Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାର ପୋଚିଲିମାକୁ ସର୍ବଶ୍ରେଷ୍ଠ ପଞ୍ଚାୟତ ମାନ୍ୟତା

    Share on :
    ajab-Image
    Date: Apr 30, 2026    Views: 3114

    ନୂଆଦିଲ୍ଲୀ: ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଚାୟତ ପ୍ରଗତି ସୂଚକାଙ୍କ ରିପୋର୍ଟର ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଦେଶର ୩୬୩୫ଟି ପଞ୍ଚାୟତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛନ୍ତି। ତୃଣମୂଳ ସ୍ତରର ପ୍ରଶାସନକୁ ସୁଦୃଢ଼ କରିବା ଏବଂ ସମାବେଶୀ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ। ଦେଶର ୧,୧୮,୮୨୪ଟି ପଞ୍ଚାୟତ ପ୍ରଦର୍ଶନକାରୀ ବର୍ଗରେ ସ୍ଥାନ ପାଇଛନ୍ତି।ଦାରିଦ୍ର୍ୟ ଦୂରୀକରଣ ଓ ପଞ୍ଚାୟତରେ ଅଧିକ ଜୀବିକା ସୁଯୋଗ ଏବଂ ସୁସ୍ଥ ପଞ୍ଚାୟତ ବିଷୟବସ୍ତୁ ବର୍ଗରେ ମୋଟ୍‌ ୩,୩୧୩ ପଞ୍ଚାୟତ ଭଲ ପ୍ରଦର୍ଶନ କରିଛନ୍ତି। ଏସବୁ ପଞ୍ଚାୟତକୁ ଏ ପ୍ଲସ୍‌ ମାନ୍ୟତା ମିଳିଛି। ସେହିପରି ୧,୦୧୫ଟି ପଞ୍ଚାୟତ ସୁସ୍ଥ ପଞ୍ଚାୟତ ବର୍ଗରେ ଏ ପ୍ଲସ୍‌ ମାନ୍ୟତା ହାସଲ କରିଛନ୍ତି। ଏସବୁ ପଞ୍ଚାୟତ ନିରାକରଣଯୋଗ୍ୟ ସ୍ୱାସ୍ଥ୍ୟସେବା, ପୋଷଣ ସଚେତନତା, ସ୍ୱଚ୍ଛତା ଅଭ୍ୟାସ ଏବଂ ସାମାଜିକ ଅଂଶଗ୍ରହଣ କ୍ଷେତ୍ରରେ ଦୃଢ଼ ଫଳାଫଳ ପ୍ରଦର୍ଶନ କରିଛନ୍ତି।

    ପଞ୍ଚାୟତ ପ୍ରଗତି ସୂଚକାଙ୍କର ଦ୍ୱିତୀୟ ସଂସ୍କରଣରେ ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ୯୭.୩୦ ପ୍ରତିଶତ ଅର୍ଥାତ୍‌ ପ୍ରାୟ ୨,୫୯,୮୬୭ଟି ପଞ୍ଚାୟତ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ୩୬୩୫ଟି ପଞ୍ଚାୟତ ଏ, ୧୧୮୮୨୪ ପଞ୍ଚାୟତ ବି, ୧୨୩୭୧୯ ପଞ୍ଚାୟତ ସି ଏବଂ ୧୩୬୮୯ଟି ପଞ୍ଚାୟତ ଡି ବର୍ଗରେ ରହିଛନ୍ତି।

    ଓଡ଼ିଶାରେ ଗଞ୍ଜାମଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର ପୋଚିଲିମା ପଞ୍ଚାୟତ ସାମଗ୍ରିକ ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ପଞ୍ଚାୟତ ଭାବେ ‘ଏ’ ମାନ୍ୟତା ହାସଲ କରିଛି  ରାଜ୍ୟର ୫୫୫ଟି ପଞ୍ଚାୟତ ପ୍ରଥମ, ୪୫୬୬ ପଞ୍ଚାୟତ ଦ୍ୱିତୀୟ, ୧୬୨୭ଟି ପଞ୍ଚାୟତ ତୃତୀୟ ଏବଂ ୪୬ଟି ପଞ୍ଚାୟତ ଚତୁର୍ଥ ବର୍ଗରେ ରହିଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ ସୋହପୁର ପଞ୍ଚାୟତ ଦାରିଦ୍ର୍ୟ ଦୂରୀକରଣ ଏବଂ ଉନ୍ନତ ଜୀବିକା ପଞ୍ଚାୟତ ବର୍ଗରେ ଏ ପ୍ଲସ୍‌ ମାନ୍ୟତା ହାସଲ କରିଛି। ସେହିପରି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ ରାୟପୁର ପଞ୍ଚାୟତ ସୁସ୍ଥ ପଞ୍ଚାୟତ ଭାବେ ଏ ପ୍ଲସ୍‌ ମାନ୍ୟତା ଲାଭ କରିଛି। 

    ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍‌ ତାରପୁର ପଞ୍ଚାୟତ ଶିଶୁ ଅନୁକୂଳ ପଞ୍ଚାୟତ ରୂପେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ପଡ଼ୁଆ ପଞ୍ଚାୟ ଜଳ ସ୍ୱଚ୍ଛଳ ପଞ୍ଚାୟତ ରୂପେ ଏ ପ୍ଲସ୍‌ ମାନ୍ୟତା ପାଇଛି। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍‌ର ହାତୀବନ୍ଧା ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ରୂପେ ସର୍ବଶ୍ରେଷ୍ଠ ମାନ୍ୟତା ହାସଲ କରିଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ ଭଟକୁମରଡ଼ା ଆତ୍ମନିର୍ଭରଶୀଳ ଭିତ୍ତିଭୂମି ବିଶିଷ୍ଟ ପଞ୍ଚାୟତ ରୂପେ ଏ ପ୍ଲସ୍‌ ମାନ୍ୟତା ଲାଭ କରିଛି। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ମନ୍ଦାର ପଞ୍ଚାୟତ ସାମାଜିକ ସମାନତା ଓ ସାମାଜିକ ସୁରକ୍ଷିତ ପଞ୍ଚାୟତ ଭାବେ  ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଏ ମାନ୍ୟତା ଲାଭ କରିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍‌ ତୁରୁମୁ ପଞ୍ଚାୟତ ସୁଶାସନ ଏବଂ ପାତ୍ରପୁର ବ୍ଲକ୍‌ ଗୁଡ଼ିଆପଦର ମହିଳା ଅନୁକୂଳ ପଞ୍ଚାୟତ ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଏ ମାନ୍ୟତା ଲାଭ କରିଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook