ମୁଖ୍ୟ ଖବର
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ, 'ଆଦିବାସୀ ଭାଇଭଉଣୀଙ୍କ ଅଧିକାର, ସମ୍ମାନ ଓ ସାଂସ୍କୃତିକ ସୁରକ୍ଷା ପାଇଁ ବିଜେଡି ସବୁବେଳେ ଦୃଢ଼ ଭାବେ ସେମାନଙ୍କ ସହ ରହିଆସିଛି।' ବିଜେଡିକୁ ସେ 'ଜନଜାତି ସମ୍ପ୍ରଦାୟର ‘ଶ୍ରେଷ୍ଠ ବନ୍ଧୁ’ ଭାବେ ଅଭିହିତ କରିଥିଲେ।
ନବୀନ କହିଥିଲେ, 'ବିଜେଡି ସରକାର ସମୟରେ ଜନଜାତି ବର୍ଗର ବିକାଶ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା। ଉଚ୍ଚଶିକ୍ଷା, ଜୀବନଜୀବିକା ଓ ସାମାଜିକ ବିକାଶ ସହ ସେମାନଙ୍କୁ ଯୋଡ଼ିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ପଞ୍ଚାୟତକୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଅଧିକାର, ହଜାର ହଜାର ହଷ୍ଟେଲ, ଉଚ୍ଚଶିକ୍ଷା ପାଇଁ ‘ଅନ୍ୱେଷା’ କାର୍ଯ୍ୟକ୍ରମ ଏବଂ ଜଙ୍ଗଲ ଜମି ଅଧିକାର ଭଳି ପଦକ୍ଷେପ ଆଦିବାସୀଙ୍କ ସଶକ୍ତିକରଣରେ ସହାୟକ ହୋଇଥିଲା ।'
ସେହିପରି ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ (SDC) ପଦକ୍ଷେପକୁ ନବୀନ ଉଲ୍ଲେଖ କରିଥିଲେ। ୨୩ଟି ଜିଲ୍ଲାରେ ଏହି ପରିଷଦ ଆଦିବାସୀଙ୍କୁ ବିକାଶର ସମାନ ଅଂଶୀଦାର କରିବା ସହ ସେମାନଙ୍କ ପବିତ୍ରସ୍ଥଳୀ, କଳା, ହସ୍ତଶିଳ୍ପ, ସଙ୍ଗୀତ ଓ ପରମ୍ପରାର ସୁରକ୍ଷାରେ ସେମାନଙ୍କୁ ଅଗ୍ରଣୀ ହେବାର ସୁଯୋଗ ଦେଇଥିଲା ବୋଲି ସେ କହିଥିଲେ।
ଜନଜାତି ସମ୍ପ୍ରଦାୟର ଜ୍ଞାନ ଓ ପାରମ୍ପରିକ ଜ୍ଞାନକୁ ସମ୍ମାନ ଦେବା ସହ ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ନିଷ୍ଠାର ସହ କାମ କରିବାକୁ ନବୀନ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଜନଜାତିଙ୍କୁ ସଶକ୍ତ କରି ସେମାନଙ୍କ ନିଜ ମାଟିରେ ସମ୍ମାନର ସହ ବଞ୍ଚିବାର ସୁଯୋଗ ସୃଷ୍ଟି କରିବା ବିଜେଡି ସରକାର ନୀତିର କେନ୍ଦ୍ରବିନ୍ଦୁ ଥିଲା ବୋଲି ସେ କହିଥିଲେ।
Comments ସମସ୍ତ ମତାମତ