ମୁଖ୍ୟ ଖବର
ଭୁବନେଶ୍ବର: ‘ଗଞ୍ଜାମ ଜିଲ୍ଲାରେ ବନ୍ୟା ବିପର୍ଯ୍ୟୟ ପାଇଁ ରାଜ୍ୟ ସରକାରଙ୍କ ଅବହେଳା ଓ ଅପରିପକ୍ୱ ବିପର୍ଯ୍ୟୟ ପରିଚାଳନା ଦାୟୀ ।’ ଏହା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ୍, କ୍ଷତିପୂରଣ ଓ ଥଇଥାନ ସହ ବିପର୍ଯ୍ୟୟ ପରିଚାଳନାରେ ହୋଇଥିବା ତ୍ରୁଟି ପାଇଁ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା । ଏନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠିରେ ଦର୍ଶାଇଛନ୍ତି, ‘ନଭେମ୍ବର ୭ ତାରିଖରେ ସେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି, ଶେରଗଡ଼, ଆସିକା ଓ ସୋରଡ଼ା ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଏହା ସହ ଚାଷୀ, ମହିଳା, ଛୋଟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ସହ ସେ ଆଲୋଚନା କରିଥିବା ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି । ବନ୍ୟା ଯୋଗୁଁ ଭିତ୍ତିଭୂମି, ଫସଲ ଓ ଜୀବିକା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସହ ଜୀବନହାନି ଘଟିଛି । ନବୀନ ଅଭିଯୋଗ କରିଛନ୍ତି, ‘ଅକ୍ଟୋବର ୨୩ ତାରିଖରୁ ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍ଡି ପକ୍ଷରୁ ଆଗୁଆ ସତର୍କ ସୂଚନା ଦିଆଯାଇଥିଲା । ଏଭଳି ସ୍ଥିତିରେ ବନ୍ୟା ଓ ବାତ୍ୟା ପରିଚାଳନା ନିୟମ ଅନୁଯାୟୀ ବର୍ଷା ପୂର୍ବରୁ ଡ୍ୟାମ୍ରୁ ଆବଶ୍ୟକ ଜଳ ନିଷ୍କାସନ କରାଯିବା କଥା । କିନ୍ତୁ ପ୍ରବଳ ବର୍ଷା ଆରମ୍ଭ ହେବା ପରେ ଜଳସମ୍ପଦ ବିଭାଗ ଡ୍ୟାମ୍ରୁ ଜଳ ଛାଡ଼ିଥିଲା । ଫଳରେ ବନ୍ୟା ସ୍ଥିତି ଆହୁରି ଭୟାବହ ହୋଇଥିଲା । ଧନଜୀବନର ବ୍ୟାପକ କ୍ଷତି ଘଟିଥିଲା । ସେହିପରି ବନ୍ୟା ପରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଅନେକ ଲୋକ ଦିନ ଦିନ ଧରି ଖାଦ୍ୟ ଓ ପାଣି ବିନା ଫସି ରହିଥିଲେ ।’
ନବୀନ ଆହୁରି ମଧ୍ୟ କହିଛନ୍ତି, ‘ଗସ୍ତ ସମୟରେ ଲୋକଙ୍କ ଠାରୁ ମିଳିଥିବା ଅଭିଯୋଗ ଓ ଦାବିପତ୍ର ଗୁଡ଼ିକୁ ତୁରନ୍ତ ପଦକ୍ଷେପ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିକଟକୁ ପଠାଇଥିବା ସେ ଜଣାଇଛନ୍ତି । ବନ୍ୟା କ୍ଷତିଗ୍ରସ୍ତ ଚାଷୀ, ମହିଳା, ଯୁବକ, ଛୋଟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ସହ ପୁନର୍ବାସ ଓ ପୁନର୍ନିର୍ମାଣ କାର୍ଯ୍ୟ ନିରପେକ୍ଷ ଭାବେ କରିବାକୁ ସେ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ପୂର୍ବ ବିଜେଡି ସରକାର ସମୟରେ ସରପଞ୍ଚ, ପଞ୍ଚାୟତିରାଜ ସଦସ୍ୟ ଓ ମିଶନ ଶକ୍ତି ଗୋଷ୍ଠୀଙ୍କୁ ନେଇ ଗଢ଼ିଉଠିଥିବା ଗୋଷ୍ଠୀଭିତ୍ତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ବର୍ତ୍ତମାନର ସରକାର ଦୁର୍ବଳ କରିଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।’
ସରକାର ଅତୀତରେ ସଫଳ ହୋଇଥିବା ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ଅଧ୍ୟୟନ କରିବା ଦରକାର । ଏହା ସହ ଏହି ବିପର୍ଯ୍ୟୟରେ ହୋଇଥିବା ଅବହେଳା ପାଇଁ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରନ୍ତୁ ବୋଲି ନବୀନ ଦାବି କରିଛନ୍ତି । ଲୋକଙ୍କ ଦାବି ପୂରଣ ନହେଲେ ବିଜୁ ଜନତା ଦଳ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତ୍ୟେକ ମଞ୍ଚରେ ଏହି ପ୍ରସଙ୍ଗ ଉଠାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।
ସୂଚନା ଥାଉକି, ନଭେମ୍ବର 7ରେ ଗଞ୍ଜାମର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ । ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିଥିଲେ । ଲୋକଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହୋଇପଡିଥିଲେ । ଅନ୍ୟପଟେ ପୂର୍ବତନ ଶାସନ ସଚିବ ସୁରେଶ ମହାପାତ୍ର ଗଞ୍ଜାମ ବିପର୍ଯ୍ୟୟ ଉପରେ ଏକ ବିସ୍ତୁତ ସମୀକ୍ଷା କରିଛନ୍ତି । ଯେଉଁଥିରେ ବନ୍ୟା ପୂର୍ବରୁ ଗଞ୍ଜାମର ବିଭିନ୍ନ ଡ୍ୟାମର ପାଣିକୁ କମ୍ କରାଯାଇନଥିବା କଥା ଉଲ୍ଲେଖ କରିଥିଲେ । ଏହାକୁ ନେଇ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।
Comments ସମସ୍ତ ମତାମତ