କିଶୋରଚନ୍ଦ୍ର ପ୍ରଧାନୀ, ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘର କର୍ମକର୍ତ୍ତା, ବିଭିନ୍ନ ମିଲ୍କ ୟୁନିୟନର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ କାମଧେନୁ ଯୋଜନା ଅଧୀନରେ ୨୧ଟି ନୂଆ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଖୋଲାଯାଇଛି। ୪୪୫୫ ଦୁଗ୍ଧ ସମବାୟ ସମିତି ଜରିଆରେ ୩.୨୪ ଲକ୍ଷ ଚାଷୀଙ୍କଠାରୁ ଦୈନିକ ୬.୭୦ ଲ୪ ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି। ବିଭିନ୍ନ ବ୍ଲକ୍ରେ ୧୬୦ଟି ଧୀରଧାର କେନ୍ଦ୍ର ଖୋଲାଯାଇଛି।
Comments ସମସ୍ତ ମତାମତ