ମୁଖ୍ୟ ଖବର
 
                  
                
ବଲାଙ୍ଗିର: ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ସମର ଆରମ୍ଭ ହେଲାଣି। ବିଜେପି, ବିଜେଡି ଓ କଂଗ୍ରେସ ଜୋରସୋରରେ ମାତିଲେଣି। ନୂଆପଡ଼ାକୁ ନିଜର କରିବା ପାଇଁ ସମସ୍ତେ କୌଶଳ ଖଟାଉଥିବାବେଳେ ବିଜେଡିର ଆଦିବାସୀ ଚେହେରା ତଥା ନୂଆପଡ଼ା ନିର୍ବାଚନ ପାଇଁ ବିଜେଡି ସଂଯୋଜକ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ନେଇ ରୋଚକ ଖବର ସାମ୍ନାକୁ ଆସିଛି।ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପ-ନିର୍ବାଚନ ପାଇଁ ଭୋଟ୍,୧୪ରେ ଫଳାଫଳ। ବିଜେପି ପାଇଁ ବିକାଶ ଓ ବିଜୟ ଆଶା, ବିଜେଡି ପାଇଁ ସମ୍ମାନର ପ୍ରସଙ୍ଗ ଓ କଂଗ୍ରେସ ଲାଗି ଆଦିବାସୀ କାର୍ଡ ଭରସା। ବିଜେଡି ପକ୍ଷରୁ ୧୫ରୁ ଊର୍ଦ୍ଧ୍ବ ପୂର୍ବତନ ମନ୍ତ୍ରୀ ଓ ବିଧାୟକ ନୂଆପଡ଼ାରେ ଡେରା ପକାଇ ଦଳୀୟ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିଜୟ ପାଇଁ କୌଶଳ କରୁଛନ୍ତି। ନୂଆପଡ଼ାରେ ଆଦିବାସୀଙ୍କୁ ଯିଏ ମନେଇପାରିବ ତାଙ୍କ ବିଜୟ ସୁନିଶ୍ଚିତ। ତେଣୁ ବିଜେଡି ସଂଯୋଜକ ଭାବେ ରାଜ୍ୟସଭା ସାଂସଦ ଶ୍ରୀ ବିଶିଙ୍କୁ ଦଳ ପକ୍ଷରୁ ଦାୟିତ୍ବ ଦିଆଯାଇଛି। ଦୁଇ ଦିନ ପୂର୍ବେ ତାଙ୍କୁ ଦଳୀୟ ନେତା ହଠାତ୍ ଖୋଜିଲେ। ଦଳୀୟସ୍ତରରେ ତାଙ୍କ ବିଷୟରେ କୌଣସି ସୂଚନା ନଥିଲା। ପୂର୍ବରୁ ୨ଜଣ ବିଜେଡି ସାଂସଦଙ୍କୁ ବିଜେପି ନେଇ ଯାଇଥିବାବେଳେ ରାଜ୍ୟସଭା ସାଂସଦ ଶ୍ରୀ ବିଶିଙ୍କୁ ନେଇଗଲେ କି ବୋଲି ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଥିଲା ଏବଂ ଦଳୀୟ ନେତାଙ୍କ ହୃତ୍କମ୍ପ ବଢ଼ିଯାଇଥିଲା। ଏ ବିଷୟରେ ତୁରନ୍ତ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୂଚନା ଦିଆଯାଇଥିଲା।
ଦଳୀୟ ନେତାମାନେ ଅବିଳମ୍ବେ ଶ୍ରୀ ବିଶିଙ୍କୁ ଖୋଜିବା ଆରମ୍ଭ କରିଥିଲେ। ବୁଝୁ ବୁଝୁ ଜଣାପଡ଼ିଲା ଯେ ଏକ ସଂସଦୀୟ ଦଳର ପ୍ରତିନିଧି ଭାବେ ଆମେରିକା ଅଭିମୁଖେ ଯିବା ପାଇଁ ସେ ମୁମ୍ବଇ ବିମାନବନ୍ଦରରେ ଅଛନ୍ତି। ଦଳ ପକ୍ଷରୁ ତାଙ୍କ ସହିତ ଯୋଗାଯୋଗ କରାଯାଇ ଆମେରିକା ନଯିବା ପାଇଁ ସ୍ପଷ୍ଟ ନିର୍ଦେଶ ଦିଆଯିବା ସହ ବିମାନରେ ତାଙ୍କୁ ମୁମ୍ବଇରୁ ଛତିଶଗଡ଼ର ରାୟପୁରକୁ ଫେରାଇ ଅଣାଯାଇଥିଲା। ସେଠାରୁ ସେ ସଡ଼କପଥରେ ନୂଆପଡ଼ା ଆସି ଦଳୀୟ ପ୍ରାର୍ଥିନୀଙ୍କ ପାଇଁ ପ୍ରଚାରରେ ଲାଗିଛନ୍ତି।
