ମୁଖ୍ୟ ଖବର
ନୂଆଦିଲ୍ଲୀ: ଜୁନ୍ 2026ରେ ଅନୁଷ୍ଠିତ ହୋଇଥିବା UGC NET ପରୀକ୍ଷା ପୁନଃ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି । ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର (Sociology)ପାଇଁ ପୁଣିଥରେ ପରୀକ୍ଷା ଅନୁଷ୍ଠିତ ହେବ । ଏହି ତିନୋଟି ବିଷୟର ପ୍ରଶ୍ନପତ୍ରରେ ଗୁରୁତର ତ୍ରୁଟି ମିଳିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଏହି ନିଷ୍ପତ୍ତି ନେଇଛି । ଏହି ବିଷୟଗୁଡ଼ିକର ପରୀକ୍ଷାର୍ଥୀମାନଙ୍କୁ ପୁନଃ ପରୀକ୍ଷା ପାଇଁ କୌଣସି ଅତିରିକ୍ତ ଫି' ନିଆଯିବ ନାହିଁ ।
NTA, UGC NET ଜୁନ୍ 2026 ପରୀକ୍ଷା 22ରୁ 30 ଜୁନ୍ ମଧ୍ୟରେ 87ଟି ବିଷୟ ପାଇଁ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷା ଜୁନିଅର ରିସର୍ଚ୍ଚ ଫେଲୋସିପ୍ (JRF), ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ଯୋଗ୍ୟତା ଏବଂ ପିଏଚଡି ପ୍ରୋଗ୍ରାମରେ ପ୍ରବେଶ ପାଇଁ ଅନୁଷ୍ଠିତ ହୋଇଥିଲା ।
NTA ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, "ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର ଭଳି ତିନୋଟି ବିଷୟ ସମ୍ପର୍କରେ, NTA ଏହି ପତ୍ରଗୁଡ଼ିକରେ ଅନେକ ତ୍ରୁଟି ବିଷୟରେ ଅଭିଯୋଗ ପାଇଥିଲା । ତଦନୁସାରେ, NTA ଏହି ତ୍ରୁଟିଗୁଡ଼ିକର ତଦନ୍ତ ଏବଂ ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରିଥିଲା ।"
NTA ଅନୁଯାୟୀ, ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର ପତ୍ରରେ ତଥ୍ୟଗତ, ଟାଇପୋଗ୍ରାଫିକାଲ୍, ଅନୁବାଦ ଏବଂ ବ୍ୟାକରଣଗତ ତ୍ରୁଟି ମିଳିଥିଲା । ଏହା ବ୍ୟତୀତ, କିଛି ପ୍ରଶ୍ନର ଭାଷାରେ ତ୍ରୁଟି, ବିଦ୍ୱାନ ନାମ ଏବଂ ପୁସ୍ତକ ଶୀର୍ଷକଗୁଡ଼ିକର ଭୁଲ ବନାନ, ଏକାଧିକ ପ୍ରଶ୍ନ ପୁନରାବୃତ୍ତି ହେବା, ବିରାମ ଚିହ୍ନ ତ୍ରୁଟି ଏବଂ ପ୍ରଚଳିତ ଧାରଣା ପାଇଁ ନନ୍ ଷ୍ଟାଣ୍ଡାର୍ଡ ଟର୍ମ ବ୍ୟବହାର କରାଯାଇଥିବା ଭଳି ତ୍ରୁଟି ମଧ୍ୟ ସାମ୍ନାକୁ ଆସିଥିଲା । ଏହି କାରଣରୁ NTA ଏହି ତିନୋଟି ବିଷୟ ପାଇଁ UGC NET ପରୀକ୍ଷା ପୁନଃ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି ।
Comments ସମସ୍ତ ମତାମତ