ମୁଖ୍ୟ ଖବର
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ଭାଜପା କୋର୍ କମିଟି ବୈଠକରେ ରଣନୀତି ପ୍ରସ୍ତୁତି ହୋଇଛି। ଏହି ବୈଠକ ପରେ ବରିଷ୍ଠ ଭାଜପା ନେତା ବସନ୍ତ ପଣ୍ଡା ବଡ଼ ବୟାନ ଦେଇଛନ୍ତି। ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ କେମିତି ଜିତିବେ ତାହାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି।
ତେବେ ଉପନିର୍ବାଚନ ନେଇ ପୂର୍ବତନ ସଭାପତି, ମନ୍ତ୍ରୀ ଓ ବିଧାୟକଙ୍କୁ ଟାସ୍କ ଦିଆଯାଇଛି। ସହମତି ଭିତ୍ତିରେ ପ୍ରାର୍ଥୀ ଦିଆଯିବ, ସେ କେମିତି ଜିତିବେ ସମସ୍ତେ କାର୍ୟ୍ୟ କରିବେ। ପ୍ରାର୍ଥୀ କିଏ ହେବେ ତାହା ସଂସଦୀୟ ବୋର୍ଡ ସ୍ଥିର କରିବ। ୧୩ରେ ନାମାଙ୍କନ ଦାଖଲ ଥିବାରୁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି ସେ କହିଛନ୍ତି।
କହିରଖୁଛୁ ଯେ, ଏହି ଉପନିର୍ବାଚନ ପାଇଁ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି। ନଭେମ୍ବର ୧୧ରେ ଏଥିନେଇ ମତଦାନ ହେବ। ଗୋଟିଏ ପଟେ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟଙ୍କୁ ଭାଜପା ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଥିବା ବେଳେ ବିଜେଡିର ଅଙ୍କ ଛିଣ୍ଡୁନି। କାରଣ ପୂର୍ବରୁ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବାକୁ ଇଚ୍ଛୁକ ଥିଲା। ହଠାତ କିନ୍ତୁ ସେ ଭାଜପା ଶିବିରରେ ଯୋଗ ଦେବା ପରେ ସବୁକିଛି ବଦଳିଯାଇଛି। ବିଜେଡିର ଆଶାୟୀଙ୍କ ଲମ୍ବା ଲାଇନ ଲାଗିଛି। ଆଗାମୀ ଦିନ କେଇଟାରେ ସବୁକିଛି ଉପରୁ ସସ୍ପେନ୍ସ ହଟିବ ବୋଲି ଚର୍ଚ୍ଚା ହେଉଛି।
Comments ସମସ୍ତ ମତାମତ