ମୁଖ୍ୟ ଖବର
ତେଲ୍ଆଭିଭ୍: ଇରାନ ବିରୋଧୀ ଯୁଦ୍ଧରେ ସାମିଲ ହେବା ଲାଗି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବିଶ୍ବ ନେତାଙ୍କୁ ଆହ୍ବାନ ଦେଇଛନ୍ତି। ରବିବାର ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ସଫଳ କରିବା ଲାଗି ଅନ୍ୟ ରାଷ୍ଟ୍ରଗୁଡିକ ସହଯୋଗ କରିବା ଦରକାର। ଇରାନ ସମଗ୍ର ବିଶ୍ବ ପାଇଁ ବିପଦ ଭାବେ ଉଭା ହେବାକୁ ଯାଉଛି। ଏପରି ବିପଦକୁ ପ୍ରତିହତ କରିବା ସମଗ୍ର ବିଶ୍ବର ଦାୟିତ୍ବ। ଇରାନର କ୍ଷେପଣାସ୍ତ୍ର ମାଡରେ କ୍ଷତିଗ୍ରସ୍ତ ହୋଇଥିବା ଇସ୍ରାଏଲର ଆରାଦ ସହର ପରିଦର୍ଶନ କରିବା ଅବସରରେ ସେ କହିଛନ୍ତି ଯେ ଗତ ୪୮ ଘଣ୍ଟା ମଧ୍ୟରେ ଇରାନ ଯେଉଁସବୁ ଶକ୍ତିଶାଳୀ ଅସ୍ତ୍ର ପ୍ରୟୋଗ କରିଛି ତାହା ପ୍ରମାଣିତ କରୁଛି ଯେ ଇରାନ କେବଳ ଇସ୍ରାଏଲ ପାଇଁ ବିପଦ ନୁହେଁ ବରଂ ଏହା ସମଗ୍ର ବିଶ୍ବ ପାଇଁ ବିପଦ। ଆରାଦ ସହରର ସାଧାରଣ ଆବାସିକ ଅଞ୍ଚଳ, ଜେରୁଜେଲମ୍ର ଧାର୍ମିକସ୍ଥଳକୁ ଇରାନ କ୍ଷେପଣାସ୍ତ୍ର ମାଡ କରିଛି। ଇରାନର ଏପରି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତାଙ୍କ ଜୀବନହାନି ଘଟାଇବା। ଆଗାମୀ ଦିନରେ ଇରାନ ଅଧିକ ଭୟଙ୍କର ହେବା ପୂର୍ବରୁ ଏହାକୁ ମିଳିତ ଭାବେ ଦମନ କରାଯିବା ଦରକାର।
Comments ସମସ୍ତ ମତାମତ