ମୁଖ୍ୟ ଖବର
ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ସୁନ୍ଦରପଦା ନିୟୁ ଆଜାଦ୍ନଗରରେ ବୋମା ଭିଡ଼ିବା ବେଳେ ବିସ୍ଫୋରଣ ଘଟଣା ଏବେ ନୂଆ ମୋଡ଼ ନେଇଛି । ଅଭିଯୁକ୍ତମାନେ ବୋମାରେ ହେକ୍ସାହାଇଡ୍ରା-ଟ୍ରାଇନାଇଟ୍ରୋ -ଟ୍ରାୟାଜାଇନ୍ ଭଳି ରାସାୟନିକ ବ୍ୟବହାର କରିଥିବା ପ୍ରମାଣ ମିଳିବା ପରେ ଘଟଣାକୁ ଗମ୍ଭୀରତାର ସହ ନେଇଛି ଏନ୍ଆଇଏ । ଖାଲି ସେତିକି ନୁହେଁ ମୃତ ସାହାନବାଜ ମଲ୍ଲିକ ଓରଫ୍ ମଫିର ଆକାଉଣ୍ଟ ଯାଞ୍ଚ କରିଛି ଟିମ୍ ।ଗତ ୨୭ ତାରିଖ ଅପରାହ୍ଣ ପ୍ରାୟ ୨ଟା ୪୫ରେ ଭଡ଼ା ଘର ଛାତ ଉପରେ ସାହାନବାଜ ମଲ୍ଲିକ ଓରଫ୍ ମଫି ବୋମା ତିଆରି କରୁଥିଲା । ତାକୁ ସହଯୋଗ କରୁଥିଲା ଅମୀୟରଞ୍ଜନ ମଲ୍ଲିକ । ପାଖରେ ଠିଆ ହୋଇଥିଲେ ମଫିର ମା ଲିଜାତୁନ ବିବି । ଟିକିଏ ଦୂରରେ ଥିଲା ପ୍ରେମିକା ତୃପ୍ତିମୟୀ ମାହାଲ । ବୋମା ଭିଡ଼ୁ ଭିଡୁ ଏହା ବିସ୍ଫୋରଣ ହୋଇଥିଲା । ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଥିଲା ତିଆରି ହେଉଥିବା ବୋମାରେ ଅଭିଯୁକ୍ତମାନେ ହେକ୍ସାହାଇଡ୍ରାଟ୍ରାଇନାଇଟ୍ରୋ-ଟ୍ରାୟାଜାଇନ୍ ରାସାୟନିକ ବ୍ୟବହାର କରିଥିଲେ ।ଏ ସବୁ ରାସାୟନିକ ଆରଡିଏକ୍ସରେ ବ୍ୟବହାର ହୋଇଥାଏ । ଏ କଥା ଜଣାପଡିବା ପରେ ତଦନ୍ତକୁ ଏନ୍ଆଇଏ ଟିମ୍କୁ ହସ୍ତାନ୍ତର ହୋଇଥିଲା । ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ହସ୍ପିଟାଲ୍ରେ ଆହତମାନଙ୍କୁ ଜେରା କରିଥିଲା । ଏବେ ବିସ୍ଫୋରଣରେ କେଉଁ ରାସାୟନିକ ବ୍ୟବହାର ହୋଇଥିଲା ତାହର ରିପୋର୍ଟ ଆସିଛି ।
ମଫି ଓ ତା’ ମା’ଙ୍କର ମୃତ୍ୟୁ ହୋଇ ସାରିଛି । ବୋମା ବିଷୟରେ ଜାଣିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କ ପାଖରେ ୨ଟି ବାଟ । ଗୋଟିଏ ଚିକିତ୍ସିତ ହେଉଥିବା ଦୁଇ ଆହତ ଓ ମଫିର ମୋବାଇଲ୍ । ଆହତ ଦୁଇ ଜଣ କେହି ମୁହଁ ଖୋଲୁ ନଥିବା ବେଳେ ଏବେ ଶେଷ ଭରଷା ମୋବାଇଲ୍ । ବିସ୍ଫୋରଣରେ ମୋବାଇଲ୍ ଭାଙ୍ଗି ଯାଇଛି । ଉକ୍ତ ମୋବାଇଲ୍ ଲ୍ୟାବକୁ ଯାଇଛି । ଲ୍ୟାବ୍ରୁ ଆସିବା ପରେ ଜଣାପଡିବ ଏମାନେ ରାସାୟନିକ କେଉଁଠୁ ଆଣିଥିଲେ । କାହା ପାଇଁ ତିଆରି ହେଉଥିଲା ବୋମା ଏବଂ କେତେ ଟଙ୍କାର ଡିଲ୍ ହୋଇଥିଲା । ଗତ କିଛି ମାସ ଧରି ମଫି ସହ ହୋଇଥିବା ଟଙ୍କା କାରବାରରେ ଯାହାର ଲିଙ୍କ୍ ଆସିବ ତାଙ୍କୁ ଏନଆଇଏ ତଦନ୍ତ ପରିସରଭୁକ୍ତ କରିବ ।
Comments ସମସ୍ତ ମତାମତ