Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    "ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଥିଲେ ପ୍ରଜ୍ଞାଦୀପ୍ତ ପୁରୁଷ"

    Share on :
    ajab-Image
    Date: Dec 15, 2025    Views: 3096

    ଭୁବନେଶ୍ୱର:  ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଏକାଧାରରେ ଥିଲେ ସଂଗ୍ରାମୀ, ସଂସ୍କାରକ ଓ ସମାଜସେବକ । ସେ ଥିଲେ ପ୍ରଜ୍ଞାଦୀପ୍ତ ପୁରୁଷ। ସେ ଓଡ଼ିଆ ପତ୍ରପତ୍ରିକା ଓ ଭାଷା ଆନ୍ଦୋଳନର ଭିତ୍ତି ସ୍ଥାପନ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ତାଙ୍କ ଉଦ୍ୟମ ତାଙ୍କୁ ଏହି ଆନ୍ଦୋଳନର ପ୍ରମୁଖ ବିନ୍ଧାଣୀ ଭାବରେ ସ୍ମରଣୀୟ ରଖିଛି । ତାଙ୍କର ଗଭୀର ବୁଦ୍ଧି ଏବଂ ନେତୃତ୍ୱ ଅନେକ ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ଏକଜୁଟ କରିବା ସହିତ ଏକ ପୃଥକ ଓଡ଼ିଶା ପ୍ରଦେଶ ଗଠନ କରିବା ପାଇଁ ପ୍ରେରଣା ଦେଇଥିଲା। ତାଙ୍କର ଜ୍ଞାନ ଏବଂ ନିଷ୍ଠା କେବଳ ବ୍ରିଟିଶ ସରକାରଙ୍କୁ ଆହ୍ୱାନ କରି ନଥିଲା ବରଂ ଅଗଣିତ ବ୍ୟକ୍ତିଙ୍କ ହୃଦୟ  ଜିତିଥିଲା ବୋଲି ରାଜ୍ୟସ୍ତରୀୟ ଜୟନ୍ତୀରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । 
     ସ୍ଥାନୀୟ ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ବିଧାୟକ ତଥା  ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ସଭାପତି ଶ୍ରୀଯୁକ୍ତ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ କହିଲେ ଯେ ସ୍ୱତନ୍ତ୍ର ଉତ୍କଳ ପ୍ରେଦେଶ ଗଠନର ପ୍ରମୁଖ ବିନ୍ଧାଣୀ ଥିଲେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ। ତାଙ୍କ ୧୫୮ତମ ଜୟନ୍ତୀ ଅବସରରେ ମୁଁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଏକାଧାରରେ ଜଣେ ଦେଶପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାହିତ୍ୟିକ ଏବଂ ସମ୍ପାଦକ ଥିଲେ । ସେ ଓଡ଼ିଆ ପତ୍ରପତ୍ରିକା ଓ ଭାଷା ଆନ୍ଦୋଳନର ଭିତ୍ତି ସ୍ଥାପନ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରି ସେ ଓଡ଼ିଆ ଅସ୍ମିତାଙ୍କୁ ମଜବୁତ କରିଛନ୍ତି । ରାଜ୍ୟରେ ସାଂସ୍କୃତିକ ଜାଗରଣ ଏବଂ ସମାଜ ସଂସ୍କାରକ ଭାବେ ତାଙ୍କ କୃତି ଓ ସ୍ୱୀକୃତିକୁ ଏ ଜାତି ଆଜି ବି ସ୍ମରଣ କରୁଛି । ସେ ଓଡ଼ିଆ ଭାଷା ସାହିତ୍ୟର ପୃଷ୍ଠପୋଷକ ଥିଲେ । ଜଣେ ପ୍ରଜ୍ଞାଦୀପ୍ତ ପୁରୁଷ ଭାବେ ଓଡ଼ିଆ ଜାତି ତାଙ୍କୁ ସବୁଦିନ ପାଇଁ ମନେ ରଖିବା ସହିତ ଓଡ଼ିଶା ଇତିହାସରେ ତାଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ । 
            ବିଶିଷ୍ଟ ଶିକ୍ଷାବିତ,ଗବେଷକ ତଥା ଲେଖକ ଓଡ଼ିଶା ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାରତ୍ନଙ୍କ ଜୀବନୀ ଓ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଲେ ଯେ ବିଦ୍ୟାରତ୍ନ ‘ସଂସ୍କାରକ', ‘ସମ୍ବଲପୁର ହିତୈଷିଣୀ’, ‘ଉତ୍କଳ ମଧୁପ’, ଉତ୍କଳ ଦୀପିକା,‘ପ୍ରଜାବନ୍ଧୁ’ ଇତ୍ୟାଦି ସମ୍ବାଦପତ୍ରର ସଂପାଦନା କରି ଓଡ଼ିଆ ପତ୍ରିକା ସଂପାଦନା ଓ ଶୁଦ୍ଧ ପାଠ୍ୟପୁସ୍ତକ ସଂପାଦନାକୁ ମହତ୍ତର ଉଚ୍ଚତା ପ୍ରଦାନ କରିଛନ୍ତି । ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସାହିତ୍ୟ, ସଂସ୍କୃତି ଏବଂ ସମାଜ ସଂସ୍କାରରେ ଜଣେ ମହାନ ବ୍ୟକ୍ତିତ୍ୱ ଭାବରେ ଉଭା ହୋଇଥିଲେ । ତାଙ୍କର ଅସାଧାରଣ ପାଣ୍ଡିତ୍ୟ, ସୃଜନଶୀଳତା, ସାହସ ଏବଂ ଦେଶପ୍ରେମ ପାଇଁ ତତ୍କାଳୀନ ବଡମ୍ବା ରାଜ୍ୟର ମହାରାଣୀ ତାଙ୍କୁ 'ବିଦ୍ୟାରତ୍ନ' ଉପାଧିରେ ସମ୍ମାନିତ କରିଥିଲେ । ସାହିତ୍ୟ ପ୍ରତି ତାଙ୍କର ଅତୁଟ ଉତ୍ସର୍ଗୀକୃତ ସୃଷ୍ଟି ଆମ ଓଡ଼ିଆ ସହତ୍ୟକୁ ରୁଦ୍ଧିମନ୍ତ କରିଛି। ଜଣେ ଅନନ୍ୟ ସାମ୍ବାଦିକ ଭାବେ ସମ୍ବାଦପତ୍ର ମାଧ୍ୟମରେ ଦୁର୍ଦର୍ଶ ବ୍ରିଟିଶ ଶାସନ ଉପରେ ପ୍ରହାର କରିଥିଲେ ଯାହା ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ନିମନ୍ତେ ପଥ ଉନ୍ମୁକ୍ତ କରିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ସେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିଛନ୍ତି । ସ୍ପଷ୍ଟବାଦିତା ଓ ନିର୍ଭୀକତା ତାଙ୍କ ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ ଥିଲା ବୋଲି ଡ. ନନ୍ଦ ପ୍ରକାଶ କରିଥିଲେ । 
               ସମ୍ମାନୀୟ ଅତିଥିଭାବେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ସଂପାଦକ ଡା. କୃଷ୍ଣକେଶବ ଷଡଙ୍ଗୀ ପଣ୍ଡିତ ବିଦ୍ୟାରତ୍ନଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବାକୁ ଯାଇ କହିଲେ ଯେ ବିଦ୍ୟାରତ୍ନ ଥିଲେ ସାମ୍ବାଦିକତାର ଭୀଷ୍ମ ପିତାମହ। ଜଣେ ସମ୍ରାନ୍ତ ପତ୍ରିକା ସମ୍ପାଦକ ଭାବରେ ସେ ଉଚ୍ଚାରଣ ଏବଂ ଲେଖାର ଶୁଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଓଡ଼ିଆ ଭାଷା ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜଣେ ସମାଜ ସଂସ୍କାରକ ଭାବେ ନୀଳମଣି ବିଦ୍ୟାରତ୍ନଙ୍କୁ ଓଡ଼ିଆ ଜାତି ନମସ୍ୟ ପୁରୁଷ ଭାବରେ ମନେ ରଖିବ ବୋଲି କହିଥିଲେ ।
          ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ( ବୈଷୟିକ ) ଶ୍ରୀ ଗୁରବୀର ସିଂହ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ ଓଡ଼ିଶା ନବଜାଗରଣର ଅନନ୍ୟ ଅଗ୍ରଦୂତ ଭାବେ ପରିଚିତ ପଣ୍ଡିତ ବିଦ୍ୟାରତ୍ନଙ୍କ ଚିନ୍ତା, ଚେତନା, ଲେଖନୀ ଓ କର୍ମଧାରା ଆଜି ବି ଆମକୁ ପଥ ପ୍ରଦର୍ଶନ କରୁଛି। ଓଡ଼ିଶା ନବଜାଗରଣର ଅନନ୍ୟ ଅଗ୍ରଦୂତ ଭାବେ ପରିଚିତ ପଣ୍ଡିତ ବିଦ୍ୟାରତ୍ନଙ୍କ ଚିନ୍ତା, ଚେତନା, ଲେଖନୀ ଓ କର୍ମଧାରା ଆଜି ବି ଆମକୁ ପଥ ପ୍ରଦର୍ଶନ କରୁଛି ବୋଲି ଶ୍ରୀ ସିଂହ କହିଥିଲେ ।
         ସଭା ପ୍ରାରମ୍ଭରେ ଅତିଥିମାନେ ପଣ୍ଡିତ ବିଦ୍ୟାରତ୍ନଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିବାବେଳେ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର, କେନ୍ଦ୍ରାପଡ଼ାର କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା ।  ଲୋକ ସମ୍ପର୍କ ଅଧିକାରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବିଭାଗୀୟ ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । 
    ଜୟଦେବ ବିହାର ଛକ ଭୁବନେଶ୍ବର ସ୍ଥିତ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୂଖ ବିନ୍ଧlଣୀ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପ୍ରଭାତ କୁମାର ତ୍ରିପାଠୀ, ପ୍ରlକ୍ଟନ ବିଧାୟକ ମନ୍ତ୍ରୀଙ୍କ ତଥା ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ସଭାପତି,  ସୂଚନା  ଓ  ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଶ୍ରୀଯୁକ୍ତ  ଗୁରବୀର ସିଂହ, ବିଭାଗୀୟ ଉପ  ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ବିଭାଗୀୟ ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦୀପକ କୁମାର ସାହୁ, ରାଜ୍ୟ ସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦ, ଭୁବନେଶ୍ବର ସମ୍ପାଦକ, ଡା କୃଷ୍ଣ କେଶବ ଷଡ଼ଙ୍ଗୀ, ବିଭିନ୍ନ ସାମାଜିକ ଅନୁଷ୍ଠାନ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ  
    କରିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook