Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରେଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ ପ୍ରତିନିଧି ଦଳ

    Share on :
    ajab-Image
    Date: Mar 25, 2026    Views: 2915

    ଖଡ଼ଗପୁର ଠାରେ RECA କୁ ଦୀର୍ଘ ଦିନରୁପଡ଼ି ରହିଥିବା ଜମି ଯୋଗାଇ ଦେବାକୁ ଅନୁରୋଧ

    ନୂଆଦିଲ୍ଲୀ/ଭୁବନେଶ୍ୱର - ଖଡ଼ଗପୁର ସ୍ଥିତ 'ରେଲୱେ ଏମ୍ପ୍ଲୋଇ କଲଚରାଲ ଆସୋସିଏସନ' (RECA) ର ଦୀର୍ଘ ଦିନରୁ ପଡ଼ି ରହିଥିବା ଜମି ଆବଣ୍ଟନ ସମସ୍ୟାର ସମାଧାନ ପାଇଁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସାଂସଦମାନଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

    ଖଡ଼ଗପୁରର ନ୍ୟୁ ସେଟେଲମେଣ୍ଟ ଅଞ୍ଚଳରେ ଥିବା ପ୍ରାୟ ୫୯୧୫ ବର୍ଗ ମିଟର ପରିମିତ ରେଳ ଜମିକୁ 'ରେଲୱେ ଏମ୍ପ୍ଲୋଇଜ୍ କଲଚରାଲ ଆସୋସିଏସନ' ନାମରେ ନିୟମିତ କରିବା ପାଇଁ ସାଂସଦମାନେ ଦାବି କରିଛନ୍ତି । ଏହି ପ୍ରସଙ୍ଗ ପ୍ରାୟ ତିନି ଦଶନ୍ଧିରୁ ଅଧିକ ପୁରୁଣା । ୧୯୯୯ ମସିହା ମାର୍ଚ୍ଚ ୮ରେ ଓଡ଼ିଶାର ତତ୍କାଳୀନ ସାଂସଦମାନେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏ  ପ୍ରସଙ୍ଗରେ ପତ୍ର ଲେଖିଥିଲେ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପିତା ସ୍ୱର୍ଗତ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ୧୯୯୯ ମାର୍ଚ୍ଚ ୧୫ରେ ମଧ୍ୟ ଏହି ଜମି ଆବଣ୍ଟନ ପାଇଁ ସେ ସମୟରେ କେନ୍ର୍ର ରାଷ୍ଟ୍ର ରେଳ ମନ୍ତ୍ରୀ ଶ୍ରୀ ରାମ ନାଏକଙ୍କୁ ଅନୁରୋଧ କରିଥିଲେ ।

    ଓଡ଼ିଶାର ସାଂସଦମାନେ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୧୯୮୯ ମସିହାରୁ ଏହି ଆସୋସିଏସନ  ଖଡ଼ଗପୁର ଭଳି ଏକ ବହୁଭାଷୀ ରେଳ ସହରରେ କର୍ମଚାରୀଙ୍କ ମଧ୍ୟରେ ସାଂସ୍କୃତିକ ଏକତା, ସାମାଜିକ କଲ୍ୟାଣ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ମାଧ୍ୟମରେ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି । ରେଳ ବିଭାଗର ଆଭ୍ୟନ୍ତରୀଣ ରିପୋର୍ଟ ଅନୁଯାୟୀ, ଆସୋସିଏସନ ଦୀର୍ଘ ଦିନରୁ ଏହି ଜମି ବ୍ୟବହାର କରୁଛି ଏବଂ ସେଠାରେ ସ୍କୁଲ, ମନ୍ଦିର ଓ ଅନ୍ୟାନ୍ୟ ଜନହିତକର ଭିତ୍ତିଭୂମି ରହିଛି । ଦକ୍ଷିଣ ପୂର୍ବ ରେଳବାଇର ଡିଭିଜନାଲ ରେଲୱେ ମ୍ୟାନେଜର (ଡ଼ିଆରଏମ/କେଜିପି) ଏବଂ ଅନ୍ୟାନ୍ୟ ଅଧିକାରୀମାନେ ପୂର୍ବରୁ ଏହି ଜମି ନିୟମିତକରଣ ପାଇଁ ସୁପାରିଶ କରିସାରିଛନ୍ତି ।

    ତେବେ ଜମି ଆବଣ୍ଟନ ନହେବା ତଥା ଏଥିରେ ଅହେତୁକ ବିଳମ୍ବ କାରଣରୁ ସଂଘର ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ତେଣୁ, ଏହାକୁ ଏକ 'ସ୍ୱତନ୍ତ୍ର ମାମଲା' ଭାବେ ବିଚାର କରି ରେଳ କର୍ମଚାରୀ ଓ ସାଧାରଣ ଜନତାଙ୍କ ସୁବିଧା ପାଇଁ ଏହି ଜମିକୁ ତୁରନ୍ତ ଆବଣ୍ଟନ କରିବାକୁ ଓଡ଼ିଶାର ସାଂସଦମାନେ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ।

    ଶ୍ରୀ ପ୍ରଧାନ କହିଛନ୍ତି ଯେ, ରେକା କେବଳ ଧାର୍ମିକ କାର୍ଯ୍ୟରେ ସୀମିତ ନରହି ଜାତୀୟ ସଂହତି ଏବଂ ସାମାଜିକ ସଦଭାବନା ରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ନିଭାଇ ଆସୁଛି । ଏହାର ସ୍ଥାୟୀ ସମାଧାନ ହେଲେ ଖଡ଼ଗପୁରରେ ରହୁଥିବା ବିଭିନ୍ନ ପ୍ରାନ୍ତର ରେଳ କର୍ମଚାରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ । ପ୍ରକାଶ ଥାଉକି, ଓଡ଼ିଶାର ସାଂସଦମାନେ ଏ ସମ୍ପର୍କିତ ସମସ୍ତ ତଥ୍ୟ ଚିଠି ସହ ସଲଗ୍ନ କରିଛନ୍ତି ।

    ***

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook