Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବୁଥ୍‌ ଅଭିମୁଖେ ଯିବେ ପୋଲିଂ ଦଳ

    Share on :
    ajab-Image
    Date: Nov 10, 2025    Views: 2505

    ନୂଆପଡ଼ା/ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ରବିବାର ଅପରାହ୍ଣ ୪ରୁ ପ୍ରଚାର ବନ୍ଦ ପରଠାରୁ ୪୮ଘଣ୍ଟିଆ ନିରବ ଅବଧି ଆରମ୍ଭ ହୋଇଛି। ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ଥିବାବେଳେ ଶାନ୍ତି ଶୃଙ୍ଖଳାରେ ମତଦାନ ସାରିବାକୁ ଆଶାବାଦୀ ରହିଛନ୍ତି ନିର୍ବାଚନ ଅଧିକାରୀ। ବାହାର ଲୋକ ନିର୍ବାଚନ ମଣ୍ଡଳୀ ଛାଡ଼ି ସାରିଲେଣି। ସୋମବାର ସକାଳୁ ବୁଥ୍‌ଗୁଡ଼ିକ ଅଭିମୁଖେ ପୋଲିଂ ଦଳ ଯିବେ ଏବଂ ସନ୍ଧ୍ୟା ସୁଦ୍ଧା ସମସ୍ତ ବୁଥ୍‌ରେ ପୋଲିଂ ଦଳ ପହଞ୍ଚିବେ। ମୋଟ‌ ୩୫୮ ବୁଥ୍‌ରୁ ୪୭ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ସମସ୍ତ ବୁଥ୍‌ରେ ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କୁ ନିୟୋଜିତ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର.ଏସ୍‌. ଗୋପାଳନ କହିଛନ୍ତି।ରବିବାର ପ୍ରଚାର ଶେଷ ଦିନ ଥିବାରୁ ସବୁ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିଛନ୍ତି। ସ୍ବାଧୀନ ପ୍ରାର୍ଥୀମାନେ ବି ଗାଁ ଗାଁ ବୁଲି ପ୍ରଚାର କରିଥିଲେ। ଆସନ୍ତା ୧୧ତାରିଖ ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହେବ। ମତଦାନ ପୂର୍ବ ସମୟ ଗୁରୁତ୍ୱପୂର୍ଣ୍ଣ ଥିବାରୁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଅନ୍ଧାରିବିଜେ କରାଯିବା ସମ୍ଭାବନା ମଧ୍ୟ ରହିଛି। ପୁଣି ନିରବ ଅବଧିରୁ ମତଦାନ ଶେଷ ପର୍ୟ୍ୟନ୍ତ ୪୮ଘଣ୍ଟା ସମୟ ଅତି ଗୁରୁତ୍ବପୂର୍ଣ୍ଣ ସମୟ ଥିବାରୁ ସ୍ବଚ୍ଛ, ନିରପେକ୍ଷ ଏବଂ ଅବାଧ ଉପନିର୍ବାଚନ ପରିଚାଳନା କରିବା ଲାଗି ନିର୍ଦେଶାବଳୀ ଜାରି କରିଛନ୍ତି ସିଇଓ। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ପୁଲିସ ଏବଂ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ମାଓ ପ୍ରଭାବିତ ଅଞ୍ଚଳରେ ଥିବା ବୁଥ୍‌କୁ ପୋଲିଂ ପାର୍ଟି ନେବା ଆଣିବା କରିବା ପାଇଁ ଭାରତୀୟ ବାୟୁସେନା ବିମାନ ବ୍ୟବହାର କରାଯିବ। ଏକ ବାୟୁସେନା ବିମାନ ପ୍ରଥମ ଥର ପାଇଁ ଆସି ରାତିରେ ନୂଆପଡ଼ା ଗୋତମା ଏୟାରଷ୍ଟ୍ରିପ୍‌ରେ ନିରାପଦ ଅବତରଣ କରିଛି ବୋଲି ଜିଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ‘ଏକ୍ସ’ ମାଧ୍ୟମରେ ସୂଚନା ଦିଆଯାଇଛି।
