ମୁଖ୍ୟ ଖବର
ଭୁବନେଶ୍ବର : ବିଜେଡିର ମୁଖ୍ୟ କାର୍ୟ୍ୟାଳୟ ଶଙ୍ଖ ଭବନରେ ସାଧାରଣତନ୍ତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଆୟୋଜିତ ସମାବେଶରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଭାରତ ଏକ ମହାନ ଦେଶ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆମ ସ୍ୱାଧୀନତା ସଂଗ୍ରାମ ସାରା ବିଶ୍ୱକୁ ଶାନ୍ତି,ଅହିଂସା ଓ ମୈତ୍ରୀର ବାର୍ତ୍ତା ଦେଇଛି। ଏହି ଅବସରରେ ଆମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମୋର ସମ୍ମାନ ଜଣାଉଛି।
ଏହି ଅବସରରେ ନବୀନ ଆହୁରି ମଧ୍ୟ କହିଥିଲେ ଯେ ଆମ ସମ୍ବିଧାନର ଜନକ ଡ଼କ୍ଟର ବି ଆର ଆମ୍ବେଦକରଙ୍କୁ ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆମ ସମ୍ବିଧାନ ହେଉଛି ଏକତାର ଗ୍ରନ୍ଥ, ବହୁ ଭାଷା ଧର୍ମ ଜାତିକୁ ନେଇ ଗଠିତ ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ଆମ ସମ୍ବିଧାନ ସଫଳ ହୋଇଛି। ନ୍ୟାୟ, ସ୍ୱାଧୀନତା, ଭାତୃତ୍ୱ ଏବଂ ସମାନତା ହେଉଛି ଆମ ସମ୍ବିଧାନର ସ୍ତମ୍ଭ। ସଂଘୀୟତା ହେଉଛି ଆମର ଏକତାର ମୂଳଦୁଆ। ଆମ ସମ୍ବିଧାନ ରାଜ୍ୟ ଗୁଡିକର ଅଧିକାରକୁ ସୁରକ୍ଷିତ ରଖିଛି। ସାମାଜିକ ନ୍ୟାୟ ପାଇଁ ଆମ ସମ୍ବିଧାନର ଗୁରୁତ୍ୱପୂର୍ଣ ନିର୍ଦ୍ଦେଶ ରହିଛି। ଏହି ସାମାଜିକ ନ୍ୟାୟ ଦିଗରେ ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି।
ଏକ ଦଶନ୍ଧିରେ ରାଜ୍ୟର ବହୁ ଉନ୍ନତି ହୋଇଛି। ୨୦୦୦ ରୁ ୨୦୨୪ ମଧ୍ୟରେ ଅନେକ ବିକାଶ ହୋଇଛି। ଏବେ ଭାରତ ସରକାରଙ୍କ ନୀତି ଆୟୋଗ ମଧ୍ୟ ଆମ କାମକୁ ପ୍ରଶଂସା କରିଛି। ଫାଇନାନ୍ସ ହେଲଥ ଇଣ୍ଡେକ୍ସ ଓଡ଼ିଶା ଏକ ନମ୍ବର ହୋଇଛି। ବିକାଶ ସବୁବେଳେ ଆମ ଫୋକସ ରହିଛି ଓ ରହିବ। ଏହି ଅବସରରେ ଦଳୀୟକର୍ମୀଙ୍କୁ ଓଡିଶାବାସୀଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଜଣାଇଥିଲେ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏକାମ୍ର ଗାନ୍ଧୀ ସ୍ବର୍ଗତ ପଣ୍ଡିତ ରଘୁନାଥ ମହାପାତ୍ରଙ୍କ ନାତୁଣୀ ମିତ୍ରା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
Comments ସମସ୍ତ ମତାମତ