ମୁଖ୍ୟ ଖବର
କୋଲକାତା: ନିର୍ବାଚନ ଫଳାଫଳ ବାହାରିବା ପରେ ପଶ୍ଚିମବଙ୍ଗ ଅଶାନ୍ତ ହୋଇପଡିଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ବୁଧବାର ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ଗୁଳି କରି ହତ୍ୟା କରାଯାଇଛି । ଏହା ପଛରେ ଟିଏମସିର ହାତ ଥିବା ବିଜେପି ଅଭିଯୋଗ କରିଛି । ଅଭିଷେକ ବାନାର୍ଜୀ ହତ୍ୟାକାଣ୍ଡ ଘଟାଇଥିବା ବିଜେପି ନେତା ଅର୍ଜୁନ ସିଂହ ଅଭିଯୋଗ କରିଛନ୍ତି । ସେ କହିଛନ୍ତି,'' ଅଭିଷେକ ବାନାର୍ଜୀ ହିଁ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ସେ ମେସେଜ ଦେବାକୁ ଚାହୁଁଛନ୍ତି ଆମେ ସରକାରରେ ନଥାଇ ପାରୁ କିନ୍ତୁ ଆମେ ତୁମ ଉପରେ ଭାରି । ସେ ମୂର୍ଖ ଆମ ଉପରେ ଭରି ନୁହେଁ ସେମାନଙ୍କୁ ଏହାର ଜବାବ ମିଳିବ । '' ସେପଟେ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ଟିଏମ୍ସି ।
ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଉପସ୍ଥିତି ସତ୍ତ୍ୱେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣା ସାମ୍ନାକୁ ଆସିଛି । ଟିଏମସି କର୍ମୀ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛି । ଏହି ଗୁଳିକାଣ୍ଡ ତାହାର ଏକ ପ୍ରମାଣ ବୋଲି ବିଜେପି ନେତାମାନେ କହିଛନ୍ତି । ପଶ୍ଚିମବଙ୍ଗରେ ଏହି ଆକ୍ରମଣ ଏପରି ସମୟରେ ଆସିଛି ଯେତେବେଳେ ବିଜେପିର ବିପୁଳ ବିଜୟ ପରେ ବିଜେପି-ଟିଏମସି ସମର୍ଥକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଚଳିତ ନିର୍ବାଚନରେ ୨୯୩ ଆସନରୁ ବିଜେପି ୨୦୭ଟି ଆସନରେ ବିଜୟୀ ହୋଇଛି । ଶୁଭେନ୍ଦୁ ଅଧିକାରୀ ଭବାନୀପୁର ନିର୍ବାବନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି । ତେବେ ମମତା ଇସ୍ତଫା ଦେବେ ନାହିଁ ବୋଲି ଜିଦରେ ଅଟଳ ରହିଛନ୍ତି । ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଯେ ଟିଏମସି କ୍ୟାଡରମାନେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଅହରହ ଚେଷ୍ଟା କରୁଛନ୍ତି । କେତେକ ସ୍ଥାନରେ ନିଜକୁ ବିଜେପି କର୍ମୀ ବୋଲି ଦର୍ଶାଇ ହିଂସା ଘଟାଇଛନ୍ତି ।
ଟିଏମସି ବିଜେପିର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି । ହତ୍ୟାର ସିବିଆଇ ତଦନ୍ତ ଦାବି କରିଛି । କୋର୍ଟଙ୍କ ତଦାରଖରେ ସିବିଆଇ ଯାଞ୍ଚ ହେଉ ବୋଲି ଦାବି କରିଛି ତୃଣମୂଳ କଂଗ୍ରେସ । ଚନ୍ଦ୍ରନାଥ ରଥଙ୍କ ନିର୍ମମ ହତ୍ୟା ଏବଂ ଗତ ତିନି ଦିନ ମଧ୍ୟରେ ବିଜେପି ସମର୍ଥିତ ଦୁର୍ବୃତ୍ତମାନଙ୍କ ଦ୍ୱାରା କରାଯାଇଥିବା ନିର୍ବାଚନ ପରବର୍ତ୍ତୀ ହିଂସାରେ ଅନ୍ୟ ତିନି ଜଣ ଟିଏମସି କର୍ମୀଙ୍କ ହତ୍ୟାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଆମେ ଏହି ମାମଲାରେ ସର୍ବାଧିକ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ବୋଲି କହିଛି ଟିଏମସି ।
କହି ରଖୁଛି କି, ରାତି ପ୍ରାୟ ୧୧ଟା ୩୦ରେ ଚନ୍ଦ୍ରନାଥ ସ୍କର୍ପିଓ ଯୋଗେ ଘରକୁ ଫେରୁଥିଲେ । ଜେସୋର ରୋଡ୍ସ୍ଥିତ ଦେହାରିୟା ଅଞ୍ଚଳ ନିକଟରେ ଆତତାୟୀମାନେ ବାଇକ୍ରେ ଆସି ତାଙ୍କ ଗାଡ଼ିକୁ ଘେରିଯାଇଥିଲେ । କେହି କିଛି କହିବା ପୂର୍ବରୁ ସେମାନେ ଆଖିବୁଜା ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ଚନ୍ଦ୍ରନାଥଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିବାରୁ ସେ ଟଳିପଡ଼ିଥିଲେ । ଆକ୍ରମଣକାରୀଙ୍କୁ ଧରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଟିଏମ୍ସି ବିଭିନ୍ନ କର୍ମକର୍ତ୍ତାଙ୍କୁ ପଚରାଉଚରା କରୁଛି ।
Comments ସମସ୍ତ ମତାମତ