ମୁଖ୍ୟ ଖବର
ରାୟଗଡ଼ା: ରାୟଗଡ଼ାର ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଆଜି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ .ଭାସ୍କର ରାଓ ଆଜି ରାୟଗଡ଼ା ଏସଡିଜେମ୍ କୋର୍ଟରେ ଆତ୍ମ ସମର୍ପଣ କରିବେ ବୋଲି ଜଣାପଡିଛି। ଏଠାରେ ସୂଚନାଯୋଗ୍ୟଯେ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ଘଟଣାରେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଅଭିଯୁକ୍ତମାନଙ୍କୁ ପ୍ରଦାନ କରାଯାଇଥିବା ଆଗୁଆ ଜାମିନ ନିର୍ଦ୍ଦେଶ ବିରୋଧରେ ମୂଳ ଅଭିଯୋଗକାରୀ ଜଗନ୍ନାଥ ମାଣ୍ଡାଙ୍ଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍ କୋର୍ଟ ଏହି ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଦେଇଥିବା ଜାମିନକୁ ନାକଚ କରିଦେଇଥିଲେ। ୨୨ ଜାନୁଆରୀ ୨୦୨୬ରେ ଓଡ଼ିଶା ହାଇକୋର୍ଟ ଅଭିଯୁକ୍ତମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ।ସୁପ୍ରିମକୋର୍ଟ ଏହାର ଶୁଣାଣି କରି ହାଇକୋର୍ଟ ଦେଇଥିବା ଜାମିନକୁ ନାକଚ କରିବା ସହ ୨ ସପ୍ତାହ ମଧ୍ୟରେ ଏସଡିଜେମ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦେଶ ଦେଇଥିଲେ। ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପ୍ରକାରେ ଆଜି ଶ୍ରୀ ରାଓ ଏସଡିଜେମ କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ସୂତ୍ରରୁ ଜଣାପଡିଛି। ଏହି ଘଟଣIରେ ଶ୍ରୀ ରାଓଙ୍କ ସମେତ ଇପିଲି ସନ୍ୟାସୀ ରାଜୁ, ଆଦିନାରାୟଣ ରାଓ,କେ.କ୍ରୀଷ୍ନା ରାଓ ଏବଂ ପି ଦିଲୀପ କୁମାର ମଧ୍ୟ ଅଭିଯୁକ୍ତ ଅଛନ୍ତି। ରାୟଗଡ଼ା ଥାନାରେ ୨୩ ଡିସେମ୍ବର ୨୦୧୦ରେ ମାମଲା ନମ୍ବର ୨୦୮/୨୦୧୦ ଅନୁଯାୟୀ ଏତଲା ଦାୟର ହୋଇଥିଲା।ଏହି ମାମଲାରେ ଭାରତୀୟ ପିଙ୍ଗଳ କୋଡ୍ ର ଧାରା ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର), ୩୦୨ (ହତ୍ୟା), ୨୦୧ (ପ୍ରମାଣ ନଷ୍ଟ), ୩୬୪ (ଅପହରଣ) ଏବଂ ୩୪ ଭଳି ସଂଗୀନ ଦଫା ଲଗାଯାଇଥିଲା।
ପରବର୍ତ୍ତୀ ସମୟରେ ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା ଏବଂ ୫ ଏପ୍ରିଲ ୨୦୧୧ରେ କଟକ ସିଆଇଡି ସିବି ଥାନାରେ ଏହା କେସ୍ ନମ୍ବର ୧୦/୨୦୧୧ ଭାବେ ପୁନଃ ପଞ୍ଜୀକୃତ ହୋଇଥିଲା। ଆଜି ଭାସ୍କର ରାଓ ଆତ୍ମସମର୍ପଣ ପାଇଁ ରାୟଗଡ଼ା କୋର୍ଟକୁ ଯିବେ ବୋଲି ଖବର ଜଣାପଡିବା ପରେ ଶହ ଶହ ସଂଖ୍ୟାରେ ତାଙ୍କର ସମର୍ଥକ ବାସଭବନ ଯାଇ ଭେଟୁଥିବା ଦେଖିବାକୁ ମିଳିଛି I ଗତ ୭ ତାରିଖ ଦିନ ଇ ଓ ଡବ୍ଲୁର ଏକ ଟିମ ଏନ୍ ଭାସ୍କର ରାଓଙ୍କ ୧୧ଟି ସ୍ଥାନରେ ଚଢ଼ାଉ କରିଥିଲେI ଟ୍ରକ ମାଲିକ ସଙ୍ଘର ୬୦ କୋଟି ଟଙ୍କା ହେରଫେର କରିଥିବା ନେଇ ରାୟଗଡ଼ା ଥାନାରେ ଅଭିଯୋଗ ହୋଇଥିବା ମାମଲାରେ ଇ ଓ ଡବ୍ଲୁ ଚଢ଼ାଉ ହୋଇଥିଲାI ଦିନକୁ ଦିନ ଭାସ୍କର ରାଓଙ୍କ ଅଡୁଆ ବଢୁଛିI ଭାସ୍କର ରାଓ ପାଞ୍ଚ ଦଶନ୍ଧିରୁ ଅଧିକା ସମୟ ହେଲା ଅଣ କଂଗ୍ରେସ ରାଜନୀତିରେ ସକ୍ରିୟ ଅଛନ୍ତିI ଗତବର୍ଷ ଶ୍ରୀ ରାଓ ବିଜେଡିରୁ ଇସ୍ତଫା ଦେଇ ବିଜୁ ସ୍ୱାଭିମାନ ମଞ୍ଚ ଗଠନ କରି ଅଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଥିଲେI ଆଜି ଶ୍ରୀ ରାଓ ଆତ୍ମସମର୍ପଣ କରିବେ ବୋଲି ସୂଚନା ଆସିଲା ପରେ ରାଜନୈତିକ ମହଲରେ ଆଲୋଡ଼ନ ଖେଳିଯାଇଛି I
Comments ସମସ୍ତ ମତାମତ