Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନୂଆଦିଲ୍ଲୀ ବିସ୍ଫୋରଣ ଘଟଣା,ଏନଆଇଏ ଚାର୍ଜସିଟ୍‌ରେ ୧୦ ଅଭିଯୁକ୍ତ

    Share on :
    ajab-Image
    Date: May 15, 2026    Views: 2644

    ନୂଆଦିଲ୍ଲୀ: ଗତବର୍ଷ ନଭେମ୍ବର ୧୦ରେ ନୂଆଦିଲ୍ଲୀର ଲାଲକିଲା ଅଞ୍ଚଳରେ ଘଟିଥିବା ଆତ୍ମଘାତୀ କାର୍‌ ବୋମା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଗୁରୁବାର ପଟିଆଲା ହାଉସସ୍ଥିତ ସ୍ବତନ୍ତ୍ର ଏନଆଇଏ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ୭୫୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍‌ରେ ୧୦ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଅଭିଯୁକ୍ତମାନେ ହେଲେ ଡା.ଉମର ନବି, ଡା.ମୁଜାମିଲ ସକିଲ, ଡା.ଆଦିଲ ଅହମ୍ମଦ ରାଠେର, ଡା.ସାହିନ ସୟିଦ, ଡା.ବିଲାଲ ନାସିର ମଲ୍ଲ, ଅମୀର ରସିଦ ମୀର, ଯସିର ବିଲାଲ ୱାନି, ମୁଫ୍‌ତି ଇର୍ଫାନ ଅହମ୍ମଦ ୱାଗେ, ସୋଏବ ଓ ୟାସିର ଅହମ୍ମଦ ଦାର୍‌। ସମସ୍ତ ଅଭିଯୁକ୍ତ ଅଲ କାଏଦା ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତ ଥିବା ‘ଅନ୍‌ସାର ଗଜୱାତ୍‌-ଉଲ-ହିନ୍ଦ’ ସଂଗଠନର ସଦସ୍ୟ ବୋଲି ଏନଆଇଏର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଭାରତୀୟ ନ୍ୟାୟ ସଂହିତା, ୟୁଏପିଏ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରଣ ସାମଗ୍ରୀ ଆଇନର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ୫୮୮ ଜଣଙ୍କ ସାକ୍ଷ୍ୟପ୍ରମାଣ, ୩୯୫ କାଗଜପତ୍ର ଏବଂ ୨୦୦ରୁ ଅଧିକ ଜବତ ସାମଗ୍ରୀକୁ ଆଧାର କରି ଏହି ଚାର୍ଜସିଟ୍‌ ପ୍ରସ୍ତୁତ କରାଯାଇଛି।
    ସୂଚନାଯୋଗ୍ୟ ନଭେମ୍ବର ୧୦ରେ ମୁଖ୍ୟ ଅଭିଯୁକ୍ତ ଡା.ଉମର ନବି ଲାଲକିଲା ଅଞ୍ଚଳରେ ଡ୍ରାଇଭ କରୁଥିବା ଏକ କାର୍‌ରେ ରଖାଯାଇଥିବା ବୋମା ବିସ୍ଫୋରଣ କରିଥିଲେ। ଫଳରେ ନବି ସମେତ ୧୫ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ୩୫ରୁ ଅଧିକ ଲୋକ ଆହତ ହୋଇଥିଲେ। ଦିଲ୍ଲୀ ପୁଲିସ ସେତେବେଳେ ଫରିଦାବାଦସ୍ଥିତ ଅଲ୍‌ ଫଲାହ୍‌ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଦୁଇଜଣ ଡାକ୍ତର ମୁଜାମିଲ ସକିଲ ଓ ସାହିନ ସୟିଦଙ୍କ ସମେତ ମୋଟ ୧୧ ଜଣଙ୍କୁ ଗିରଫ କରିଥିଲା।

    ଆଉ କେତେକ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଗିରଫ ଉଦ୍ୟମ ଜାରି ରହିଛି। ଅଲ୍‌ ଫଲାହ୍‌ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରତ୍ୟାହାର କରାଯାଇଥିବାବେଳେ ଏହାର ପ୍ରତିଷ୍ଠାତା ଜାଭେଦ ସିଦ୍ଦିକୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଦିଲ୍ଲୀ ବିସ୍ଫୋରଣର ନକ୍‌ସା ଜାମ୍ମୁ-କାଶ୍ମୀରରେ ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ଅଲ୍‌ ଫଲାହ୍‌ ବିଶ୍ବବିଦ୍ୟାଳୟରେ ଏହାକୁ ଚୂଡାନ୍ତ ରୂପ ଦିଆଯାଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook