ମୁଖ୍ୟ ଖବର
ଭୁବନେଶ୍ଵର : ଓଡ଼ିଶା ସୂଚନା କମିଶନଙ୍କ ଐତିହାସିକ ରେକର୍ଡ। ୧୦ ମାସରେ ହୋଇଛି ୧୨ ହଜାର ୯୨୮ଟି ମାମଲାର ନିଷ୍ପତ୍ତି। ବିଚାରାଧୀନ ମାମଲା ସଂଖ୍ୟା ୨୨ ହଜାର ୬୧୧ ରୁ ୯ ହଜାର ୬୮୩ ଟଙ୍କାକୁ ହ୍ରାସ ପାଇଛି। ରାଜ୍ୟରେ ମୋହନ ମାଝୀ ସରକାରରେ ମୁଖ୍ୟ ସୂଚନା ଅଧିକାରୀ ଏବଂ ୩ ଜଣ ନୂତନ ସୂଚନା କମିଶନରଙ୍କ ନିଯୁକ୍ତି ପରେ ସୂଚନା କମିଶନର ଫଇସଲାର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଆବଶ୍ୟକ ସୂଚନା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ କମିଶନ ଗୁରୁତ୍ଵ ଦେଉଛନ୍ତି। ମାମଲାଗୁଡ଼ିକର ଦ୍ରୁତ ନିଷ୍ପତ୍ତି ତଥା ଅନାବଶ୍ୟକ ସ୍ଥଗିତତା ଏଡାଇବା ଉପରେ ଧ୍ୟାନ ଦିଆଯାଉଛି।
୨୦୨୧ ଏବଂ ୨୨ରେ ସମସ୍ତ ବିଚାରାଧୀନ ମାମଲାର ଫଇସଲା ହୋଇସାରିଛି। ୨୦୨୩ ଏବଂ ୨୪ର ଅଳ୍ପ କିଛି ମାମଲାର ଫଇସଲା ବାକି ଅଛି। କମଶନ ଏବେ ୨୦୨୫ ଏବଂ ୨୬ରେ ଦାଖଲ ହୋଇଥିବା ନୂଆ ମାମଲା ଗୁଡ଼ିକର ଶୁଣାଣି ଆରମ୍ଭ କରିଛି। ଏକ ଗୁରୁତ୍ଵପୂର୍ଣ୍ଣ ମାମଲାରେ କମିଶନ ପ୍ରତ୍ୟେକ ପ୍ରାର୍ଥୀଙ୍କ ସାକ୍ଷାତକାର ମାର୍କ ସାର୍ବଜନୀନ କରିବା ପାଇଁ ଓଡ଼ିଶା ଲୋକସେବା କମିଶନକୁ ନିର୍ଦ୍ଦେଶ ଦେଇଛନ୍ତି। ସଫଳ ଏବଂ ବିଫଳ ପ୍ରାର୍ଥୀମାନଙ୍କୁ ଦକ୍ଷତା ପରୀକ୍ଷା ଏବଂ କମ୍ପ୍ୟୁଟର ପରୀକ୍ଷା ମାର୍କ ପ୍ରଦାନ କରିବାକୁ ଓଡ଼ିଶା କର୍ମଚାରୀ ଚୟନ କମିଶନକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ କ୍ଷେତ୍ରରେ ଜନସୂଚନା ଅଧିକାରୀମାନେ ସୂଚନା ଉପଲବ୍ଧ ନଥିବା ଦର୍ଶାଇ ଆବେଦନକାରୀଙ୍କୁ ସୂଚନା ଦେବାରୁ ବଞ୍ଚିତ କରୁଥିଲେ। କମିଶନ ଏହାକୁ ଗମ୍ଭୀର ଭାବରେ ବିଚାର କରି ଉତ୍ତରଦାୟିତ୍ଵ ନିର୍ଦ୍ଧାରଣ କରିଛନ୍ତି। ବରିଷ୍ଠ ଅଧିକାରୀମାନଙ୍କ ଦ୍ଵାରା ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କିଛି ଅଭ୍ୟାସଗତ ଆବେଦନକାରୀ ନକଲି ବିପିଏଲ୍ କାର୍ଡ ବ୍ୟବହାର କରି ସରକାରଙ୍କ ଠାରୁ ମାଗଣାରେ ସୂଚନା ଦାବି କରୁଥିଲେ। ଶହ ଶହ ଆବେଦନ ଦାଖଲ କରି ସରକାରଙ୍କୁ ହଇରାଣ କରୁଥିଲେ। ଏହି ମାମଲା ଗୁଡ଼ିକୁ ଚିହ୍ନଟ କରିବାକୁ କମିଶନ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଏକ ନିର୍ଦ୍ଧିଷ୍ଟ ମାମଲାରେ ବଲାଙ୍ଗୀରର ଜଣେ ବ୍ୟକ୍ତି ସୂଚନା ଅଧିକାର ଆବେଦନ ପ୍ରତ୍ୟାହାର କରିବା ପାଇଁ ପିଆଇଓଙ୍କଠାରୁ ଲାଞ୍ଚ ମାଗୁଥିବା ଜଣାପଡ଼ିଥିଲା। ସେନେଇ ତଦନ୍ତ କରିବାକୁ ପୁଲିସକୁ ପଠାଯାଇଛି। ସୂଚନା ଯୋଗାଣରେ ଆହେତୁକ ବିଳମ୍ଵ ପାଇଁ କମିଶନ ଦୋଷୀ ଅଧିକାରୀଙ୍କ ଉପରେ ୧,୪୭,୭୬,୨୫୦ ଟଙ୍କା ଜରିମାନା ଲଗାଇଛନ୍ତି। ଏକ ସାମ୍ପ୍ରତିକ ମାମଲାରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ମନୋଜ ପରିଡା ସୂଚନା ଅଧିକାର ଆଇନ ଉଲ୍ଲଙ୍ଘନ ପାଇଁ ଗଞ୍ଜାମ ଜିଲ୍ଲାର ପୁଲିସ ଅଧିକାରୀଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତ। ସମାନ ବିଷୟ ଉପରେ ଏକାଧିକ ଆବେଦନ ମାଧ୍ୟମରେ ଦାଖଲ ହେଉଥିବା ଆରଟିଆଇ ଆବେଦନଗୁଡ଼ିକୁ ତନଖି କରିବା ପାଇଁ କମିଶନ ଆବେଦନ ଗୁଡ଼ିକର ଯାଞ୍ଚ ଆରମ୍ଭ କରିଛନ୍ତି।
ନିୟମିତ କର୍ମଚାରୀ ଅଭାବ ସତ୍ତ୍ଵେ କମିଶନ ପ୍ରତି ମାସରେ ୧୫୦୦ ମାମଲା ସମାଧାନ କରୁଛନ୍ତି। ପ୍ରତି ମାସରେ ଆବେଦନକାରୀଙ୍କ ଦ୍ଵାରା ହାରାହାରି ୫୦୦ ମାମଲା ଦାଖଲ ହେଉଛି। କମିଶନଙ୍କ ନିଷ୍ପତ୍ତିର କାର୍ଯ୍ୟାନ୍ଵୟନ ସମ୍ବନ୍ଧିତ ଅଭିଯୋଗଗୁଡ଼ିକର ନିରୀକ୍ଷଣ ନିମନ୍ତେ କମିଶନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହା ରାଜ୍ୟ ସରକାରଙ୍କୁ ଏ ସମ୍ବନ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଉଛି।
Comments ସମସ୍ତ ମତାମତ