ଭୁବନେଶ୍ୱର: ପୁଣି ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ବୌଦ୍ଧ ଓ ବରଗଡ଼ ଜିଲ୍ଲା ବିଜେଡି କର୍ମକର୍ତ୍ତାଙ୍କୁ ଉଦ୍ବୋଧନ ବେଳେ ନବୀନ ବିଜେପି ସରକାର ବିରୋଧରେ ବର୍ଷିଛନ୍ତି । କହିଛନ୍ତି, ଲୋକଙ୍କୁ ମିଛ କଥା କହି ଏ ସରକାର କ୍ଷମତାକୁ ଆସିଛି । ଖୁବ କମ୍ ଦିନ ଭିତରେ ଏମାନଙ୍କ ଅସଲ ଚେହେରା ପଦାରେ ପଡ଼ିବ । ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଜିଏସ୍ଟି ଲାଗୁ କରିବାରୁ ବୁଣାକାର ସମାଜ ଉପରେ ଆର୍ଥିକ ବୋଝ ବଢ଼ୁଛି । ତେଣୁ କେନ୍ଦ୍ର ସରକାର ତୁରନ୍ତ ଜିଏସ୍ଟି ଛାଡ଼ କରନ୍ତୁ ।
ନିର୍ବାଚନ ପରାଜୟକୁ ଭୁଲି ସଂଗଠନ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ମୁଖିଆ ନବୀନ । ବିଭିନ୍ନ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ନେତା ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା ଜାରି ରହିଥିବା ବେଳେ ଆଜି ଶଙ୍ଖ ଭବନରେ ବସିଥିଲା ବୌଦ୍ଧ, ବରଗଡ଼ ଜିଲ୍ଲା କର୍ମକର୍ତ୍ତାଙ୍କ ବୈଠକ । ଉପସ୍ଥିତ ଥିଲେ ଉଭୟ ଜିଲ୍ଲାର ବରିଷ୍ଠ ନେତା, ବିଧାୟକ ଓ ଟାଣୁଆ କର୍ମୀମାନେ । ଏହି ଅବସରରେ ନବୀନ ଉଭୟ ଜିଲ୍ଲା କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ସଭିଙ୍କ ମତାମତ ଲୋଡ଼ିଥିଲେ । ସିଧା ନିଜେ ସଭିଙ୍କ ସହ ମତ ବିନିମୟ କରିଥିଲେ ।
ବରଗଡ଼ ଓ ବୌଦ୍ଧର ନେତୃବୃନ୍ଦଙ୍କୁ ଭେଟି ଜିଲ୍ଲାର ସାଙ୍ଗଠନିକ ସ୍ଥିତି ବିଷୟରେ ଆଲୋଚନା କଲି। ତୃଣମୂଳସ୍ତରର ପ୍ରତିନିଧିଙ୍କ ସହ କଥା ହୋଇ ଲୋକଙ୍କ ସୁବିଧାଅସୁବିଧା ବୁଝିଲି। ଲୋକଙ୍କ ସାଥିରେ ବିଜୁ ଜନତା ଦଳ ସର୍ବଦା ରହିଛି। ଲୋକଙ୍କ ହକ୍ ପାଇଁ ଆଗକୁ ଲଢେଇ ଆହୁରି ଜୋରଦାର ହେବ।
ନବୀନ କହିଥିଲେ, ଗତ ୨୪ ବର୍ଷର ବିଜେଡି ସରକାର ସମୟରେ ରାଜ୍ୟର ଦାରିଦ୍ର୍ୟ ହାର ୭୦ ପ୍ରତିଶତରୁ ଖସି ୧୦ରେ ପହଞ୍ଚିଛି । ଏହା ସହ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଗମନାଗମନ କ୍ଷେତ୍ରରେ ଓଡ଼ଶା ବହୁ ଅଗ୍ରଗତି କରିଛି । ଆପଣମାନେ ସମସ୍ତେ ସାଧାରଣ ଜନତାଙ୍କ ସହିତ ରହି କାମ କରନ୍ତୁ, ମୁଁ ଆପଣମାନଙ୍କ ପଛରେ ରହିଛି ।ଆଜିର ଦିନରେ ଲୋକମାନେ ରକ୍ତ ଅଭାବରେ ମେଡିକାଲରେ ହଇରାଣ ହେଉଛନ୍ତି । ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ଜରିଆରେ ରକ୍ତଦାନ କାର୍ୟ୍ୟକ୍ରମକୁ ଜୋରଦାର କରିବାକୁ ହେବ ।
Comments ସମସ୍ତ ମତାମତ