    ମତଦାନର ୪୮ଘଣ୍ଟା ପୂର୍ବର ଅବଧି ଅର୍ଥାତ ନିରବ ଅବଧିରେ କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନହୋଇ ଭୋଟରଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ ପାଇଁ ଏହି ସୁଯୋଗ ଦିଆଯାଇଥାଏ। ପ୍ରଚାର ସରିବା ପରେ ରାଜନୈତିକ ଦଳଗୁଡ଼ିକର ନେତା ଓ କର୍ମୀ ନିର୍ବାଚନ ମଣ୍ଡଳୀ ଛାଡ଼ି ସାରିଲେଣି। ବାହାର ଅଞ୍ଚଳର କେହି ଯେମିତି ନ ରୁହନ୍ତି ସେଥିପାଇଁ ହୋଟେଲ, ଗୋଷ୍ଠୀ କେନ୍ଦ୍ର, ଲଜ୍ ଓ ଅତିଥି ଗୃହ ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ନିର୍ବାଚନ ମଣ୍ଡଳୀରେ କେବଳ ସ୍ଥାନୀୟ ଭୋଟର ରହୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ପରିଚୟ ପତ୍ର ଯାଞ୍ଚ କରାଯାଉଛି। ଉପନିର୍ବାଚନ ପାଇଁ ମୋଟ ୩୫୮ ବୁଥ୍‌ରେ ଭୋଟ ଗ୍ରହଣ କରାଯିବ। ତନ୍ମଧ୍ୟରୁ ୩୧୧ ବୁଥ୍‌ରେ ସକାଳ ୭ରୁ ସନ୍ଧ୍ୟା ୫ ପର୍ୟ୍ୟନ୍ତ ମତଦାନ ସମୟ ରହିଛି। ଅବଶିଷ୍ଟ ୪୭ ବୁଥ୍‌ରେ ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ ୪ରେ ସରିବ। ସୁରକ୍ଷାକୁ ଆଖି ଆଗରେ ରଖି ଅତି ସମ୍ବେଦନଶୀଳ ବୁଥ୍‌ଗୁଡିକରେ ଅପରାହ୍ଣ ୪ରେ ମତଦାନ ସାରିବାକୁ ଲକ୍ଷ୍ୟ ରଖାଯାଇଛି।ଚଳିତ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ, ପ୍ରତି ବୁଥ୍‌ରେ ଭୋଟର ସଂଖ୍ୟା ୧୨୦୦ ମଧ୍ୟରେ ସୀମିତ କରାଯାଇଛି। ଏହି ଉପନିର୍ବାଚନରେ ୧ ଲକ୍ଷ ୨୪ ହଜାର ୧୦୮ଜଣ ପୁରୁଷ ଭୋଟର ଥିବାବେଳେ ୧ ଲକ୍ଷ ୨୯ ହଜାର ୪୯୫ ମହିଳା, ୨୧ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କ ସହ ମୋଟ ୨ଲକ୍ଷ ୫୩ ହଜାର ୬୨୪ ଭୋଟର ଅଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକାରେ ୯,୪୨୯ ଯୁବ ଭୋଟର ରହିଥିବା ବେଳେ ୩୯୮୮ ଦିବ୍ୟାଙ୍ଗ ଭୋଟର ଏବଂ ୧୭୮୬ ବରିଷ୍ଠ ନାଗରିକ (୮୫ ବର୍ଷରୁ ଊର୍ଦ୍ଧ୍ବ) ରହିଛନ୍ତି। ଏହି ଉପନିର୍ବାଚନ ପାଇଁ ୫୬ଟି ନୂତନ ବୁଥ୍‌ ପ୍ରତିଷ୍ଠା ହୋଇଛି।ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ରବିବାର ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳୀୟ ନେତା ଜୋରଦାର ପ୍ରଚାର କରିଥିଲେ। ନୂଆପଡ଼ା ଓ କୋମନା ବ୍ଲକର ବିଭିନ୍ନ ଗାଁ ଓ ପଞ୍ଚାୟତ ବୁଲି ପ୍ରଚାର କରିଥିଲେ। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ବି ବିଜେପିର ବିଧାୟକ, ମନ୍ତ୍ରୀ, ଜିଲାର ବିଜେପି ନେତା ଓ କର୍ମୀ ପ୍ରଚାର କରିଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦଳୀୟ ନେତାଙ୍କ ସହଯୋଗରେ କୋମନା ଅଞ୍ଚଳରେ ପ୍ରଚାର କରିଥିଲେ। ଏହାସହ ସ୍ବାଧୀନ ପ୍ରାର୍ଥୀ ବି ନିଜ ସ୍ତରରେ ଜୋରଦାର ପ୍ରଚାର କରିଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook