ଭୁବନେଶ୍ବର: ବିଜେଡି ସରକାର ସମୟରେ ଅନେକ ଜନହିତକର କାମ ହୋଇଛି । ୨୦୦୦ ମସିହାରେ ରାଜ୍ୟର ୭୦ ଭାଗ ଲୋକ ଗରିବ ଥିଲେ । ୨୦୨୪ ବେଳକୁ ମାତ୍ର ୧୦ ପ୍ରତିଶତ ଗରିବ ରେଖା ତଳେ । ଅନୁସୂଚିତ ଜାତିର ସ୍ୱାର୍ଥରକ୍ଷା ପାଇଁ ଲଢେଇ କରିବ ବିଜେଡି । ବିଜେପିର ମିଥ୍ୟା ପ୍ରତିଶ୍ରୁତି ଉପରେ ଲୋକଙ୍କୁ ସଚେତନ କର । ଏହା କହିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ବିଜେଡି ଅନୁସୂଚିତ ଜାତି ସେଲର ଏକ ବୈଠକ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି । ବୈଠକରେ ବିଜେଡିର ସମସ୍ତ ଅନୁସୂଚିତ ଜାତିର ନେତୃମଣ୍ଡଳୀ ଯୋଗ ଦେଇଛନ୍ତି । ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ନବୀନ କହିଛନ୍ତି,"ଅନୁସୂଚିତଙ୍କ କଲ୍ୟାଣ ଲାଗି ବିଜେଡି ପ୍ରତିଶ୍ରୁତିବଦ୍ଧ । " ବୈଠକରେ ବିଧାୟକ ଗଣେଶ୍ୱର ବେହେରା, ପ୍ରମିଳା ମଲ୍ଲିକ, ପୂର୍ବତନ ବିଧାୟକ ମହେଶ ସାହୁ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ବୈଠକରେ ନିଜର ମତାମତ ରଖିଛନ୍ତି ।ସେହିପରି ଆରମ୍ଭ ହୋଇଥିବା ଜିଲ୍ଲା କାର୍ୟ୍ୟକର୍ତ୍ତା ସମ୍ମିଳନୀରେ ଆଜି କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାର ପୃଥକ ପୃଥକ ବୈଠକ ହୋଇଛି । ବିଜେଡିର ସଭାପତି ଦୁଇ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା କରିଛନ୍ତି । ସେମାନଙ୍କ ମତାମତ ଶୁଣିଛନ୍ତି । ନବୀନ କହିଛନ୍ତି,"ବିଜେପି ଦ୍ୱାରା ଦିଆଯାଇଥିବା ମିଥ୍ୟା ପ୍ରତିଶ୍ରୁତି ଉପରେ ଲୋକଙ୍କୁ ସଚେତନ କର । ଥାନାରେ ମହିଳା ଅସୁରକ୍ଷିତ ହୋଇ ପଡ଼ୁଛନ୍ତି । ରାଜଭବନରେ କର୍ମଚାରୀ ମାଡ଼ ଖାଉଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ଥିବା ପରି ମନେ ହେଉନାହିଁ । ସୁଭଦ୍ରା ଯୋଜନାରେ ବିଜେପି ଦୁଇ ବର୍ଷରେ ୫୦ ହଜାର, ୩୦୦ ୟୁନିଟ ବିଜୁଳି ମାଗଣା, ସମସ୍ତ ବର୍ଗର ବାର୍ଦ୍ଧକ୍ୟ ଭତ୍ତାକୁ ୩୦୦୦ ଟଙ୍କାକୁ ବୃଦ୍ଧି, ବିଜେପିର ସବୁ ମିଛ ପ୍ରତିଶ୍ରୁତି ବିଷୟରେ ଲୋକଙ୍କୁ ସଚେତନ କର ।"
Comments ସମସ୍ତ ମତାମତ