Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଣି ବିରୋଧୀଙ୍କୁ ଏଭଳି କହିଲେ ନବୀନ

    Share on :
    ajab-Image
    Date: Oct 2, 2023    Views: 3138

    ଭୁବନେଶ୍ୱର: ବିଧାନସଭାରେ ବିରୋଧୀ ଦଳଙ୍କୁ ଜନବିରୋଧୀ କହିବା ପରେ ଏବେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ନିଶାନା କରିଛନ୍ତି । ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ।  ବିରୋଧୀ ବିକାଶ ବିରୋଧୀ ଓ ଜନବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    ଏହାଛଡ଼ା ସେ କହିଛନ୍ତି ଯେ ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ ଖବର ଦେବା, ଭ୍ରମିତ କରିବା ସେମାନଙ୍କ କାମ ହୋଇଛି । ନିର୍ବାଚନ ଆସିଲେ ସେମାନେ ଏମିତି କରନ୍ତି । ସେଥିପାଇଁ ସେମାନଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି । ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନବିରୋଧୀ । ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର କାର୍ଯ୍ୟରେ ବି ବାଧା ଦେବାକୁ ସେମାନେ ଚେଷ୍ଟା କରିଥିଲେ । ଲୋକେ ସେମାନଙ୍କୁ କ୍ଷମା ଦେବେନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । 

    ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗାନ୍ଧିଜୀ ଆମକୁ ସବୁବେଳେ ପ୍ରେରଣା ଦେଇ ଆସିଛନ୍ତି। ବିଜୁ ଜନତା ଦଳ ଗରିବ, ମହିଳା, ଯୁବ, ଏସସି ଓ ଏସଟିଙ୍କ ପାଇଁ କାମ କରୁଛି। ମହିଳା ସଶକ୍ତିକରଣ ଦିଗରେ କାମ କରୁଛୁ । ମହିଳା ଆଇନ ଆମ ବହୁଦିନର ଉଦ୍ୟମ ଥିଲା, ତାହା ସଫଳ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗେମ ଚେଞ୍ଜର ହୋଇଛି। ସ୍କୁଲ ରୁପାନ୍ତରଣ, ଖାଦ୍ୟ ସୁରକ୍ଷା, କ୍ରୀଡ଼ାର ବିକାଶ କ୍ଷେତ୍ରରେ ଓଡ଼ିଶା ଉଦାହରଣ ସାଜିଛି।

    ପ୍ରକାଶ ଯେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ‘ଜନ ସମ୍ପର୍କ ପଦଯାତ୍ରା’। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ରାଜ୍ୟବ୍ୟାପୀ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ-୫୭ ସ୍ଥିତ ବରଗଡ଼ ବ୍ରିଟ୍‌‌ କଲୋନୀ ନେତାଜୀ ପଡ଼ିଆରୁ ପଦଯାତ୍ରାର ଶୁଭାରମ୍ଭ ହୋଇଛି। ଅକ୍ଟୋବର ୨ ତାରିଖରୁ ଅକ୍ଟୋବର ୧୧ ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ପଦଯାତ୍ରା ଚାଲିବ। ଏହି ପଦଯାତ୍ରା ଅବସରରେ ଗାନ୍ଧୀ ଜୟନ୍ତୀ, ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ସମେତ ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ।

    ଗତ୨୬ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ୟ୍ୟବେକ୍ଷକ, ସଂଯୋଜକ, ସାଂସଦ, ବିଧାୟିକା, ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ଛାମୁଆ ସଂଗଠନର ରାଜ୍ୟ ସଭାପତି, ବିଜେଡି ବ୍ଲକ ଓ ନଗର ସଭାପତିଙ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ୟ୍ୟନ୍ତ ପଦଯାତ୍ରା ପରେ ଅକ୍ଟୋବର ୧୨ ତାରିଖରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟ/ସଦସ୍ୟାମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲ୍ଲାପରିଷଦ ଜୋନ୍‌‌ ସ୍ତରୀୟ ଓ ପୌରାଞ୍ଚଳସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯିବ। ଉପରୋକ୍ତ କାର୍ୟ୍ୟକ୍ରମ ପରେ ପରେ ଦଳର ସାଂଗଠନିକ କାର୍ୟ୍ୟକ୍ରମକୁ ବୈଠକ ଓ ଜନସମ୍ପର୍କ କାର୍ୟ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡରେ ଆମ ସରକାରର ଲୋକାଭିମୁଖୀ କାର୍ୟ୍ୟକ୍ରମର ବାର୍ତ୍ତା ପହଞ୍ଚାଇବ ଦଳ। ଏହା ସହିତ ବିଜେଡି ପକ୍ଷରୁ ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ୟ୍ୟକ୍ରମ ହାତକୁ ନିଆଯିବ। ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀମାନଙ୍କରେ ପାଳନ କରାଯିବ। ଏହି ଅବସରରେ ମହାନ୍‌‌ ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ର ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ।

    Maximum 500 characters

    ତାଜା ଖବର View all

    Find Us on Facebook