ମୁଖ୍ୟ ଖବର
ଭୁବନେଶ୍ବର: ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଏହି ୨୧ଜଣ ରାଜ୍ୟର ୧୭ଟି ଜିଲ୍ଲାରୁ ପ୍ରତିନିଧିତ୍ବ କରୁଛନ୍ତି। କିଛି ଜିଲାରୁ ମନ୍ତ୍ରିମଣ୍ଡଳରେ କାହାରିକୁ ପ୍ରତିନିଧିତ୍ବ ମିଳି ନ ଥିବାବେଳେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗଞ୍ଜାମ, ଯାଜପୁର, ପୁରୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କୁ ମନ୍ତ୍ରୀ କରାଯାଇଥିବା ବେଳେ କେତେକ ଜିଲାରୁ ଜଣେ ହେଲେ ବି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି। ପ୍ରାୟ ୧୩ଟି ଜିଲା ମନ୍ତ୍ରୀ ଶୂନ୍ୟ ହୋଇଛି। ସୁନ୍ଦରଗଡ, ଭଦ୍ରକ, କେନ୍ଦୁଝର, ନବରଙ୍ଗପୁର, କଳାହାଣ୍ଡି, ଦେବଗଡ, ଅନୁଗୋଳ, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ନୟାଗଡ, ଗଜପତି ଏବଂ କନ୍ଧମାଳ ଭଳି ଜିଲାରୁ କାହାରିକୁ ମନ୍ତ୍ରିପଦ ମିଳିନାହିଁ। ଅବଶ୍ୟ ଜଗତସିଂହପୁର ଜିଲାରୁ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ମୁଖ୍ୟ ସଚେତକ କରାଯିବାକୁ ସ୍ଥିର ହୋଇଥିବାବେଳେ ଅନୁଗୋଳର ବିଧାୟକ ରଜନୀକାନ୍ତ ସିଂହ ଉପବାଚସ୍ପତି ପଦ ବଜାୟ ରଖିବା ପ୍ରାୟ ନିଶ୍ଚିତ। ଯଦି ଏହି ଦୁଇଟି ଜିଲାକୁ ବାଦ ଦିଆଯାଏ, ତେବେ ବି ୧୧ଟି ଜିଲାରେ କୌଣସି ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ। ଉପମୁଖ୍ୟ ସଚେତକ ଭାବେ ବିଧାୟକ ସରୋଜ ମେହେରଙ୍କ ନାମ ବିଚାରାଧୀନ ରହିଛି।
ସବୁଠୁ ବେଶୀ ଅସନ୍ତୋଷ ଗୁଞ୍ଜରିତ ହେଉଛି ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ। ସୁନ୍ଦରଗଡରେ ବିଧାୟକ ସାରଦା ନାୟକଙ୍କ ନାମ ଚର୍ଚ୍ଚାରେ ଥିବାବେଳେ କେନ୍ଦୁଝରରେ ପ୍ରେମାନନ୍ଦ ନାୟକଙ୍କୁ ବିଦା କରାଯିବା ପରେ ବିଧାୟକ ବଦ୍ରୀ ପାତ୍ରଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଏଥିରୁ ବଞ୍ଚିତ ହୋଇଛନ୍ତି।
ନବୀନ ତାଙ୍କ ପୁରୁଣା ଟିମ୍ରୁ ୧୧ ଜଣଙ୍କୁ ବିଦା କରିଛନ୍ତି। ଅବଶ୍ୟ ସେମାନଙ୍କ ମଧ୍ୟରେ ଦଳୀୟ ସଙ୍ଗଠନ ଏବଂ ନିର୍ବାଚନ ପରିଚାଳନାରେ ବିଶେଷ ଦବ୍ଦବା ରଖୁଥିବା ସୁଶାନ୍ତ ସିଂହ ରହିଛନ୍ତି। କିନ୍ତୁ ସୁଶାନ୍ତଙ୍କୁ ଦଳୀୟ ସାଙ୍ଗଠନିକ ପୁନର୍ବିନ୍ୟାସ କାଳରେ କିଛି ଗୁରୁତ୍ବପୂର୍ଣ୍ଣ ପଦ ମିଳିପାରେ ବୋଲି ଦଳରେ ଚର୍ଚ୍ଚା ଚାଲିଛି। ସେହିପରି ବାଦ୍ ପଡିଥିବା ମନ୍ତ୍ରୀଙ୍କ ଭିତରେ ଥିବା ବିକ୍ରମକେଶରୀ ଆରୁଖଙ୍କୁ ବାଚସ୍ପତି କରାଯିବା ସମ୍ଭାବନା ଥିବାବେଳେ ଅନ୍ୟମାନଙ୍କୁ ସାଙ୍ଗଠନିକ କାର୍ୟ୍ୟରେ ନିୟୋଜିତ କରାଯାଇପାରେ। ପୂର୍ବ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ବିକ୍ରମକେଶରୀ ଆରୁଖ, ସୁଦାମ ମାର୍ଣ୍ଡି, ପ୍ରେମାନନ୍ଦ ନାୟକ ଏବଂ ଜ୍ୟୋତିରଞ୍ଜନ ପାଣିଗ୍ରାହୀ।
Comments ସମସ୍ତ ମତାମତ