ସମ୍ପ୍ରତି ସାଂସଦ ଶ୍ରୀ ବିଶି ରାଜ୍ୟସଭା ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ପରିଚାଳନା କମିଟିର ଅଧ୍ୟକ୍ଷ ଅଛନ୍ତି। ଜାତିସଂଘର ଏକ ବୈଠକରେ ଭାରତୀୟ ସଂସଦୀୟ ଦଳର ପ୍ରତିନିଧି ଭାବେ ଯୋଗ ଦେବା ପାଇଁ ସେ ଆମେରିକା ଅଭିମୁଖେ ବାହାରିଥିଲେ। ନୂଆପଡ଼ା ନିର୍ବାଚନ, ଦଳୀୟ ସ୍ବାର୍ଥ ଓ ବିଜୟର ଦ୍ବାହି ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ବିଶିଙ୍କୁ ଫୋନ୍ କରିଥିବା ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ହେଉଛି। ଆମେରିକା ଗସ୍ତ ବାତିଲ କରି ନୂଆପଡ଼ା ନିର୍ବାଚନ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯିବା ପରେ ସେ ନୂଆପଡ଼ା ଫେରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସାଂସଦ ଶ୍ରୀ ବିଶିଙ୍କ ଆମେରିକା ବୁଲା ସ୍ବପ୍ନ ଅଧୁରା ରହିଲା ବୋଲି ବଲାଙ୍ଗିରରୁ ନୂଆପଡ଼ା ଯାଏ ଚର୍ଚ୍ଚା ଚାଲିଛି।
ରାଜ୍ୟସଭାରେ ସାଂସଦ ଶ୍ରୀ ବିଶିଙ୍କ କାର୍ୟ୍ୟକାଳ ୨୦୨୬ ଏପ୍ରିଲ ୨ରେ ଶେଷ ହେବ। ତେଣୁ ସେ ଆମେରିକା ଗସ୍ତ ସୁଯୋଗକୁ ହାତଛଡ଼ା ନକରି ନୂଆପଡ଼ା ଉପ-ନିର୍ବାଚନକୁ ଗୌଣ ଭାବି ଦଳୀୟ ନେତାଙ୍କୁ ନଜଣାଇ ନିଜର ଗସ୍ତ କାର୍ୟ୍ୟକ୍ରମ ଚୂଡ଼ାନ୍ତ କରିଥିବା ନେଇ ଚର୍ଚ୍ଚା ହେଉଛି। ଆଦିବାସୀ ଚେହେରା ଭାବେ ତାଙ୍କୁ ନୂଆପଡ଼ା ବିଧାନସଭା କ୍ଷେତ୍ରର ଦାୟିତ୍ବ ଦିଆଯାଇଛି। ବିଦେଶ ଗସ୍ତ ପାଇଁ ସାଂସଦ ଶ୍ରୀ ବିଶି ଦଳ ମୁଖିଆଙ୍କ ଅନୁମତି ନେବା କଥା। ଦଳୀୟ ସୂତ୍ର ଅନୁସାରେ ସେ ସେତିକି ବି କୁଆଡ଼େ କରି ନ ଥିଲେ। ନିଜର ଦାୟିତ୍ବ ଛାଡ଼ି ସେ ଆମେରିକା ବୁଲା ସ୍ବପ୍ନ ଦେଖିଥିଲେ। ଦଳୀୟ ନେତା ଚାପ ପକାଇ ନିରଞ୍ଜନଙ୍କୁ ସିନା ଫେରାଇ ଆଣିଲେ ହେଲେ ତାଙ୍କ ମନ ପ୍ରଚାରରେ ଲାଗିବ କି ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
Comments ସମସ୍ତ ମତାମତ