ମୁଖ୍ୟ ଖବର
ଭୁବନେଶ୍ବର: ଗଣମାଧ୍ୟମରେ ମନଇଚ୍ଛା ବିଜ୍ଞାପନ ଛାପି ପାରିବେ ନାହିଁ ରାଜନୈତିକ ଦଳ ଓ ପ୍ରାର୍ଥୀ । ପ୍ରାର୍ଥୀଙ୍କ ଅପରାଧୀକ ବିବରଣୀର ଘୋଷଣାନାମା ଜରୁରୀ । ରାଜନୈତିକ ଦଳ ଓ ପ୍ରାର୍ଥୀ ୩ଥର ଏହାକୁ ଜାରୀ କରିବେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ପୁନର୍ବାର ନୂଆପଡ଼ା ଉପନିର୍ବାଚନ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି ତୁରନ୍ତ ତାରକା ପ୍ରଚାରକଙ୍କ ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ।ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଆଜି (ଗୁରୁବାର) ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ଏହି ବୈଠକରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି ସେ । ନଭେମ୍ବର ୧୧ ତାରିଖରେ ହେବାକୁ ଯାଉଛି ନୂଆପଡ଼ା ଉପନିର୍ବାଚନ । ଆଜି ସବୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ।
"ଚଳିତ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି ।ଏଣୁ ନିର୍ବାଚନକୁ ସଫଳ କରିବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସମସ୍ତ ମାର୍ଗଦର୍ଶିକାକୁ କଡ଼ାକଡ଼ି ଅନୁପାଳନ କରିବା ପାଇଁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଅନୁରୋଧ କରାଯାଇଛି" ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍.ଗୋପାଳନ କହିଛନ୍ତି ।ଚଳିତବର୍ଷ ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ପ୍ରତି ବୁଥରେ ଭୋଟର ସଂଖ୍ୟା ୧୨୦୦ ମଧ୍ୟରେ ସୀମିତ କରାଯାଇଛି । ନୂଆପଡା ଉପନିର୍ବାଚନ ପାଇଁ ଚୂଡାନ୍ତ ହୋଇଛି ଭୋଟର ତାଲିକା । ମୋଟ ୨,୫୩,୬୨୪ ଜଣ ଭୋଟର ଚୂଡ଼ାନ୍ତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି । ସେଥିରେ ୧,୨୪,୧୦୮ ଜଣ ପୁରୁଷ ଭୋଟର ଅଛନ୍ତି । ୧,୨୯,୪୯୫ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ୨୧ ଜଣ ତୃତୀୟ ଲିଙ୍ଗ ଭୋଟର ସ୍ଥାନ ପାଇଛନ୍ତି । ଚୂଡ଼ାନ୍ତ ଭୋଟର ତାଲିକାରେ ୯,୪୨୯ ଜଣ ଯୁବ ଭୋଟର ରହିଥିବାବେଳେ ୩୯୮୮ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ସେହିପରି ୮୫ ବର୍ଷରୁ ଉର୍ଦ୍ଧ୍ବ ୧୭୮୬ ଜଣ ବରିଷ୍ଠ ନାଗରିକ ଅଛନ୍ତି ।
Comments ସମସ୍ତ ମତାମତ