ମୁଖ୍ୟ ଖବର
ୱାସିଂଟନ:ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ଅନିଲ ମେନନ୍ ଇତିହାସ ରଚିବାକୁ ଯାଉଛନ୍ତି। ଅନିଲ ମେନନ ଜୁଲାଇ ୧୪ ତାରିଖରେ ପ୍ରଥମ ଥର ପାଇଁ ଆର୍ନ୍ତଜାତିକ ସ୍ପେଶ୍ ଷ୍ଟେସନ (ଆଇଏସ୍ଏସ୍) ଯିବେ। ୪୯ ବର୍ଷୀୟ ମେନନ୍ ରୁଷୀୟ ମହାକାଶଚାରୀ ପ୍ୟୋତ୍ର ଡୁବ୍ରୋଭ ଓ ଆନ୍ନା କିକିନାଙ୍କ ସହ କାଜାଖସ୍ତାନର ବୈକୋନୁର କସମୋଡ୍ରୋମରୁ ରୋସକସମସ୍ ସୋୟୁଜ୍ ଏମ୍ଏସ୍-୨୯ ମହାକାଶଯାନରୁ ଉଡ଼ାଣ କରିବେ। ଏହି ମିଶନ ପ୍ରାୟ ଆଠ ମାସ ପର୍ଯ୍ୟନ୍ତ ଚାଲିବ।
ମିନିଆପୋଲିସରେ ଭାରତୀୟ ଓ ୟୁକ୍ରେନୀୟ ପ୍ରବାସୀ ପିତାମାତାଙ୍କଠାରୁ ଜନ୍ମିତ ମେନନ ଚିକିତ୍ସା, ସାମରିକ ଓ ମାନବ ମହାକାଶ ଉଡ଼ାଣ କ୍ଷେତ୍ରରେ କ୍ୟାରିଅର ଗଢ଼ିଛନ୍ତି। ଆମେରିକା ବାୟୁସେନାରେ କାର୍ଯ୍ୟ କରୁଥିବା ସମୟରେ ମେନନଙ୍କୁ ‘ଅପରେସନ ଏଣ୍ଡ୍ୟୁରିଂ ଫ୍ରିଡମ’ ଆଫଗାନିସ୍ତାନରେ ନିୟୋଜିତ କରାଯାଇଥିଲା। ମାଉଣ୍ଟ ଏଭରେଷ୍ଟରେ ପର୍ବତାରୋହୀମାନଙ୍କୁ ଚିକିତ୍ସା ସେବା ଯୋଗାଉଥିବା ହିମାଳୟାନ ରେସକ୍ୟୁ ଆସୋସିଏସନ ସହିତ ମଧ୍ୟ କାମ କରିଥିଲେ। ମେନନ୍ ରୋଟାରୀ ଆମ୍ବାସାଡୋରିଆଲ୍ ସ୍କଲାର ଭାବରେ ଭାରତରେ ଗୋଟିଏ ବର୍ଷ ବିତାଇଥିଲେ ଓ ପୋଲିଓ ଟିକାକରଣ ପଦକ୍ଷେପରେ ସାମିଲ ଥିଲେ। ୨୦୧୮ରେ ସ୍ପେଶ୍ଏକ୍ସରେ ଯୋଗ ଦେବା ପୂର୍ବରୁ ମେନନ୍ ଫ୍ଲାଇଟ ସର୍ଜନ ଭାବେ ୨୦୧୪ରେ ନାସାରେ ଯୋଗଦେଇଥିଲେ। ଡିସେମ୍ବର ୨୦୨୧ରେ ନାସା ମହାକାଶଚାରୀ ଭାବରେ ମନୋନୀତ ହେବା ପରେ ମେନନ ତାଙ୍କର ପ୍ରଥମ ମହାକାଶ ଉଡ଼ାଣରେ ନିଯୁକ୍ତ ହେବା ପୂର୍ବରୁ ଦୁଇ ବର୍ଷର ମହାକାଶଚାରୀ ତାଲିମ କାର୍ଯ୍ୟକ୍ରମ ସମାପ୍ତ କରିଥିଲେ। ମେନନ୍ଙ୍କ ପତ୍ନୀ ଆନ୍ନା ମେନନ (ୱେଲହେମ୍) ମଧ୍ୟ ଜଣେ ମହାକାଶଚାରୀ।
ମେନନ୍ ଏହି ୮ ମାସର ମିଶନରେ ମାନବ ଶରୀର ଉପରେ ଦୀର୍ଘକାଳୀନ ମହାକାଶଯାତ୍ରାର ପ୍ରଭାବ, ରକ୍ତ ସଞ୍ଚାଳୟ, ଧମନୀର ସରଂଚନା ଓ ସୂକ୍ଷ୍ମ ଗୁରୁତ୍ୱାକର୍ଷଣ ଅଧୀନରେ ରକ୍ତ ଗଠନରେ ପରିବର୍ତ୍ତନ ଉପରେ ଅଧ୍ୟୟନ କରିବେ। ତାଙ୍କର ଗବେଷଣା ଉଚ୍ଚ-କ୍ଷମତା ସମ୍ପନ୍ନ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତ୍ତା ଓ ଚିକିତ୍ସା ଉପକରଣ ପାଇଁ ଉନ୍ନତ ଉପାଦାନଗୁଡ଼ିକର ନିର୍ମାଣକୁ ସମର୍ଥନ କରିବା ପାଇଁ ମହାକାଶରେ ସେମିକଣ୍ଡକ୍ଟର କ୍ରିଷ୍ଟାଲର ଉତ୍ପାଦନ ସମ୍ପର୍କରେ ଗବେଷଣା କରିବେ। ମେନନ୍ ଭବିଷ୍ୟତର ଦୀର୍ଘକାଳୀନ ମିଶନ ସମୟରେ ପୃଥିବୀରୁ ଚିକିତ୍ସା ସହାୟତା ଉପରେ ନିର୍ଭରଶୀଳତା ହ୍ରାସ କରିବା ଲକ୍ଷ୍ୟରେ ବର୍ଦ୍ଧିତ ବାସ୍ତବତା ଓ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ଅଲଟ୍ରାସାଉଣ୍ଡ ତଦନ୍ତ କରିବେ।
Comments ସମସ୍ତ ମତାମତ