ମୁଖ୍ୟ ଖବର
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅମ୍ଫାନ’ର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଏହାକୁ ଦୃଷ୍ଟିରେ ରଖି ମୁକାବିଲା ଯୋଜନା ପ୍ରସ୍ତୁତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଓଡ଼ିଶାବାସୀ ମହାବାତ୍ୟା ଠାରୁ ଆରମ୍ଭ କରି ଫନି, ତିତଲି, ବୁଲବୁଲ, ଫାଇଲିନ, ହୁଡହୁଡ ଆଦି ଅନେକ ବାତ୍ୟାର ସଫଳତାର ସହ ମୁକାବିଲା କରିଆସିଛନ୍ତି । ତେଣୁ ଆତଙ୍କିତ ନ ହୋଇ ‘ଅମ୍ଫାନ’ର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏନଡିଆରଏଫ, ଓଡିଆରଏଫ ଓ ଅଗ୍ନିଶମ ବାହିନୀକୁ ସଜାଗ ରହିବା ସହ ବିପଦ ଶଙ୍କୁଳ ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ପ୍ରସ୍ତୁତି ସହ ବାତ୍ୟା ପରେ ପରେ ରାସ୍ତା, ବିଜୁଳି ଓ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଏଥିପାଇଁ ପୂର୍ତ୍ତ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସମନ୍ୱୟ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ସମୟରେ ମାଛ ଧରା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ରାଜ୍ୟ ପ୍ରଶାସନ ବର୍ତ୍ତମାନ କୋଭିଡ-୧୯ ନିୟନ୍ତ୍ରଣରେ ସଫଳତାର ସହ କାମ କରି ଚାଲିଥିବାରୁ ଶ୍ରୀ ପଟ୍ଟନାୟକ ତୃଣମୂଳ ସ୍ତରରୁ ଆରମ୍ଭ କରି ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଟିମ୍ ଓଡ଼ିଶାର ସମସ୍ତ ସଦସ୍ୟଙ୍କୁ ସେମାନଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ପ୍ରସ୍ତୁତିି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ କହିଥିଲେ ଯେ ସେ ଅମ୍ଫାନର ମୁକାବିଲା ପାଇଁ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହିତ ତାଙ୍କର ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଅମ୍ଫାନର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।
ସେହିପରି ଏହି ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲ୍ଲାରେ ଏକ ଲକ୍ଷ ହେକ୍ଟର ରବି ଫସଲ ଓ ପନିପରିବା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ଚାଷୀମାନଙ୍କୁ ଏ ସମ୍ପର୍କରେ ବ୍ୟାପକ ଭାବରେ ସଚେତନ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ୧୧ ଲକ୍ଷ ଲୋକ ରହିପାରିବା ଭଳି ୫୬୭ ବାତ୍ୟା ଆଶ୍ରୟ ସ୍ଥଳ ଏବଂ ୭୦୦୦ ପକ୍କା ଘର ପ୍ରସ୍ତୁତ ରଖାଯାଇଛି । ଏହା ସହିତ ୩ଟି ଏନଡିଆରଏଫ ଓ ୧୨ଟି ଓଡିଆରଏଫ ଟିମ୍ ଏବଂ ୩୫୫ ୟୁନିଟ୍ ଅଗ୍ନିଶମ ସେବା ବାହିନୀ ମୁତୟନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା ସୂଚନା ଦେଇଥିଲେ ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା ଯେ ‘ଅମ୍ଫାନ ପ୍ରଭାବରେ ମଇ ୧୮ ରୁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ସହିତ ୧୯ ଓ ୨୦ ଦୁଇ ଦିନ ଧରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହା ସହିତ ପବନର ବେଗ ଘଣ୍ଟାରୁ ୯୫ କିମି ଏବଂ ସ୍ଥଳ ବିଶେଷରେ ଏହାଠାରୁ ଅଧିକ ହୋଇପାରେ ବୋଲି ସୂଚନା ଦିଆଯାଇଥିଲା । ଏହି ବାତ୍ୟାରେ ରାଜ୍ୟର ୧୨ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ।
ଏହି ଭିଡିଓ କନଫରେନ୍ସିଂରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ପୋଲିସ ମହାନିଦେ୍ର୍ଧଶକ, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ଶାସନ ସଚିବ ଏବଂ ପ୍ରଭାବିତ ଜିଲ୍ଲାମାନଙ୍କର ଉପଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