Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବର୍ଦ୍ଧିତ ଦରମା ନେବନାହିଁ ନବୀନ

    Share on :
    ajab-Image
    Date: Dec 14, 2025    Views: 2341

    ଭୁବନେଶ୍ବର: ବର୍ଦ୍ଧିତ ଦରମା ନେବେନାହିଁ ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ନବୀନ । ବର୍ଦ୍ଧିତ ଦରମାକୁ ଗରିବ କଲ୍ୟାଣ ପାଇଁ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବିଜେଡି ସଭାପତି ।
    ବିଧାୟକ, ମନ୍ତ୍ରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚିଠିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ମହାନତା ଦେଖାଇଛନ୍ତି । ରାଜ୍ୟରେ ଥିବା ଗରିବଙ୍କ କଥା ଚିନ୍ତା କରିଛନ୍ତି ନବୀନ । ବର୍ଦ୍ଧିତ ଦରମାକୁ ଗରିବଙ୍କ ପାଇଁ ଦାନ କରିବେ । ଗରିବ ଲୋକଙ୍କ ବିକାଶ ପାଇଁ ମୋ ଦରମା ଖର୍ଚ୍ଚ ହେଉ ବୋଲି କହିଛନ୍ତି ନବୀନ । ଗରିବମାନଙ୍କୁ କିଛି ଆର୍ଥିକ ସହାୟତା ମିଳ‌ିଲେ ସେ ଖୁସି ହେବେ ବୋଲି ଚିଠିରେ ଦର୍ଶାଇଛନ୍ତି । ଚିଠି ଲେଖି ବର୍ଦ୍ଧିତ ଦରମା ନନେବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି ବିଜେଡି ସଭାପତି ।
    ନବୀନ ଚିଠିରେ ଲେଖିଛନ୍ତି, "ଦୀର୍ଘ ୨୫ ବର୍ଷ ଧରି ମୁଁ ରାଜ୍ୟବାସୀଙ୍କ ସମର୍ଥନ ଓ ଆଶୀର୍ବାଦ ପାଇ ଆସିଛି । ସେଥିପାଇଁ ମୁଁ ରାଜ୍ୟବାସୀଙ୍କ ପାଖରେ ଋଣୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ଓଡ଼ିଶାବାସୀଙ୍କର ଅକୁଣ୍ଠିତ ସମର୍ଥନ ପାଇଥିଲେ । ୨୦୧୫ରୁ କଟକ ସ୍ଥିତ ପୈତୃକ ଘର ଆନନ୍ଦ ଭବନକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ଏବେ ବର୍ଦ୍ଧିତ ଦରମାକୁ ମୁଁ ରାଜ୍ୟର ଗରିବ ଓ ଦୀନ ଦୁଃଖିଙ୍କ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି ।"ରାଜ୍ୟର ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କର ଦୀର୍ଘ ଦିନର ଦାବିକୁ ଶୀତକାଳୀନ ଅଧିବେଶନରେ ପୂରଣ କରିଛନ୍ତି ମୋହନ ସରକାର । ସେମାନଙ୍କ ଦରମା‌ ଓ ଭତ୍ତା ବୃଦ୍ଧି କରାଯାଇଛି । ଦରମା ଓ ଭତ୍ତା ଅଢ଼େଇ ଗୁଣରୁ ଅଧିକ ବଢ଼ିଛି । ତିନିଟି ପୃଥକ ବିଲ୍ ବିଧାନସଭାରେ ପାରିତ ହୋଇଛି । ୨୦୨୪ ଜୁନ ମାସରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ ବୋଲି ଘୋଷଣା ହୋଇଛି । ପ୍ରତି ପାଞ୍ଚ ବର୍ଷରେ ବିଧାୟକଙ୍କ ଦରମା ସ୍ବାଭାବିକ ଭାବେ ବୃଦ୍ଧି ହେବ ବୋଲି କୁହାଯାଇଛି । ଏଥିପାଇଁ ଆଉ ବିଧାନସଭାରେ ବିଲ୍ ଆଣିବାକୁ ପଡ଼ିବ ନାହିଁ ବୋଲି ମଧ୍ୟ କୁହାଯାଇଛି ।
    ୨୦୧୭ ମସିହାରେ ସଂ‌ଶୋଧିତ ହୋଇ ଓଡିଶାରେ ବିଧାୟକଙ୍କ ମୂଳ ଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ମିଳୁଥିଲା । ତେବେ ଭତ୍ତା ମିଶାଇଲେ ତାହା ମାସିକ ପାଖାପାଖି ଏକ ଲକ୍ଷ ଟଙ୍କା ପାଉଥିଲେ । ବର୍ତ୍ତମାନ ସଂଶୋଧନ କରାଯାଇ ମୂଳ ଦରମାକୁ ମାସିକ ୯୦ ହଜାର ଟଙ୍କା କରାଯାଇଛି । ଅନ୍ୟାନ୍ୟ ଭତ୍ତା ମିଶାଇଲେ ମାସିକ ୩.୪୫ ଲକ୍ଷ ଟଙ୍କା ମିଳିବ । ଏହାବାଦ ବିଧାନସଭା ଅଧିବେଶନ ଓ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେବା ପାଇଁ ସିଟିଂ ଆଲାଉନ୍ସ ମଧ୍ୟ ପାଇବେ । ନିର୍ବାଚନମଣ୍ଡଳୀ ଭତ୍ତା ୭୫ ହଜାର, ଯାତାୟାତ ଭତ୍ତା ୫୦ ହଜାର, ପତ୍ରପତ୍ରିକା ଭତ୍ତା ୧୦ ହଜାର, ବିଦ୍ୟୁତ ବିଲ ୨୦ ହଜାର, ବ୍ୟକ୍ତିଗତ ଗସ୍ତ ଭତ୍ତା ୫୦ ହଜାର, ଚିକିତ୍ସା ଭତ୍ତା ୩୫ ହଜାର ଓ ଟେଲିଫୋନ ଭତ୍ତା ୧୫ ହଜାର ହୋଇଛି ।ମୁଖ୍ୟମନ୍ତ୍ରୀଙ୍କ ମୂଳ ଦରମା ୪୧ ହଜାରରୁ ବଢ଼ି ୧ ଲକ୍ଷ ଟଙ୍କା ହୋଇଛି । ଅନ୍ୟାନ୍ୟ ଭତ୍ତା‌ ମିଶାଇଲେ ମୁଖ୍ୟମନ୍ତ୍ରୀ ମାସିକ ପାଖାପାଖି ୩ ଲକ୍ଷ ୭୪ ହଜାର ଟଙ୍କା ପାଇବେ । ସେହିପରି କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ ମୂଳ ଦରମା ଯଥାକ୍ରମେ ୯୬ ହଜାର ଓ ୯୪ ହଜାର ଟଙ୍କା ହୋଇଛି । ଭତ୍ତା ମିଶାଇଲେ ସେମାନେ ମାସକୁ ପ୍ରାୟ ୩ ଲକ୍ଷ ୬୦ ହଜାର ଟଙ୍କା ପାଇବେ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ବୈଠକ ପାଇଁ ଅତିରିକ୍ତ ସିଟିଂ ଆଲାଉନ୍ସ ପାଇବେ ।ବାଚସ୍ପତି ଓ ଉପବାଚସ୍ପତି ଦରମା ଓ ଭତ୍ତା ବାବଦକୁ ପାଖାପାଖି ୩ ଲକ୍ଷ ୬୦ ହଜାର ଟଙ୍କା ପାଇବେ । ପୂର୍ବତନ ବିଧାୟକମାନଙ୍କ ମାସିକ ପେନସନ ରାଶି ବି ବୃଦ୍ଧି କରାଯାଇଛି । ସେମାନଙ୍କ ମାସିକ ମୂଳ ପେନ୍‌ସନ ୩୦ ହଜାର ଟଙ୍କାରୁ ବଢ଼ି ୮୦ ହଜାର ଟଙ୍କା ହୋଇଛି । ୫ ବର୍ଷରୁ ଅଧିକ ସମୟ ବିଧାୟକମାନେ ଭାବେ ନିର୍ବାଚିତ ହୋଇଥିଲେ ପ୍ରତି ଅତିରିକ୍ତ ବର୍ଷ ପାଇଁ ବାର୍ଷିକ ୩ ହଜାର ଟଙ୍କା ଲେଖାଏଁ ‌ଅଧିକ ପେନସନ ମିଳିବ । ସେମାନଙ୍କ ଚିକିତ୍ସା ଭତ୍ତା ବାବଦରେ ମାସିକ ୨୫ ହଜାର ମିଳିବ । ପ୍ରଥମ ଥର ପାଇଁ ପୂର୍ବତନ ବିଧାୟକଙ୍କୁ ମାସିକ ଗସ୍ତ ଖର୍ଚ୍ଚ ବାବଦରେ ୧୨,୫୦୦ ଟଙ୍କା ମିଳିବ ।

    ବିଧାୟକଙ୍କ ଅତ୍ୟଧିକ ଦରମା ବୃଦ୍ଧିକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି । ସାଧାରଣ ଲୋକ ନିଷ୍ପତ୍ତିକୁ ସମାଲୋଚନା କରୁଛନ୍ତି । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ଭୁବନେଶ୍ବରର ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ବର୍ଦ୍ଧିତ ଦରମା ନେବାକୁ ମନା କରିଛନ୍ତି । ବର୍ଦ୍ଧିତ ଦରମା ଗରିବ କଲ୍ୟାଣ ପାଇଁ ଖର୍ଚ୍ଚ କରିବେ ବୋଲି ବାବୁ କହିଛନ୍ତି । ବର୍ଦ୍ଧିତ ଦରମାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଏ ବିବାଦରେ ବିଜେଡି ବିଧାୟକ ଚୁପ ରହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook