ମୁଖ୍ୟ ଖବର
ଭୁବନେଶ୍ଵର : ବିଜେପି କୋର କମିଟି ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ବାର୍ତ୍ତା। ସରକାର ଏବଂ ସଙ୍ଗଠନ ପାଇଁ ସ୍ବତନ୍ତ୍ର ପରାମର୍ଶ ଦେଲେ ନୀତିନ। ୨୦୩୬ ବିକଶିତ ଓଡ଼ିଶା ଗଠନରେ ରୋଡ୍ ମ୍ୟାପ ନେଇ ସେ ୫ଟି ପରାମର୍ଶ ଦେଇଛନ୍ତି। ସଙ୍ଗଠନ କିପରି ଶକ୍ତିଶାଳୀ ହେବ, ସେ ନେଇ ଟାସ୍କ ଦେଇଛନ୍ତି। ସେ ସଙ୍ଗଠନକୁ ଗୁରୁତ୍ୱ ଦେଇ କହିଛନ୍ତି ଯେ, ସଙ୍ଗଠନ ସୁସ୍ଥ ରହିଲେ ସରକାର ଆଗକୁ ବଢିବ। ସଂଗଠନ ପାଇଁ ଯେତେ ପାରୁଛ କର ଅଳ୍ପରେ ସନ୍ତୁଷ୍ଟ ହୁଅ ନାହିଁ । ସରକାର୍ କିପରି ଆହୁରି ନିଖୁଣତାର ସହ ଲୋକଙ୍କ ପାଖେ ପହଞ୍ଚିବ, ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ତାକୁ ମନ୍ତ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।
ବିଜେପି ରାଜ୍ୟ କାର୍ୟ୍ୟାଳୟରେ ବସିଥିବା କୋର କମିଟି ବୈଠକ ଶେଷ ହୋଇଛି। ଏହି ବୈଠକରେ ସଙ୍ଗଠନ ଆଉ ସମନ୍ଵୟ ଉପରେ ନୀତିନ ନବୀନ ଗୁରୁ ମନ୍ତ୍ର ଦେଇଛନ୍ତି। ତୃଣମୂଳ ସ୍ତରରେ ଦଳ କିଭଳି ମଜବୁତ ହେବ ସେନେଇ ଫିଡବ୍ୟାକ୍ ନେଇଛନ୍ତି। ସରକାର ଆଉ ସଙ୍ଗଠନ କିଭଳି ସାମନ୍ତରଲ ଭାବେ ଆଗକୁ ବଢ଼ିବ ତାଉପରେ ଗୁରୁତ୍ଵାରୋପ କରିଛନ୍ତି। ଏନେଇ ବିଜେପି ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର କିଭଳି ଭଲରେ ଲୋକଙ୍କ ପାଇଁ କାମ କରିବ। ସମୃଦ୍ଧ ଓଡ଼ିଶା ଗଠନରେ ପ୍ରାଧାନ୍ୟ ଦେବା ଲାଗି ନୀତିନ ନବୀନ ଗୁରୁମନ୍ତ୍ର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ବିକାଶର ନୂତନ ଦିଗକୁ ନେଇଛି ବୋଲି ବୈଠକ ସରିବା ପରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୀତିନ ପୋଷ୍ଟ କରିଛନ୍ତି।.
ସୂଚନାନୁଯାୟୀ, କୋର କମିଟି ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଯୋଗ ଦେଇଛନ୍ତି। ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବସନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସମ୍ବିତ ପାତ୍ର, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଅଛନ୍ତି।
Comments ସମସ୍ତ ମତାମତ