Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତିନ ନବୀନ

    Share on :
    ajab-Image
    Date: May 17, 2026    Views: 3104

    ଭୁବନେଶ୍ୱର: ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ସୋମବାର ସକାଳୁ କୋର୍ କମିଟି ବୈଠକରେ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ । ପରେ ଜଟଣୀ ଯାଇ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଉଦ୍‌ଘାଟନ କରିବେ । ମଧ୍ୟାହ୍ନରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ଅପରାହ୍ନରେ ପୁଣି ଭୁବନେଶ୍ୱର ଫେରି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ବିଭିନ୍ନ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀମାନଙ୍କ ସହ ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମଥର ପାଇଁ ଶ୍ରୀ ନବୀନ ଓଡ଼ିଶା ଆସୁଛନ୍ତି । ସାରା ଦେଶରେ ଲାଗି ରହିଥିବା ତୈଳ ସମସ୍ୟାକୁ ଦେଖି ସେ ସ୍ୱତନ୍ତ୍ର ବିମାନ ବଦଳରେ ସାଧାରଣ ଯାତ୍ରୀବାହୀ ବିମାନରେ ଆସିବେ । ରବିବାର ରାତି ପ୍ରାୟ ସାଢ଼େ ୧୦ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ତାଙ୍କୁ ନିରାଡମ୍ବର ଭାବେ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯିବ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ସମେତ ରାଜ୍ୟର ଶୀର୍ଷ ନେତୃବୃନ୍ଦ ବିମାନବନ୍ଦରରେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବେ ।
    ଶ୍ରୀ ନବୀନଙ୍କ ଗସ୍ତ କାର୍ୟ୍ୟକ୍ରମ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି, ରାଷ୍ଟ୍ରୀୟ ସଭାପତି ସୋମବାର ସକାଳ ସାଢ଼େ ୮ଟାରେ ବିଜେପି ଅଫିସ୍ରେ କୋର୍ କମିଟି ବୈଠକରେ ସାମିଲ ହେବେ । ଏହାପରେ ଜଟଣୀ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଫିଜିକାଲ ହେଲ୍ଥ (ଏଆଇପିଏଚ୍) ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ହେବାକୁ ଥିବା ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଉଦ୍‌ଘାଟନ କରିବେ । କାର୍ୟ୍ୟକ୍ରମ ସାରି ସେ ପୁରୀ ଯିବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିବେ ।
    ଅପରାହ୍ନରେ ଭୁବନେଶ୍ୱର ଫେରି ରାଜ୍ୟ କାର୍ୟ୍ୟାଳୟରେ ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ସହ ବୈଠକ କରିବେ । ଆସନ୍ତା ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ବିସ୍ତୃତ ଆଲୋଚନା କରିବେ । ଏହାପରେ ମନ୍ତ୍ରୀମାନଙ୍କ ସହ ବୈଠକରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ମନ୍ତ୍ରୀମାନେ ଏଥିରେ ଉପସ୍ଥିତ ରହିବେ । ଆଗକୁ ସରକାରଙ୍କ କାର୍ୟ୍ୟକାଳକୁ ଦୁଇ ବର୍ଷ ପୂରଣ ହେଉଥିବାରୁ ମନ୍ତ୍ରୀମାନେ ତାଙ୍କୁ ନିଜର ରିପୋର୍ଟ କାର୍ଡ ଦେଇପାରନ୍ତି ବୋଲି ସୂଚନା ମିଳିଛି ।
    ସରକାର ଓ ସଂଗଠନ ମଧ୍ୟରେ କିଭଳି ଉତ୍ତମ ସମନ୍ୱୟ ରହିବ ତା ଉପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଲୋଚନା କରିବେ । ପୁଣି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଏବଂ ବୋର୍ଡ, ନିଗମ ନିଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ କୋର୍ କମିଟି ବୈଠକରେ ଉଠିପାରେ । ବିଜେପି ପ୍ରଥମଥର ପାଇଁ ରାଜ୍ୟରେ ସରକାର କରିଛି । ପ୍ରତି ଗାଁରୁ ନେଇ ସହର ଯାଏ, ସବୁଠି ସଂଗଠନ କେମିତି ଆହୁରି ମଜଭୁତ ହେବ ସେ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ମନ୍ତ୍ର ଦେବେ । ପଞ୍ଚାୟତ ନିର୍ବାଚନରେ ଦଳ ଯେମିତି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଏବେଠାରୁ ରଣନୀତି ପ୍ରସ୍ତୁତି ଉପରେ ସେ ଜୋର୍ ଦେଇପାରନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook