Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଓଡ଼ିଶା ଟି୨୦ ଲିଗ୍‌: ସମ୍ବଲପୁରକୁ ହରାଇ କେନ୍ଦୁଝର ମାଇନର୍ସ ଚାମ୍ପିଅନ୍

    Share on :
    ajab-Image
    Date: Oct 1, 2026    Views: 2950

    କଟକ: ବାରବାଟୀ ଷ୍ଟାଡିୟମ୍‌ରେ ବୁଧବାର ଭାରତ ମସଲା ଓଡ଼ିଶା ଟି୨୦ ଲିଗ୍‌ ସିଏମ୍‌ ଟ୍ରଫିର ଫାଇନାଲ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସମ୍ବଲପୁର ୱାରିୟର୍ସକୁ ୯ ୱିକେଟ୍‌ରେ ପରାସ୍ତ କରି କେନ୍ଦୁଝର ମାଇନର୍ସ ଚାମ୍ପିଅନ୍‌ ହୋଇଛି। ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି କେନ୍ଦୁଝର ଦଳ ଫାଇନାଲ୍‌ରେ ଏକତରଫା ବିଜୟ ସାବ୍ୟସ୍ତ କରିଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ଦଳ ଯେଉଁଭଳି ଭାବେ ଏହି ଦଳ କମ୍‌ବ୍ୟାକ୍‌ କରି ଟ୍ରଫି ହାସଲ କରିଛି, ତାହା ଦଳର ପ୍ରୟାସକୁ ସ୍ମରଣୀୟ କରି ରଖିବ।
    ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ସମ୍ବଲପୁର ୱାରିୟର୍ସ ୧୮.୩ ଓଭରରେ ମାତ୍ର ୧୦୨ ରନ୍‌ରେ ଅଲ୍‌ଆଉଟ୍‌‌ ହୋଇଯାଇଥିଲା। କେନ୍ଦୁଝର ବୋଲରଙ୍କ ଶାଣିତ ବୋଲିଂ ଆଗରେ ସମ୍ବଲପୁର ବ୍ୟାଟର୍‌ମାନେ ଗୋଟିଏ ପଟେ ନିୟମିତ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲେ। ଗୋଟିଏ ସମୟରେ ଦଳ ୫୫ ରନ୍‌ରେ ୮ଟି ୱିକେଟ୍‌ ହରାଇ ସଂଘର୍ଷ କରୁଥିବା ବେଳେ ଶେଷରେ ୧୦୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। କେନ୍ଦୁଝର ପକ୍ଷରୁ ଜମାଲା ମହାପାତ୍ର କିପଣ ବୋଲିଂ କରି ୪ ଓଭରରେ ମାତ୍ର ୧୩ ରନ୍‌ ଦେଇ ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍‌ ଅକ୍ତିଆର କରିଥିଲେ।
    ୧୦୩ ରନ୍‌ର ସହଜ ଲକ୍ଷ୍ୟ ପିଛା କରୁଥିବା କେନ୍ଦୁଝର ଆରମ୍ଭରୁ ଓପନର ରାଜେଶ ଧୁପର (୧)ଙ୍କ ୱିକେଟ୍‌ ହରାଇଥିଲା। ତେବେ ଏହାପରେ ମୟଙ୍କ ପଟ୍ଟନାୟକ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ପାଳି ସମ୍ଭାଳିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍‌ ପାଇଁ ଅପରାଜିତ ୮୯ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ଗଢ଼ି ଦଳକୁ ଚାମ୍ପିଅନ୍‌ କରାଇଥିଲେ। ମୟଙ୍କ ମାତ୍ର ୩୪ଟି ବଲ୍‌ରୁ ଅପରାଜିତ ୭୨ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଶୁଭ୍ରାଂଶୁ ୨୬ଟି ବଲ୍‌ରୁ ୩୨ ରନ୍‌ କରି ଅପରାଜିତ ରହିଥିଲେ।

    ଏହି ଚମତ୍କାର ବିଜୟ ପରେ କେନ୍ଦୁଝର ମାଇନର୍ସ ଅଧିନାୟକ ଶୁଭ୍ରାଂଶୁ ସେନାପତି ଦଳର ମାଲିକ, ସପୋର୍ଟ ଷ୍ଟାଫ୍‌ ଓ ସହଯୋଗୀ ଖେଳାଳିଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି। ସେନାପତି କହିଛନ୍ତି, “ଏହି ବିଜୟରେ ମୁଁ ଅତ୍ୟନ୍ତ ଆନନ୍ଦିତ। ପ୍ରଥମ ଦୁଇଟି ମ୍ୟାଚ୍‌‌ ହାରିବା ପରେ କମ୍‌ବ୍ୟାକ୍‌ କରିବା ସହଜ ନଥିଲା। ମାତ୍ର ଟିମ୍‌ ମାଲିକ ଓ ସପୋର୍ଟ ଷ୍ଟାଫ୍‌ ଆମ ଉପରେ ଯେଉଁ ଆସ୍ଥା ପ୍ରକଟ କରିଥିଲେ, ତାହା ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କଲା। ସମସ୍ତ ଖେଳାଳିଙ୍କ ନିଷ୍ଠା ଓ ସମର୍ପଣ ଯୋଗୁଁ ଆମେ ଚାମ୍ପିଅନ୍‌ ହୋଇପାରିଛୁ।”

    ସେହିପରି ଦଳର ମାଲିକ ପ୍ରତ୍ୟୁଷ ମନୀଷ ଖେମକା ମଧ୍ୟ ଦଳର ସଫଳତାକୁ ନେଇ ଗର୍ବ ପ୍ରକାଶ କରିଛନ୍ତି। ଖେମକା କହିଛନ୍ତି, “ଏହା ଆମ ପାଇଁ ଏକ ଅଦ୍ଭୁତ ମ୍ୟାଚ୍‌ ଏବଂ ଅବିଶ୍ୱସନୀୟ ଯାତ୍ରା ଥିଲା। ପ୍ରଥମ ଦୁଇଟି ମ୍ୟାଚ୍‌ ହାରିବା ପରେ ଦଳ ଯେଉଁଭଳି ଚରିତ୍ର ଦେଖାଇ ଲଗାତାର ତିନୋଟି ମ୍ୟାଚ୍‌ ଜିତିଲା, ତାହା ଚମତ୍କାର। ଫାଇନାଲ୍‌ରେ ମଧ୍ୟ ଦଳ ସେହି ଗତିକୁ ବଜାୟ ରଖି ଦମଦାର ପ୍ରଦର୍ଶନ କରିଛି। ଖେଳାଳିମାନେ ଏକାଠି ହୋଇ ଯେଭଳି ପ୍ରଦର୍ଶନ କରିଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ। ଜଣେ ଟିମ୍‌ ମାଲିକ ଭାବେ ମୁଁ ଏହି ଦଳ ପାଇଁ ବହୁତ ଗର୍ବିତ।”
    ଏହି ଫାଇନାଲ୍‌‌ ମ୍ୟାଚ୍‌ରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଭର୍ତ୍ତୃହରି ମହତାବ ଏବଂ ରାଜ୍ୟସଭା ସାଂସଦ ମନମୋହନ ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

    ଏହା ସହିତ ଓସିଏ (OCA) ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଜଗମୋହନ ପଟ୍ଟନାୟକ, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ୍‌ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଓଡ଼ିଶା ଆସୋସିଏସନ୍‌ ଫର୍‌ ରୋଇଂ ଆଣ୍ଡ ସ୍କଲିଂର ସଭାପତି ବିନୋଦ ଦାଶ ଏବଂ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ୍‌ ମହାସଚିବ ଅବିଜିତ୍‌‌ ପଲ୍‌ ଉପସ୍ଥିତ ଥିଲେ। ଏହି ଅବସରରେ ଓସିଏ ଆପେକ୍ସ କାଉନସିଲ୍‌ ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook