ମୁଖ୍ୟ ଖବର
ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ଏଠାରେ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ଉପନିର୍ବାଚନ ଜିତିବା ପାଇଁ ଦଳ ସ୍ୱତନ୍ତ୍ର ରଣନୀତି ଆପଣାଇଛି । ପୂର୍ବରୁ ବହୁବାର ସ୍ୱାଧୀନ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିବା ଘାସିରାମଙ୍କ ଉପରେ କଂଗ୍ରେସ ଆସ୍ଥା ପ୍ରକଟ କରିଛି । ଦଳ ତାଙ୍କୁ ପ୍ରାର୍ଥୀ କରିଥିବାରୁ ଏଆଇସିସିକୁ ଧନ୍ୟବାଦ ଜଣାଇଛନ୍ତି ଘାସିରାମ ।ଚଳିତ ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେବା ପରେ ଘାସିରାମ କହିଛନ୍ତି ଉପନିର୍ବାଚନରେ ତ୍ରିମୁଖୀ ଲଢେଇ ହେବ । କଂଗ୍ରେସ ଜିତିବା ପାଇଁ ସବୁ ପ୍ରୟାସ କରିବ । ସବୁବେଳେ ସେ ଲୋକଙ୍କ ସହିତ ଛିଡା ହୋଇଥିବାରୁ ନୂଆପଡାବାସୀ ଏଥର ତାଙ୍କ ଉପରେ ଆସ୍ଥା ପ୍ରକଟ କରିବେ ବୋଲି ସେ ଆଶା କରିଛନ୍ତି । ଆଦିବାସୀଙ୍କ ଚେହେରା ହୋଇଥିବା ଘାସିରାମ ପୂର୍ବରୁ ସ୍ୱାଧୀନ ଭାବେ ବହୁବାର ନିର୍ବାଚନ ଲଢି ଶାସକ ଦଳଙ୍କୁ କଡା ଟକ୍କର ଦେଇଥିବା ସତ୍ୱେ ନିର୍ବାଚନ ହାରି ଯାଇଥିଲେ । ଲୋକଙ୍କ ସେବା ପାଇଁ ସେ ସ୍ୱାଧୀନ ଭାବେ ୨୦୧୪ରେ ନିର୍ବାଚନ ଲଡି ୩୯ହଜାର ଭୋଟ ପାଇଥିବା ବେଳେ ୨୦୧୯, ୪୫ହଜାର ପାଖାପାଖି ଭୋଟ ପାଇବା ସହ ୨୦୨୪ରେ ୫୦ହଜାର ଭୋଟ ପାଇଥିଲେ ।ଏଥର ଉପନିର୍ବାଚନରେ ତାଙ୍କ ପ୍ରତି ଶତପ୍ରତିଶତ ମତ ରହିବ ବୋଲି ସେ କହିଛନ୍ତି । ରାଜ୍ୟରେ ଶାସନ କରୁଥିବା ବିଜେପି ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ନିକଟର ହେବାକୁ ପ୍ରୟାସ କରୁଛି କଂଗ୍ରେସ । ଏହାସହିତ ବିଜେଡିର ପୂର୍ବ ନେତାମାନେ ମଧ୍ୟ ନୂଆପଡା ପାଇଁ କିଛି ବି କରିନଥିବା ଘାସିରାମ କହିଛନ୍ତି ।
Comments ସମସ୍ତ ମତାମତ