ମୁଖ୍ୟ ଖବର
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ଘଟି ଏକାଧିକ ଲୋକଙ୍କ ମୃତ୍ୟୁ ଏବଂ ଅନେକ ନିଖୋଜ ହୋଇଥିବା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଦୁଃଖଦ ଘଟଣାରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ଏଥିସହ ନିଖୋଜ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ପ୍ରଭାବିତ ଅଞ୍ଚଳରେ ଜନଜୀବନ ସ୍ୱାଭାବିକ କରିବା ଲାଗି ସରକାର ତ୍ୱରିତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି ।
ସୂଚନା ଅନୁଯାୟୀ, ବୁଧବାର ମଧ୍ୟରାତ୍ରିରେ ହଠାତ୍ ମାଡ଼ି ଆସିଲା କାଳ । ପ୍ରବଳ ବର୍ଷା ଯୋଗୁ ଦୁର୍ବଳ ଅବସ୍ଥାରେ ଥିବା ପାହାଡ଼ରୁ ଭୂସ୍ଖଳନ ଘଟିଲା । ଏଥିରେ ଭାସିଗଲେ ଗୋଟିଏ ପରିବାର । ପରିବାରର ବାପା, ମା’ ଓ ଶିଶୁପୁତ୍ର ମାଟିରେ ପୋତି ହୋଇ ଚିରନିଦ୍ରାରେ ଶୋଇଗଲେ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେସି ଗାଁରେ ଏହି ଭୟଙ୍କର ଅଘଟଣ ଘଟିଥିଲା । ମୃତକମାନେ ହେଲେ ଏହି ଗାଁର ଅଚ୍ୟୁତ ପ୍ରଧାନ (୩୬), ପତ୍ନୀ ମାନସୀ ପ୍ରଧାନ (୨୪) ଏବଂ ସେମାନଙ୍କ ୭ ମାସର ଶିଶୁପୁତ୍ର ।
ଅନ୍ୟପଟେ ଘୁ.ଉଦୟଗିରି ବ୍ଲକ୍ କତିଙ୍ଗିଆ ପଞ୍ଚାୟତର ୬ଟି ସ୍ଥାନରେ ଭୂସ୍ଖଳନ ହୋଇଛି । ସୀମାବର୍ତ୍ତୀ ଗଞ୍ଜାମଜିଲ୍ଲା ଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତ ଗିଡ଼ିପାବାଲି ଗ୍ରାମ ଏକରକମ ଧ୍ୱଂସସ୍ତୁ ପରେ ପରିଣତ ହୋଇଛି । ବୁଧବାର ଭୋର୍ ୩ଟାରେ ପାହାଡ଼ରୁ ମାଟି, ପଥର, ଗଛ ଓପାଣି ମାଡ଼ି ଗାଁକୁ ପ୍ରାୟ ପୋତି ଦେଇଛି ।୧୩ ଜଣ ନିଖୋଜ ଥିବା ସୂଚନା ମିଳିଛି,୧୧ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଉଦ୍ଧାର ହୋଇଥିବା ଦୁଇ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଘୁ.ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଭୂସ୍ଖଳନରେ ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ୍ ଜାରି ରହିଛି ।
Comments ସମସ୍ତ ମତାମତ