ଭୁବନେଶ୍ୱର: ୧୫୦ କି ୫୦୦ ନୁହେଁ । ମାତ୍ର ଟଙ୍କା ୭୫ରେ ଦେଖିବେ ସିନେମା । ସେ ବଲିଉଡ ହେଉ କି ହଲିଉଡ । ଟଲିଉଡ ହେଉ କି ଓଲିଉଡ । ସେ ମଲ୍ଟିପ୍ଲେକ୍ସ ହେଉ କି ସିଙ୍ଗଲ୍ ସ୍କ୍ରିନ୍ । ସବୁଠି ଟିକଟ ଦର ସମାନ ଆଉ ସୁବିଧା ବି ସମାନ । ପିଭିଆର୍, ଆଇନକ୍ସ, ସିନେପଲିସ୍ ସମେତ ୪ ହଜାରରୁ ଅଧିକ ବଡ଼ ପରଦାରେ ଏହି ମଜା ନେବେ ଦର୍ଶକ । ସେଥିପାଇଁ କେବଳ ଭୁବନେଶ୍ୱର ନୁହେଁ ସାରା ଦେଶର କୌଣସି ହଲ୍ ଫାଙ୍କା ନାହିଁ । ସବୁଠି ହାଉସ୍ଫୁଲ୍ । ଟିକଟ ଦର କମ୍ ପାଇଁ ଏମିତି ଅବସ୍ଥା ହୋଇଛି । ଯାହା ଏକ ପ୍ରକାରର ଇତିହାସ ସୃଷ୍ଟି କରିଛି ।
ଶୁକ୍ରବାର ସାରା ଦେଶ ପାଳୁଛି ଜାତୀୟ ସିନେମା ଦିବସ । ସେଥିପାଇଁ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଫେଡେରେସନ୍ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ସହାୟତାରେ ଆୟୋଜିତ ହୋଇଛି ଏହି ଦିବସ । ଆଉ ଏହି ପରିପ୍ରେକ୍ଷୀରେ ଦର୍ଶକଙ୍କୁ ଭିନ୍ନ ଅନୁଭୂତି ପରଷିବାକୁ ବୋଧହୁଏ ପ୍ରଥମ ଥର ପାଇଁ ଏଭଳି ନିଆରା ପ୍ରୟାସ କରାଯାଇଛି ।
ଦର୍ଶକଙ୍କୁ ହଲ୍ ମୁହାଁ କରାଇବା ଏବଂ ଧୀରେ ଧୀରେ ହଲ୍ ଏବଂ ଦର୍ଶକଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଦୂରତାକୁ କମାଇବାକୁ ଅଣ୍ଟା ଭିଡ଼ିଛି ମଲ୍ଟିପ୍ଲେକ୍ସ ଆସୋସିଏସନ୍ । ସେମାନଙ୍କ ଆଶା ଏହାଫଳରେ ପୁଣି ଥରେ ଚଳଚଞ୍ଚଳ ହୋଇଉଠିବ ହଲ୍ । ଗତ କିଛି ମାସ ଭିତରେ ସର୍ବଭାରତୀୟସ୍ତରରେ କିଛି ଭଲ ସିନେମା ପ୍ରେକ୍ଷାଳୟକୁ ଚଳଚଞ୍ଚଳ କରିଛି ମାତ୍ର ବିଭିନ୍ନ କାରଣରୁ ଏବେ ବି ହଲ୍ ଅନେକ କ୍ଷତି ସହୁଛି । ସେହି ଭିତରେ ଏ ପ୍ରୟାସ ନିଶ୍ଚିତ ନୂଆ ଦିଗ ଦେଖାଇବ ବୋଲି ସମସ୍ତଙ୍କ ଆଶା ରହିଛି ।
Comments ସମସ୍ତ ମତାମତ