Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଡିସେମ୍ବର ୨୪ ମ୍ୟାଚ୍ ପରେ ଓସିଏ ନିର୍ବାଚନ

    Share on :
    ajab-Image
    Date: Nov 2, 2026    Views: 2721

    କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର (OCA) ବହୁପ୍ରତୀକ୍ଷିତ ନିର୍ବାଚନ ପ୍ରକ୍ରିୟାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି। ସୋମବାର ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବାକୁ ଥିବାବେଳେ, ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ରବିବାର ଓସିଏ (OCA) ର ଏକ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଟି20 ମ୍ୟାଚ୍ ସମାପ୍ତ ହେବା ପରେ, ଲୋଧା କମିଟି ନିୟମାନୁସାରେ ନିର୍ବାଚନ କରାଇବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।

    ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଡିସେମ୍ବର ଟି20 ମ୍ୟାଚ୍ ଶେଷ ହେବା କ୍ଷଣି ନିର୍ବାଚନ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ଏବଂ ୱେବସାଇଟ୍ ମାଧ୍ୟମରେ ସମସ୍ତ ବିଜ୍ଞପ୍ତି ପ୍ରକାଶ ପାଇବ, ଯାହାଦ୍ୱାରା ଓସିଏ ସଦସ୍ୟମାନେ ନିର୍ବାଚନୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଏହାସହିତ ନିର୍ବାଚନକୁ ନେଇ କୌଣସି ବିବାଦ ନାହିଁ ବୋଲି ସଭାପତି କହିଛନ୍ତି।
    ମାମଲାର ଆବେଦନକାରୀ ତଥା ଓସିଏ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଇଜିବିଏମ୍ (EGBM) ବୈଠକ ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୋଟିଏ ବର୍ଷ ହେଲାଣି ନିର୍ବାଚନ ହୋଇନଥିବାରୁ ନିୟମାନୁସାରେ ନିର୍ବାଚନ କରାଯାଉ ବୋଲି ତାଙ୍କର ନିବେଦନ ଥିଲା। ମାସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଆଜି ବୈଠକରେ ସେହି ସମାନ ନିଷ୍ପତ୍ତି ନିଆଗଲା, ଯାହା ମୋର ଷ୍ଟାଣ୍ଡ୍‌କୁ ବୈଧ ପ୍ରମାଣିତ କରିଛି।

    ତେବେ ରବିବାର ବୈଠକକୁ ତାଙ୍କୁ କିମ୍ବା ତାଙ୍କ କ୍ଲବ୍ 'ସନରାଇଜ୍'କୁ ଡାକାଯାଇ ନଥିଲା, କିନ୍ତୁ ଓସିଏ ସଭାପତିଙ୍କ ବିଶେଷ ଅନୁରୋଧକ୍ରମେ ସେ ବୈଠକରେ ଯୋଗଦେଇଥିଲେ ବୋଲି କହିଛନ୍ତି। ଆଗାମୀ ନିର୍ବାଚନରେ ଜଣେ ପୂର୍ବତନ ଖେଳାଳି ଓ କୋଚ୍‌ ଭାବେ ସୁଯୋଗ ମିଳିଲେ, ଓଡ଼ିଶା କ୍ରିକେଟ୍‌ର ପୂର୍ବ ଗୌରବ ଫେରାଇ ଆଣିବା ସହ ବାରବାଟୀ ଷ୍ଟାଡିୟମ୍‌ର କାୟାକଳ୍ପ ପାଇଁ ମୁଁ ଚେଷ୍ଟା କରିବି ବୋଲି ସେ ପ୍ରକାଶ କରିଛନ୍ତି।ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ରବିବାର (୧ ନଭେମ୍ବର) ଅପରାହ୍ନରେ ଓସିଏ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପସଭାପତି ଜଗମୋହନ ପଟ୍ଟନାୟକ, ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ବିକାଶ କୁମାର ପ୍ରଧାନ ଓ ଆପେକ୍ସ କାଉନସିଲ୍‌ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହିତ ପ୍ରାୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ଆସନ୍ତା ଡିସେମ୍ବର ମାସରେ ବାରବାଟୀରେ ହେବାକୁ ଥିବା ଟି20 ମ୍ୟାଚ୍ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।କହି ରଖୁଛୁ ଯେ ଏହି କାଉନସିଲ୍ ବୈଠକ ପୂର୍ବରୁ ରବିବାର ସକାଳେ ଓଡ଼ିଶା କ୍ରିକେଟ୍ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ଓସିଏ କର୍ମକର୍ତ୍ତା ଓ ଅନୁଷ୍ଠାନର କିଛି ପ୍ରତିନିଧି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ସମୟରେ ବାରବାଟୀ ଷ୍ଟାଡିୟମର ବିକାଶ ଓ ଅନ୍ତର୍ଜାତୀୟ ମ୍ୟାଚର ସଫଳ ପରିଚାଳନାରେ ସରକାରଙ୍କ ସହଯୋଗ ଓ ସମର୍ଥନକୁ ପ୍ରଶଂସା କରିଥିଲେ। ଏହା ସହିତ ଓସିଏ କର୍ମକର୍ତ୍ତାମାନେ ଡିସେମ୍ୱରରେ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଟି20 ଓ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ବାଚନକୁ ସବୁଜ ସଙ୍କେତ ଦେଇଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook