Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନଙ୍କ ରାଜନୈତିକ ଗୋଟିଚାଳନା: ନିଜେ ଘୋଷଣା କଲେ, ଅନ୍ୟ ଦଳକୁ ବି ଆହ୍ୱାନ ଦେଲେ

    Share on :
    ajab-Image
    Date: Aug 14, 2021    Views: 7759

    ଭୁବନେଶ୍ବର : ୨୦୧୯ ଲୋକସଭା ନିର୍ବାଚନରେ ଭିନ୍ନ ଢଙ୍ଗରେ ମହିଳା କାର୍ଡ ଖେଳିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସଂସଦରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ରଖିବାର ବ୍ୟବସ୍ଥା ନ ଥିବାରୁ ନିଜ ଦଳରୁ ୩୩% ମହିଳା ପ୍ରାର୍ଥୀ ଦେଇଥିଲେ ନବୀନ। ଏହାକୁ ନେଇ ସାରାଦେଶରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ସମାନ ଢଙ୍ଗରେ ଓବିସି କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ। ସରକାରୀ ଭାବେ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ନିଷ୍ପତ୍ତି ନେବାରେ ବାଧା ରହିଥିବାରୁ ଏହି ପ୍ରସଙ୍ଗରେ ରାଜନୈତିକ ଗୋଟିଚାଳନା କରିଛନ୍ତି। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଅତିକମ୍‌ରେ ପଛୁଆ ବର୍ଗରୁ ୨୭% ପ୍ରାର୍ଥୀ ଦେବ ବୋଲି ସେ ଘୋଷଣା କରିଛନ୍ତି। ଅନ୍ୟ ଦଳ ମଧ୍ୟ ଏପରି ଘୋଷଣା କରିବା ପାଇଁ ବିଜେଡି ଆହ୍ବାନ ଦେଇଛି।

    ବିଜେଡିର ନିଷ୍ପତ୍ତି ସମ୍ପର୍କରେ ଦଳର ଦୁଇ ବରିଷ୍ଠ ନେତା ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ସେମାନେ କହିଥିଲେ, ଅଦାଲତ କଟକଣା, କେନ୍ଦ୍ରୀୟ ଆଇନ ନ ଥିବାରୁ ଏଭଳି ରାଜନୈତିକ ନିଷ୍ପତ୍ତି ନିଆଯାଇଛି। ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ଠିକ୍ ପରିସଂଖ୍ୟାନ ଅଭାବରୁ ସୁପ୍ରିମକୋର୍ଟ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସୀମିତ ରଖିବା ପାଇଁ ବାଧ୍ୟ କରୁଛନ୍ତି। ତେଣୁ ପଛୁଆବର୍ଗଙ୍କ ସଂଖ୍ୟାର ଠିକ୍ ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା କରାଗଲେ ତାହାକୁ ଭିତ୍ତି କରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ୟ୍ୟକାରୀ କରିବାରେ ନ୍ୟାୟାଳୟମାନେ କୌଣସି ଅଙ୍କୁଶ ଲଗାଇପାରିବେନାହିଁ।

    ସଂରକ୍ଷଣ ସୀମା ୫୦% ସୀମିତ ଥିବା ଏବଂ ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପ୍ରାୟ ୩୯% ଥିବାରୁ ପଛୁଆବର୍ଗଙ୍କୁ ମାତ୍ର ୧୧.୨୫% ସଂରକ୍ଷଣ ମିଳୁଛି। ରାଜ୍ୟ ସରକାରଙ୍କ ପଛୁଆବର୍ଗ ଆଇନ-୨୦୦୮ରେ ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି। କିନ୍ତୁ ବିଭିନ୍ନ ନ୍ୟାୟାଳୟର ଆଦେଶ ଦୃଷ୍ଟିରୁ ଏହି ୨୭% ସଂରକ୍ଷଣ ବ୍ୟବସ୍ଥା କାର୍ୟ୍ୟକାରୀ ହୋଇପାରୁ ନାହିଁ। ରାଷ୍ଟ୍ରପତିଙ୍କ ଦ୍ବାରା ଘୋଷିତ ଓବିସି ତାଲିକା ଅନୁସାରେ ସରକାରୀ ଚାକିରି ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି। ରାଜ୍ୟଗୁଡ଼ିକ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ଓ ଏବେ ମଧ୍ୟ କରିପାରିବେ। କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାଗୁଡ଼ିକରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି। ସେହିପରି ରାଜ୍ୟର ପଛୁଆବର୍ଗ ତାଲିକା ଅନୁସାରେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରିରେ ସଂରକ୍ଷଣ ସୁବିଧା ପାଉଛନ୍ତି।

    ବିଜେଡି ପକ୍ଷରୁ ଆହୁରି କୁହାଯାଇଛି ଯେ ୧୧.୦୮.୨୦୧୮ ପୂର୍ବରୁ ଆମ ରାଜ୍ୟରେ ୨୦୦ଟି ଜାତି ଓ ଉପଜାତି ଓବିସି ତାଲିକା ଅନ୍ତର୍ଭୁକ୍ତ ହୋଇଛି। ପୂର୍ବ ପରି ରାଜ୍ୟଗୁଡ଼ିକ ପଛୁଆବର୍ଗ ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ଥିବାରୁ ଲୋକସଭାରେ କୌଣସି ବିରୋଧୀ ଦଳ ଏହାକୁ ବିରୋଧ କରି ନାହାନ୍ତି। କିନ୍ତୁ ସଂରକ୍ଷଣରେ ଥିବା ୫୦% ସୀମାକୁ ଉଠାଇବା ପାଇଁ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି। ଯଦି ସମ୍ବିଧାନର ୧୨୭ତମ ସାମ୍ବିଧାନିକ ସଂଶୋଧନ କାର୍ୟ୍ୟକାରୀ ହୁଏ, ତେବେ ୧୧.୦୮.୨୦୧୮(୧୦୨ ସାମ୍ବିଧାନିକ ସଂଶୋଧନ) ପୂର୍ବରୁ ଏବଂ ୦୨.୦୪.୧୯୯୩ (ଜାତୀୟ ପଛୁଆ ବର୍ଗ କମିସନ୍ – ଆଇନ) ପରେ ଯେପରି ରାଜ୍ୟଗୁଡ଼ିକ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ସେହିପରି କରିପାରିବେ ବୋଲି ଶ୍ରୀ ସ୍ବାଇଁ ଓ ଶ୍ରୀ ସାହୁ କହିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook