ମୁଖ୍ୟ ଖବର
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଆର୍ଥିକ ଅନିୟମିତତା ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କ ସମେତ 7 ଜଣ ଅଭିଯୁକ୍ତଙ୍କୁ ମେ 8 ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଏପ୍ରିଲ 25 ତାରିଖରେ କୋର୍ଟ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିବାକୁ ମନା କରିଦେଇଥିଲେ। ଏଥିସହ କୋର୍ଟ ଆହୁରି ପ୍ରାସଙ୍ଗିକ କାଗଜପତ୍ର ଦାଖଲ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡିକୁ ନିର୍ଦ୍ଦେଶ ଦେଇଥିଲେ।ଶୁଣାଣି ସମୟରେ କୋର୍ଟ କହିଥିଲେ ଯେ, ଇଡିର ଅଭିଯୋଗରେ କିଛି କାଗଜପତ୍ର ହଜିଯାଇଛି। ଇଡି ପ୍ରଥମେ ସେହି ଡକ୍ୟୁମେଣ୍ଟଗୁଡ଼ିକ ଦାଖଲ କରିବା ଉଚିତ, ତା'ପରେ ହିଁ ସମନ ଜାରି କରିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। କୋର୍ଟ କହିଥିଲେ ଯେ, ଅଭିଯୁକ୍ତଙ୍କ ପକ୍ଷ ନ ଶୁଣି ଆମେ ନୋଟିସ୍ ଜାରି କରିପାରିବୁ ନାହିଁ। ଆପଣଙ୍କୁ କହି ରଖୁଛୁ ଯେ, ED 15 ଏପ୍ରିଲରେ କୋର୍ଟରେ ଏକ ଅଭିଯୋଗ ଦାଖଲ କରିଥିଲା। ଏହି ମାମଲାରେ ଇଡି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସାମ ପିଟ୍ରୋଡା ଏବଂ ସୁମନ ଦୁବେଙ୍କୁ ଅଭିଯୁକ୍ତ କରିଛି। ଇଡି ମନି ଲଣ୍ଡରିଂ ଆଇନର ଧାରା 44 ଏବଂ 45 ଅନୁଯାୟୀ ଏକ ଅଭିଯୋଗ ଦାଖଲ କରିଛି।
ଏହି ମାମଲାରେ, ଅଭିଯୋଗକାରୀ ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀର ବାହାଦୁର ଶାହ ଜାଫର ମାର୍ଗରେ ଅବସ୍ଥିତ 1600 କୋଟି ଟଙ୍କାର ହେରାଲ୍ଡ ହାଉସ୍ କୋଠାକୁ ଦଖଲ କରିବାର ଷଡ଼ଯନ୍ତ୍ରର ଅଂଶ ସ୍ୱରୂପ, ୟଙ୍ଗ ଇଣ୍ଡିଆନ୍ ଲିମିଟେଡକୁ AJLର ସମ୍ପତ୍ତି ଉପରେ ଅଧିକାର ଦିଆଯାଇଥିଲା। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ହେରାଲ୍ଡ ହାଉସକୁ ଏକ ଖବରକାଗଜ ଚଲାଇବା ପାଇଁ ଜମି ଦେଇଥିଲେ, ତେଣୁ ଏହାକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। ଅନ୍ୟପକ୍ଷରେ, ଗାନ୍ଧୀ ପରିବାର ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ ସେମାନଙ୍କୁ ଅଯଥା ହଇରାଣ କରିବା ଉଦ୍ଦେଶ୍ୟରେ କୋର୍ଟରେ ଆବେଦନ ଦାଖଲ କରାଯାଇଛି।
Comments ସମସ୍ତ ମତାମତ