ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱେବ୍ ପୋର୍ଟାଲ ଲୋକାର୍ପିତ କରିଛନ୍ତି । ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ । ଏବଂ ଦ୍ବିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପ୍ରତିଷ୍ଠିତ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ସମସ୍ତ କାର୍ୟ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛନ୍ତି ଜନସାଧାରଣ । ୫-ଟି କାର୍ୟ୍ୟକ୍ରମ ଜରିଆରେ ବୈଷୟିକ ଜ୍ଞାନର ସହାୟତାରେ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବାପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । କୌଣସି ସରକାରୀ କାର୍ୟ୍ୟାଳୟକୁ ନଯାଇ ସରକାରଙ୍କ ଠାରୁ ସେବା ପାଇବାର ସ୍ବାଧୀନତା ଲୋକଙ୍କୁ ଦିଆଯାଇପାରିଛି । ଏହି ନୂତନ ପୋର୍ଟାଲ ଦ୍ବାରା ଲୋକମାନେ ବିଭିନ୍ନ ଡିଜିଟାଲ ପ୍ଲାଟ୍ଫର୍ମରେ ଅଭିଯୋଗ ଦାଖଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଟେକ୍ନୋଲୋଜି ହେଉଛି ଆମର ମୁଖ୍ୟ ଆଧାର । ସରକାରଙ୍କ ବିଭିନ୍ନ ବିଭାଗ ନୂଆ ବୈଷୟିକ ଜ୍ଞାନ ଓ ଡିଜିଟାଲ ସେବା ଦ୍ବାରା ଲୋକଙ୍କୁ ବିନା କୌଣସି ଅସୁବିଧାରେ ସେବା ଯୋଗାଇ ଦେବା ପାଇଁ କାମ କରୁଛନ୍ତି ।
ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗର ଏହି ନୂତନ ଜନଶୁଣାଣୀ ପୋର୍ଟାଲ ଜରିଆରେ ଜନସାଧାରଣ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଅନ-ଲାଇନ ଜରିଆରେ ଅଭିଯୋଗ ଦାଖଲ କରିପାରିବେ । ଏହା ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସହଜ, ସରଳ ଓ ସମୟୋପଯୋଗୀ କରିଛି ।
ସେହିପରି ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଯେ ଏଥିରେ ଅନେକ ବିରଳ ପୁସ୍ତକ, ପାଣ୍ଡୁଲିପି, ଗେଜେଟ୍, ଡିକ୍ସିନାରୀ ଓ ପିଲାଙ୍କ ପାଇଁ ଲାଙ୍ଗୁଏଜ୍ ପ୍ରାଇମର ଆଦି ଓଡିଆ ସାହିତ୍ୟକୁ ଆହୁରି ଲୋକପ୍ରିୟ କରିବା ସହିତ ଦେଶ ବିଦେଶରେ ରହୁଥିବା ଓଡିଆ ମାନଙ୍କୁ ଓଡିଶା ସହ ଯୋଡି ରଖିବାରେ ସଫଳ ହେବ ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ୟ୍ୟକ୍ରମ ପରିଚାଳନା କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ସ୍ବାଗତ ଭାଷଣ ଦେଇଛନ୍ତି । ବିଭାଗର ଯୁଗ୍ମ ସଚିବ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ୟ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